ସୁନ୍ଦରଗଡ଼: ଆସନ୍ତା ଜାନୁଆରି ମାସରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସୁନ୍ଦରଗଡ଼ ଆସିବେ। ଆଜି ସୁନ୍ଦରଗଡ଼ ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିକଟରେ ନୂଆଦିଲ୍ଲୀରେ ଓଡିଶା କଂଗ୍ରେସ ସହ ଏଆଇସିସିର ବୈଠକ ହୋଇଥିଲା। ଆଲୋଚନା ସମୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଜାନୁଆରିରେ ଓଡିଶା ଗସ୍ତରେ ଆସିବାକୁ ପିସିସି କର୍ମକର୍ତ୍ତା ଓ ବିଧାୟକମାନେ ଅନୁରୋଧ କରିଥିଲେ। ଏହାକୁ ଏଆଇସିସି ଗ୍ରହଣ କରି ଓଡିଶାର କାର୍ଯ୍ୟକ୍ରମ ସୁନ୍ଦରଗଡ଼ରେ ଆୟୋଜନ କରିବାକୁ ଦଳ ଇଚ୍ଛା ପ୍ରକାଶ କରିଥିବା ପିସିସି ସଭାପତି ସୂଚନା ଦେଇଛନ୍ତି।

Advertisment

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଏକଦା କଂଗ୍ରେସର ଗଡ଼ ଥିଲା। ତେଣୁ ପୁଣି ଥରେ ପୂର୍ବସ୍ଥିତି ଫେରାଇ ଆଣିବାକୁ ଏଆଇସିସି ସୁନ୍ଦରଗଡ଼ ସହ ପଶ୍ଚିମ ଓଡିଶାକୁ ଫୋକସ କରିବାକୁ ଚାହୁଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏଥିପାଇଁ ରାଜ୍ୟ ପ୍ରଭାରୀ ଭାବେ ପଡୋଶୀ ଝାରଖଣ୍ଡର ଜଣେ ପୂର୍ବତନ ଆଇପିଏସ ଅଧିକାରୀ ତଥା ଜାମସେଦପୁରର ପୂର୍ବତନ ସାଂସଦ ଡ. ଅଜୟ କୁମାରଙ୍କୁ ଦାୟିତ୍ବ ଦିଆଯାଇଥିବା ସେ କହିଥିଲେ।