ଜିଲ୍ଲାରେ ବଢ଼ୁଛି ଏଡ୍ସ ସଂକ୍ରମଣ: ଦୁଇ ବର୍ଷ ମଧ୍ୟରେ ବାର୍ଷିକ ସଂକ୍ରମଣ ସଂଖ୍ୟା୧୭୨ରୁ ୨୯୯କୁ ବୃଦ୍ଧି

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ପ୍ରତି ବର୍ଷ ୧୮୪ଜଣ ବ୍ୟକ୍ତି ଏଡ୍ସ-ଏଚ୍ଆଇଭି ରୋଗରେ ସଂକ୍ରମିତ ହେଉଛନ୍ତି । କୋଟି କୋଟି ଟଙ୍କା ସଚେତନତା ପାଇଁ ଖର୍ଚ୍ଚ କରାଯିବା ସହ ଏହାର ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ସଂକ୍ରମଣ ହ୍ରାସ ପାଉନାହିଁ । ଜିଲ୍ଲାରେ ବାର୍ଷିକ ହାରହାରି ସଂକ୍ରମଣ ଗତ ଦୁଇ ବର୍ଷ ମଧ୍ୟରେ ୧୭୨ରୁ ୨୯୯କୁ ବୃଦ୍ଧି ପାଇଛି ।

୨୦୦୨ ଠାରୁ ୨୦୨୦ ମଧ୍ୟରେ, ଅର୍ଥାତ୍ ୧୮ ବର୍ଷରେ ୩୦୯୭ ଏଚ୍ଆଇଭି ସଂକ୍ରମିତ (ଏଡ୍ସ ରୋଗୀ)ଙ୍କୁ ଚିହ୍ନଟ କରାଯାଇଛି । ୧୪୬ଜଣଙ୍କ (ଆଂଟିନାଟାଲ୍ କେୟାର୍) ଗର୍ଭବତୀ ମହିଳାଙ୍କ ଠାରେ, ୧୯୭୨ଜଣ ପୁରୁଷ, ୭୬୪ ମହିଳା, ୭୮ଜଣ ତୃତୀୟ ଲିଙ୍ଗ ଓ ୧୩୭ଜଣ ଶିଶୁଙ୍କ ଠାରେ ଏଚ୍ଆଇଭି ପଜିଟିଭ୍ ଥିବା ଜଣାପଡ଼ିଛି । ଏହା ମଧ୍ୟରୁ ୨୧୫ଜଣଙ୍କ ମୃତ୍ୟୁ ଘଟିଛି । ଏହି ୧୮ ବର୍ଷର ଆକଳନରେ ବାର୍ଷିକ ୧୭୨ଜଣ ଏଡ୍ସରେ ସଂକ୍ରମିତ ହୋଇଥିଲେ । ଅପରପକ୍ଷରେ, ୨୦୨୦ରୁ ୨୦୨୨ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୬୯୫କୁ ପହଂଚିଛି । ଅର୍ଥାତ୍ ଦୁଇ ବର୍ଷ ମଧ୍ୟରେ ୫୯୮ଜଣ ସଂକ୍ରମିତ ହୋଇଛନ୍ତି ଓ ୨୭ଜଣଙ୍କ ମୃତ୍ୟୁ ଘଟିଛି । ଏହି ଆକଳନ ଅନୁସାରେ, ବାର୍ଷିକ ସଂକ୍ରମିତଙ୍କ ସଂଖ୍ୟା ୨୯୯ ଓ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

ଜିଲ୍ଲା ଏଡ୍ସ ନିୟନ୍ତଣ ୟୁନିଟ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ, ୨୦୦୨ରୁ ୨୦୨୨ ମଧ୍ୟରେ ୧୨ଲକ୍ଷ ୭୪ହଜାର ୫୫୦ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଚିହ୍ନଟ ହୋଇଥିବା ୩୬୯୫ ସଂକ୍ରମିତଙ୍କ ମଧ୍ୟରୁ ୨୧୩୧ଜଣ ଜିଲ୍ଲାର ଓ ୧୫୬୪ଜଣ ଜିଲ୍ଲା ବାହାର ବ୍ୟକ୍ତି ଅଟନ୍ତି । ଏହାମଧ୍ୟରୁ ୧୭୮୭ଜଣଙ୍କୁ ମଧୁବାବୁ ପେନ୍ସନ ଯୋଜନାରେ ସହାୟତା ପ୍ରଦାନ କରାଯାଉଛି । ୨୦ ବର୍ଷ ମଧ୍ୟରେ ୨୪୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରୁ ୧୪୧ଜଣ ଖୋର୍ଦ୍ଧାର ଓ ୧୦୧ଜଣ ଖୋର୍ଦ୍ଧା ଜିଲ୍ଲା ବାହାରର ରୋଗୀ ଅଟନ୍ତି ।

ସମ୍ବନ୍ଧିତ ଖବର