ଏଣିକି ସରକାରୀ ବସ୍‌ ଓ ଟିକେଟ୍‌ରେ ଏଡ୍‌ସ ସଚେତନତା ବାର୍ତ୍ତା

ପୁରୀରେ ୩ ସିଟି ବସ୍‌ରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ

ଭୁବନେଶ୍ବର : ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ଗଡ଼ୁଥିବା ବସ୍‌‌‌‌ରେ ଲାଗିବ ଏଚ୍‌ଆଇଭି/ଏଡ୍‌ସ ସଚେତନତା ବାର୍ତା। ରାଜ୍ୟର ସବୁ ଜିଲ୍ଲାକୁ ଗଡ଼ୁଥିବା ବସ୍‌ରେ ଏଭଳି ସଚେତନତା ବାର୍ତା ପାଇଁ ବ୍ରାଣ୍ଡିଂ କରିବ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ୍। ନିକଟରେ ରଥଯାତ୍ରା ସମୟରେ ପୁରୀରେ ୩ଟି ସିଟି ବସ୍‌ରେ ଏହି ବ୍ରାଣ୍ଡିଂ ହୋଇଥିବା ବେଳେ ଏହାକୁ ରାଜ୍ୟବ୍ୟାପୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅକ୍ଟୋବର ମାସ ବେଳକୁ ଏହି ସଚେତନତା ବାର୍ତା ପ୍ରସାରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଏଚ୍‌ଆଇଭି/ଏଡ୍‌ସ ସଂପର୍କିତ ସଚେତନତା କାର୍ଯ୍ୟକ୍ରମକୁ ନିଆରା ଢଙ୍ଗରେ ବ୍ୟାପକ କରିବା ପାଇଁ ଯୋଜନା କରିଛି ଓସାକ୍ସ। ଏଚ୍‌ଆଇଭି/ଏଡ୍‌ସକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଏସ୍‌ଆରଟିସିର ୧୦୦ଟି ବସ୍‌ରେ ସଚେତନତା କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନେଇଛି ଓସାକ୍ସ। କିନ୍ତୁ ୫୦ଟି ବସ୍‌ରେ ବ୍ରାଣ୍ଡିଂ କରିବା ପାଇଁ ଅନୁମତି ମିଳିଛି। ବସ୍‌ର ପଛପଟେ, ଦୁଇ ପ୍ୟାନେଲ୍ ଓ ଡ୍ରାଇଭର ସିଟ୍‌ର ପଛ ପାଖରେ ସଚେତନତା ବାର୍ତା ଲଗାଯିବ। ଏହାସହ ବସ୍‌ରେ ଯାତାୟାତ ପାଇଁ ଦିଆଯାଉଥିବା ଟିକେଟ୍‌ର ପଛ ପାଖରେ ମଧ୍ୟ ଏହି ସଚେତନତା ବାର୍ତା ରହିବ। ୩ଲକ୍ଷରୁ ଅଧିକ ଟିକେ୍‌ଟରେ ଏଭଳି ବାର୍ତା ରହିବ। ବ୍ରାଣ୍ଡିଂ ପରଠାରୁ ୩ମାସ ପର୍ଯ୍ୟନ୍ତ ଏହି ସଚେତନତା ବାର୍ତା ଜାରି ରହିବ ବୋଲି ଓସାକ୍ସ ସୂତ୍ରରୁ ଜଣାପଡ଼ିଛି।

ରଥଯାତ୍ରା ଅବସରରେ ପୁରୀର ୩ଟି ସିଟି ବସ୍‌କୁ ଏଚ୍‌ଆଇଭି/ଏଡ୍‌ସ ପାଇଁ ସ୍ବତନ୍ତ୍ର ଭାବେ ବ୍ରାଣ୍ଡିଂ କରାଯାଇଛି। ଲୋକନାଥ ମନ୍ଦିର, ସମୁଦ୍ରକୂଳ ଓ ମାଳତୀପାଟପୁର ରୁଟ୍‌ରେ ଏହି ବସ୍ ଚଳାଚଳ କରୁଛି ଓ ଆସନ୍ତା ୫ମାସ ପର୍ଯ୍ୟନ୍ତ ଏହି ବସ୍‌ରେ ସଚେତନତା ଶୋଭା ପାଇବ। ‘ଆସନ୍ତୁ ଏଚ୍‌ଆଇଭି ପରୀକ୍ଷା କରାଇନେବା, ନିଜର ସ୍ଥିତି ଜାଣିବା, ଏଆର୍‌ଟି ସୁବିଧା ନିର୍ଧାରିତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣାରେ ଉପଲବ୍ଧ’ ସଚେତନତା ବାର୍ତା ଦିଆଯାଇଛି। ବ୍ରାଣ୍ଡିଂ ପାଇଁ ପ୍ରାୟ ୩ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହାସହ ପୁରୀର ବିଭିନ୍ନ ସ୍ଥାନରେ ମେଗା ହୋର୍ଡିଂ ସହ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ଓସାକ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର