ୟୁଜି ଓ ପିଜି ପରୀକ୍ଷା ବାତିଲ୍‌କୁ ଏଆଇଡିଏସ୍‌ଓର ବିରୋଧ

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ପିଜି(ସ୍ନାତକୋତ୍ତର) ଓ ମହାବିଦ୍ୟାଳୟର ୟୁଜି(ସ୍ନାତକ) ପାଠ୍ୟକ୍ରମର ଶେଷ ସେମିଷ୍ଟର୍‌ ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିସହ ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ପାଠ୍ୟକ୍ରମର ଫଳ ପ୍ରକାଶ କରିବା ପାଇଁ ଘୋଷଣା କରାଯାଇଛି। ତେବେ ରାଜ୍ୟ ସରକାର ଯେଉଁଭଳି ମନମୁଖି, ଅଗାଣତାନ୍ତ୍ରିକ ଭାବେ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି, ତାହା ଠିକ୍‌ ନୁହେଁ। ନିଷ୍ପତ୍ତି ନେବା ପୂର୍ବରୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯିବାର ଆବଶ୍ୟକତା ଥିଲା ବୋଲି ଏଆଇଡିଏସ୍‌ଓର ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ କୁହାଯାଇଛି।

ସଙ୍ଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସୁବାସ ନାୟକ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ କରୋନା ମହାମାରୀ ଜନିତ ଲକ୍‌ଡାଉନ୍ ଯୋଗୁଁ ବର୍ତ୍ତମାନ ଲକ୍ଷାଧିକ ଛାତ୍ରଛାତ୍ରୀ ନିଜ ଭବିଷ୍ୟତକୁ ନେଇ ମାନସିକ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରୁଛନ୍ତି। ଏପରି ଏକ ଗମ୍ଭୀର ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସମସ୍ତ ଫି’ ଛାଡ଼ କରିବା ତଥା ପାଠ୍ୟପୁସ୍ତକ ଓ ପାଠ୍ୟୋପକରଣ ଯୋଗାଇ ଦେଇ ଶିକ୍ଷା କ୍ଷେତ୍ରରେ ଉତ୍ସାହିତ କରିବା ପରିବର୍ତ୍ତେ ସରକାର ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଦେବା ପାଇଁ ଷଡ଼୍‌ଯନ୍ତ୍ର କରୁଛନ୍ତି। ତେଣୁ ଶିକ୍ଷାର ଭବିଷ୍ୟତକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷାର ସ୍ବତନ୍ତ୍ର ଓ ଗାଣତାନ୍ତ୍ରୀକରଣ ବଜାୟ ରଖିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର