ସାଂଘାତିକ କେଳେଙ୍କାରୀରେ ବୁଡ଼ି ରହିଛି ଔଷଧ ନିଗମ: କଂଗ୍ରେସ

ସଂକ୍ରମଣର ସୁଯୋଗ ନେଇ ଶ୍ରମ ଆଇନ ସଂଶୋଧନକୁ ଦଳର ପ୍ରତିବାଦ

ଭୁବନେଶ୍ବର : ଟେଷ୍ଟିଂ କିଟ୍‌, ମାସ୍କ୍‌, ସାନିଟାଇଜର, ଭେଣ୍ଟିଲେଟର, ପିସିଆର୍‌ ମେସିନ୍‌, ଔଷଧ ଓ ଅନ୍ୟାନ୍ୟ ମେଡିକାଲ୍‌ ସାମଗ୍ରୀ କିଣାରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ବ୍ୟାପକ କେଳେଙ୍କାରୀରେ ବୁଡ଼ି ରହିଛି। କେବଳ ପ୍ରୋକ୍ୟୋରମେଣ୍ଟ୍‌ କମିଟି ମୁଖ୍ୟ ତଥା ଶିଳ୍ପ ସଚିବ ଥିବା ଆଇଏଏସ୍‌ ହେମନ୍ତ ଶର୍ମାଙ୍କୁ ହଟାଇ ଦେଲେ ହେବନି। ନିଗମର ଅନେକ ଅଫିସର ମହାଦୁର୍ନୀତିରେ ସାମିଲ ଅଛନ୍ତି। ଏ ନେଇ ବିଧିବଦ୍ଧତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି। ସେହିପରି ପ୍ରବାସୀ ଶ୍ରମିକ, ନିର୍ମାଣ ଶ୍ରମିକ, ଜଙ୍ଗଲ ଶ୍ରମିକ, ଅସଂଗଠିତ ଶ୍ରମିକ, ଅଟୋ ଓ ଟ୍ୟାକ୍ସି ଡ୍ରାଇଭର ଦୀର୍ଘ ୩ ମାସ ହେଲାଣି ରୋଜଗାର ହରାଇଛନ୍ତି। ସେମାନଙ୍କୁ ପ୍ରଥମେ ୧୦ ହଜାର ଟଙ୍କା ଓ ଆଗାମୀ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ୭ ହଜାର ୫୦୦ ଟଙ୍କା ଲେଖାଏଁ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ଆଇଏନ୍‌ଟିୟୁସିର ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି ଯେ, କୋଭିଡ୍‌ ସଂକ୍ରମଣ ସମୟରେ କର୍ମଚାରୀଙ୍କୁ ଛଟେଇ ନ କରିବା ଓ ସମସ୍ତ ଶ୍ରମିକମାନଙ୍କୁ ମଜୁରୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ଓଡ଼ିଶାରେ ଅଧିକାଂଶ ସଂସ୍ଥା ମଜୁରୀ ଦେଇନାହାନ୍ତି। ବିଶେଷକରି ଡୁବୁରୀ ଶିଳ୍ପାଞ୍ଚଳ ଓ କେନ୍ଦୁଝରର ବଡ଼ବିଲ୍‌ ଶିଳ୍ପାଞ୍ଚଳରେ ହଜାର ହଜାର ଶ୍ରମିକ ରୋଜଗାର ହରାଇଛନ୍ତି। ଦୈନିକ କାର୍ଯ୍ୟନିର୍ଘଣ୍ଟ ସମୟକୁ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ବିରୋଧ କରୁଛନ୍ତି। ଏହା ପ୍ରତ୍ୟାହାର ନ ହେଲେ ଭବିଷ୍ୟତରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ। ୨୨ ଲକ୍ଷ ନିର୍ମାଣ ଶ୍ରମିକମାନଙ୍କୁ ରାଜ୍ୟ ସରକାର ୧୫୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହି ଟଙ୍କା ଏବେ ବି ସମସ୍ତ ଶ୍ରମିକ ପାଇନାହାନ୍ତି। ତୁରନ୍ତ ବାଦ ପଡ଼ିଥିବା ଶ୍ରମିକମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉ। କାର୍ଡ଼ ନଥିବା ସମସ୍ତ ପ୍ରବାସୀ ଲୋକଙ୍କୁ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ଦେବାପାଇଁ ଶ୍ରୀ ଖୁଣ୍ଟିଆ ଦାବି କରିଛନ୍ତି।

ଔଷଧ ନିଗମ କେଳେଙ୍କାରୀ ନେଇ ଦଳୀୟ ନେତା ସୁଦର୍ଶନ ଦାସ କହିଛନ୍ତି, ଦୁର୍ନୀତି ନେଇ ବହୁ ପୂର୍ବରୁ କଂଗ୍ରେସ ପ୍ରମାଣ ଦେଇଥିଲା। ଏବେ ଗୋଟିଏ ପରେ ଗୋଟିଏ ସତ୍ୟ ପଦାକୁ ଆସିବାରେ ଲାଗିଛି। ରାଜ୍ୟ ସରକାର ଶିଳ୍ପ ସଚିବ ଶ୍ରୀ ଶର୍ମାଙ୍କୁ ହଟାଇବା ଯଥେଷ୍ଟ ନୁହଁ l ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଏହି ସମ୍ପୂର୍ଣ୍ଣ ମହାଦୁର୍ନୀତିର ପର୍ଦ୍ଦାଫାଶ କରିବାକୁ ହେଲେ, ନିରପେକ୍ଷ ତଦନ୍ତର ଆବଶ୍ୟକତା ଥିବା ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର