ଭୁବନେଶ୍ବର : ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ କଂଗ୍ରେସ ଶୃଙ୍ଖଳା କମିଟି ଆଜି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)କୁ ସୁପାରିସ କରିଛି। ଆଜି କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ତାଙ୍କ ବିରୋଧରେ ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବୈଠକ ପରେ ଶ୍ରୀ ବିଶ୍ବାଳ କହିଲେ, ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶିତ ଖବର ଓ ଅଭିଯୋଗ ସଂପର୍କରେ ତର୍ଜମା କରାଯାଇଥିଲା। ଗଣମାଧ୍ୟମ ତଥ୍ୟ ଓ ସମାନ୍ତରାଳ ସଂଗଠନ ଅଭିଯୋଗରେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ କରାଯାଇଛି। ତେବେ ଶ୍ରୀକାନ୍ତ ଜଣେ ବରିଷ୍ଠ ନେତା ହୋଇଥିବାରୁ ତାଙ୍କ ବିରୁଦ୍ଧରେ ଏଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଥିଲେ।

Advertisment

ଆଜିର ବୈଠକରେ ଶୃଙ୍ଖଳା କମିଟିର ୮ଜଣିଆ ସଦସ୍ୟଙ୍କ ମଧ୍ୟରୁ ୭ଜଣ ଯୋଗ ଦେଇଥିଲେ। ବୈଠକ ପରେ ଶ୍ରୀକାନ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବ କି ନାହିଁ ସେ ନେଇ ଏଆଇସିସି ନିଷ୍ପତ୍ତି ନେବ ବୋଲି କମିଟିର ଜଣେ ସଦସ୍ୟ କହିଛନ୍ତି। ତେବେ କମିଟିର ସୁପାରିସକୁ ତୁରନ୍ତ ଏଆଇସିସିକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି।। ସୂଚନାଯୋଗ୍ୟ, ଗତ ୬ ତାରିଖରେ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବହିଷ୍କାର କରିଥିଲେ।