ଗର୍ଭସ୍ଥ ଶିଶୁଙ୍କୁ ଏଡ୍‌ସ : କମିବା ବଦଳରେ ବଢ଼ୁଛି

୧୦ ବର୍ଷରେ ୮୫୮ ଗର୍ଭବତୀଙ୍କୁ ଏଚ୍‌ଆଇଭି, ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୨୫ ଚିହ୍ନଟ

ଭଂଜନଗର : ଗଞ୍ଜାମ ଜିଲ୍ଲାରେ ଏବେ ବହୁ ଗର୍ଭସ୍ଥ ଶିଶୁ ଏଡ୍‌ସ ଦ୍ୱାରା ଆକ୍ରାନ୍ତ ହୋଇଥିବା ପରିସଂଖ୍ୟାନରୁ ଜଣାପଡ଼ିଛି। ଏହି ସଂଖ୍ୟା ବଢ଼ୁନଥିଲେ ମଧ୍ୟ କ୍ରମାଗତ ଭାବେ ବହୁ ପ୍ରସୂତି ଏବଂ ସେମାନଙ୍କ ଗର୍ଭସ୍ଥ ଶିଶୁ ବି ଏଡ୍‌ସଦ୍ୱାରା ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି।

ସର୍ବଭାରତୀୟ ସ୍ତରରେ ଗଂଜାମ ଜିଲ୍ଲାରେ ସବୁଠୁ ଅଧିକ ଏଡ୍‌ସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଚେତନତା ଓ ଯୋଜନା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତେ ବଢିବାରେ ଲାଗିଛି। ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଗ୍ରାମାଞ୍ଚଳ ମହିଳା ରହିଛନ୍ତି। ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଥିବା ଶ୍ରମିକମାନେ ଏଚ୍‌ଆଇଭିରେ ଆକ୍ରାନ୍ତ ହେବା ପରେ ବି ନିଜେ ସଚେତନ ନହେବାରୁ ଏହି ଦୁରାରୋଗ୍ୟରେ ସେମାନଙ୍କ ପତ୍ନୀ ଭାଗିଦାର ହେଉଛନ୍ତି। ଗର୍ଭାବସ୍ଥାରେ ଶିଶୁ ବି ଏଡ୍‌ସରୁ ବାଦ୍‌ ପଡ଼ୁନାହାନ୍ତି। ଏବେ ଏଡ଼୍‍ସରେ ଆକ୍ରାନ୍ତ ହୋଇଥିବା ଗର୍ଭସ୍ଥ ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ହୋଇପଡ଼ିଛି। ଚଳିତବର୍ଷ ଅଗଷ୍ଟ ମାସରେ ଏହି ସଂଖ୍ୟା ୨୫ରେ ପହଞ୍ଚଥିବାବେଳେ ୧୦ ବର୍ଷ ମଧ୍ୟରେ ମୋଟ ୮୫୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

୨୦୦୮ସୁଦ୍ଧା ୧୯ହଜାର ୯୬୯ଜଣ ଗର୍ଭବତୀଙ୍କର ରକ୍ତ ପରୀକ୍ଷା କରାଯିବା ପରେ ଭୟଙ୍କର ତଥ୍ୟ ପଦାକୁ ଆସିଥିଲା। ପରେ ଏହାକୁ ରୋକିବା ପାଇଁ ସରକାର ଓ ସ୍ୱାସ୍ଥ୍ୟ ବିଭାଗର ପ୍ରୟାସ ବିଫଳ ହୋଇଥିଲା। ୨୦୦୯ମସିହାରେ ୧୦୮,୨୦୧୦ ରେ ୮୦, ୨୦୧୧ରେ ୧୨୧, ୨୦୧୨ ରେ ୧୦୮, ୨୦୧୩ରେ ୭୮, ୨୦୧୪ରେ ୭୮, ୨୦୧୫ରେ ୪୫, ୨୦୧୬ରେ ୫୧, ୨୦୧୭ରେ ୪୭ ଓ ୨୦୧୮(ଅଗଷ୍ଟ ୧୫) ପଯ୍ୟର୍ନ୍ତ ୨୫ ଜଣ ଗର୍ଭବତୀ ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏବେ ହରଡ଼ଘଣାରେ ପଡ଼ିଯାଇଛି।

ସମ୍ବନ୍ଧିତ ଖବର