ଏଡ୍ସ-ଏଚ୍ଆଇଭି ସଚେତନତା ହିଁ ସଫଳ ପ୍ରତିରୋଧ

ଖୋର୍ଦ୍ଧା: ଆଜି ବିଶ୍ୱ ଏଡ୍ସ-ଏଚ୍ଆଇଭି ସଚେତନତା ଦିବସ ଉପଲକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜିଲ୍ଲା ଏଡ୍ସ ପ୍ରତିରୋଧ ଓ ନିୟନ୍ତ୍ରଣ ୟୁନିଟ ଓ ତାଲୁକ ଆଇନସେବା ସମିତିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ସୁରେନ୍ଦ୍ର ପାଢ଼ୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ତାଲିମ କେନ୍ଦ୍ରର ଅଧ୍ୟକ୍ଷ ତାପସ କୁମାର ନାୟକ, ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ କୁମାର ସାମନ୍ତସିଂହାର, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା ସୁବ୍ରତ କୁମାର ତ୍ରିପାଠୀ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସୁବ୍ରତ କୁମାର ଜଗଦେ୍ଦବ ଯୋଗ ଦେଇଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତବନ୍ଧୁ ନାୟକ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷର ଏଡ୍ସ-ଏଚ୍ଆଇଭି ସଚେତନତାର ବିଶ୍ୱବାର୍ତା “ସମାନତା’ ପ୍ରସଙ୍ଗରେ ଆଲୋଚନା କରିବା ସହ ଏହାର ନିରାକରଣ ଓ ସଚେତନତାରେ ମହିଳାଙ୍କ ଅଗ୍ରଣୀ ଭୂମିକା ରହିଛି । ସଂଯମତା ଓ ସଚେତନତା ହିଁ ମଣିଷକୁ ଏଭଳି ଏକ ମହାମାରୀରୁ ରକ୍ଷା କରିବ ବୋଲି ଅତିଥିମାନେ ମତ ଦେଇଥିଲେ । ଏହି ଅବସରରେ ନୈତିକତାର ଶପଥ ପାଠ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଡ୍ସ ସଚେତନତା ଓ ନିରାକରଣ ଦିଗରେ ଉଲ୍ଲେଖନୀୟ କାମ କରିଥିବା ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟକର୍ମୀ ଆଦିଙ୍କୁ ସମ୍ମାନିତ କରାଯାଇଥିଲା । ସଭା ପୂର୍ବରୁ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଶିକ୍ଷା ତାଲିକ କେନ୍ଦ୍ର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଡିପିଏମ୍ ବିଧାନ ନାୟକ, ଡିଆଇଏସ୍ କିଶୋର କୁମାର କାନୁନ୍ଗୋ, ସଂଯୋଜକ ଉମାକାନ୍ତ ପଣ୍ଡା, ଜୟନ୍ତୀବାଳା ସାମନ୍ତରାୟ, ଅଶୋକ କୁମାର ଦାଶ, ବିମଳଚନ୍ଦ୍ର ମାନସିଂହ ପ୍ରମୁଖ ପରିଚାଳନା କରିଥିଲେ ।

ସେହିଭଳି କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ବିଶ୍ୱ ଏଡ୍ସ ସଚେତନତା ଦିବସ ଉପଲକ୍ଷେ ଯୁବ ରେଡ୍କ୍ରସ, ଜାତୀୟ ସେବା ଯୋଜନା, ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଓ ଜାତୀୟ ସମର ଶୀକ୍ଷାର୍ଥୀ ବାହିନୀ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣକାନ୍ତି ରାୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଶିଶୁ ଓ ମହିଳା ବିକାଶ ସମାଜର ଅଧ୍ୟକ୍ଷା କଳ୍ପନା ଦାସ, ମୁଖ୍ୟ ବକ୍ତା ବିଧାୟକ ଡ ଦିଲିପ ଶ୍ରୀଚନ୍ଦନ ଯୋଗ ଦେଇଥିଲେ । ଯୁବ ରେଡ୍କ୍ରସ କାଉନ୍ସିଲର ଅଧ୍ୟାପକ ଡ ଜନ୍ମେଜୟ ଚୌଧୁରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ ଧନ୍ୟବାଦ ଦେଇଥିଲେ । ଏହାପରେ ଛାତ୍ରଛାତ୍ରୀ, ଅଧ୍ୟାପକଅଧ୍ୟାପିକାମାନେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଏଡ୍ସ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରତାପ କିଶୋର ଛୋଟରାୟ, ଭାରତ ସ୍କାଉଟ୍ସ ଓ ଗାଇଡ୍ସର କାର୍ଯ୍ୟକ୍ରମ ଅଧିକାରୀ ମାନସ କୁମାର ଜୟସିଂହ, ଏନ୍ସିସି କାର୍ଯ୍ୟକ୍ରମ ଅଧିକାରୀ ତପନ କୁମାର ପୃଷ୍ଟି, ଅଧ୍ୟାପିକା ସୁଜ୍ଞାନୀ ଭଂଜସାମନ୍ତ, ଡ ସଂଯୁକ୍ତା ପଟ୍ଟନାୟକ, ଅନୀତା ପଣ୍ଡା, ଅନୀତା ଦାଶ, ସୁଜାସ୍ମିତା ବଳ, ସ୍ୱୟଂପ୍ରଜ୍ଞା ମାନ୍ଧାତା, ସବିତା ବେହେରା, ସୁଧାଂଶୁ ଶେଖର ରଣସିଂହ, ମନୋରଂଜନ ଷଡ଼ଙ୍ଗୀ ପ୍ରମୁଖ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର