ଜିଲ୍ଲା ସଭାପତି ପଦରୁ ମୀନାକ୍ଷୀଙ୍କୁ ହଟାଇ ଠିକ୍ କରିନି ଏଆଇସିସି: ସୁର

ଭୁବନେଶ୍ବର : ଏଆଇସିସି ପକ୍ଷରୁ ଗତକାଲି ୧୦ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ବାଦ୍ ପଡ଼ିଛନ୍ତି ମୀନାକ୍ଷୀ ବାହିନୀପତି। ମୀନାକ୍ଷୀଙ୍କ ବଦଳରେ ଦୁର୍ଗାଶଙ୍କର ସାହୁଙ୍କୁ କୋରାପୁଟ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଏହି ପଦବିକୁ ନେଇ ଟଣାଓଟରା ଲାଗିଥିବା ‌ବେଳେ ମୀନାକ୍ଷୀଙ୍କୁ ବାଦ୍ ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ଶ୍ରୀ ରାଉତରାୟ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ଏଆଇସିସି ଠିକ୍ କରିନି। ମୀନାକ୍ଷୀଙ୍କୁ ପୁନଃ ଥଇଥାନ କରିବା ପାଇଁ ଏଆଇସିସିଙ୍କୁ ଲିଖିତ ଆକାରରେ ଜଣାଇବେ। ଏଆଇସିସି ହସ୍ତକ୍ଷେପ କରି ଏହାର ସମାଧାନ କରିବା ଦରକାର। ଘର କଥା ଘରେ ତୁଟାଇବା ଦରକାର। ଆଉ ସମୟ ନାହିଁ। ଦଳରେ ଯାହା ମନୋମାଳିନ୍ୟ ରହିଛି ତାକୁ ଘରେ ସମାଧାନ କରିବା ଉଚିତ୍ ବୋଲି ସେ କହିଛନ୍ତି।

ଅପରପକ୍ଷରେ ବିଧାୟକ ସନ୍ତୋଷ ସିଂ ସାଲଜୁା କହିଛନ୍ତି, କଂଗ୍ରେସର ସବୁ କଥା ହାଇକମାଣ୍ଡଙ୍କ ନିର୍ଦେଶରେ ଚାଲେ। ଯେଉଁମାନେ ୫ବର୍ଷରୁ ଅଧିକ ସମୟ ସଭାପତି ପଦରେ ଥିଲେ ସେମାନଙ୍କୁ ହଟାଇ ଦିଆଯାଇଛି। ସାଂସଦ ଓ ବିଧାୟକଙ୍କ କ୍ଷେତ୍ର ଅଲଗା ରହିଛି। ସେମାନେ ନିଜ ନିଜ ବାଟରେ କାମ କରିବେ। ତାରା ଆଉ ମୀନାକ୍ଷୀ ଆମର ଭାଇ ଓ ଭାଉଜ। ରାଗ ନ ରଖି କୋରାପୁଟରେ କଂଗ୍ରେସକୁ ଆଗେଇ ନେବେ ବୋଲି ଶ୍ରୀ ସାଲୁଜା ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର