ଭୁବନେଶ୍ବର: ଆସନ୍ତା ୧୨ ତାରିଖ ବା ଯୁବ ଦିବସରୁ ରାଜ୍ୟର ୫ଟି ଜିଲ୍ଲାରେ ଲୋକନୃତ୍ୟ ମାଧ୍ୟମରେ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ପଥପ୍ରାନ୍ତ ନାଟକ, ସଂଗୀତ ଓ ନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବ। ଯେଉଁ ଜିଲ୍ଲାଗୁଡ଼ିକରେ ନିକଟରେ ଏଡ୍‌ସର ମାତ୍ରାରେ ବୃଦ୍ଧି ହୋଇଥିବା ଜଣାପଡ଼ିଛି, ସେସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇଛି। ଆସନ୍ତା ୧ମାସ ପର୍ଯ୍ୟନ୍ତ ଏହି ସଚେତନତା କାର୍ଯ୍ୟ ଚାଲିବ ବୋଲି ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ଜଣାପଡ଼ିଛି। ରାଜ୍ୟରେ କେତେ ସଂଖ୍ୟକ ଏଚ୍‌ଆଇଭି/ଏଡ୍‌ସ ଆକ୍ରାନ୍ତ ରହିଛନ୍ତି, ତାହାର ଏକ ମ୍ୟାପିଂ କରାଯାଇଛି। ଚଳିତବର୍ଷ ନବରଙ୍ଗପୁର, କଟକ, ରାୟଗଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତି ଜିଲ୍ଲାରେ ୧୨୬ଟି ଲେଖାଏଁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଅଧୀନରେ ଥିବା ସଂଗୀତ ଓ ଡ୍ରାମା ବିଭାଗରେ ସ୍ବୀକୃତିପ୍ରାପ୍ତ ୪୧ଟି ସଂସ୍ଥା ଲୋକମାନଙ୍କୁ ସଚେତନ କରାଇବେ। ଘୋଡ଼ାନାଚ, ପାଲା, ଦାସକାଠିଆ, ପଥପ୍ରାନ୍ତ ନାଟକ ଓ ଯାଦୁ ଭଳି କାର୍ଯ୍ୟକ୍ରମ ରହିଛି। ଭିନ୍ନଭିନ୍ନ ଲୋକନୃତ୍ୟକୁ ନେଇ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି। ଖୋର୍ଧା, ଭୁବନେଶ୍ବର, କୋଣାର୍କ, ବଲାଙ୍ଗୀର, ଗଞ୍ଜାମ, ପୁରୀ, ଢେଙ୍କାନାଳ, କଟକ, ମୟୂରଭଞ୍ଜ ଓ ବ୍ରହ୍ମପୁରର ଏକାଧିକ ସଂସ୍ଥା ଏଥିରେ ରହିଛନ୍ତି। ଗୋଟିଏ ଜିଲ୍ଲାକୁ ୮/୯ଟି ଟ୍ରୁପ୍‌ ଏହି ସଚେତନତା କାର୍ଯ୍ୟକ୍ରମ କରିବେ। ଆସନ୍ତା ଯୁବ ଦିବସରେ ଇଡ୍‌କଲ ଅଡିଟୋରିୟମ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ସଚେତନତା ଭ୍ୟାନ୍‌ର ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ନାକୋ ପକ୍ଷରୁ ଏଥିପାଇଁ ଅର୍ଥ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆସନ୍ତାକାଲି ଏକ କର୍ମଶାଳା ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଥିବା ସଂସ୍ଥାମାନେ ଯୋଗ ଦେବେ। ଫଳରେ କେଉଁ ଢଙ୍ଗରେ ଲୋକମାନଙ୍କ ନିକଟରେ ଏଡ୍‌ସ ସଚେତନତା ବାର୍ତା ଦିଆଯିବ, ତାହା ଉପରେ ଆଲୋଚନା କରାଯିବ। ଓସାକ୍ସର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗାଁ ଗହଳିରେ ଲୋକକଳା ଏକ ବଳିଷ୍ଠ ମାଧ୍ୟମ। ଏହା ଲୋକମାନଙ୍କ ଦ୍ବାରା ସହଜରେ ଗ୍ରହଣୀୟ ହୋଇଥାଏ। ତେଣୁ ଲୋକକଳା ମାଧ୍ୟମରେ ଏଚ୍‌ଆଇଭି/ଏଡ୍‌ସ ସହ ସ୍ବାସ୍ଥ୍ୟଗତ ସମସ୍ୟା ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମ ପାଇଁ ନାକୋ ସ୍ବୀକୃତି ପ୍ରଦାନ କରିଛି। ପ୍ରତି ଜିଲ୍ଲାର କେଉଁ କେଉଁ ଗାଁରେ ଏହି ସଚେତନତା ବାର୍ତା ଦିଆଯିବ, ତାହାର ଚିହ୍ନଟ କରାଯିବ ବୋଲି ଅଧିକାରୀ କହିଛନ୍ତି।