୧୮ରେ ଏମ୍‌ସ ଓ ନାଇଜର୍‌ ପ୍ରବେଶିକା ପରୀକ୍ଷାଫଳ

ଭୁବନେଶ୍ୱର : ଭୁବନେଶ୍ୱର ସମେତ ଦେଶରେ ଥିବା ସମସ୍ତ ଏମ୍‌ସରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଫଳ ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇପାରେ। ଏହି ଦିନ ସନ୍ଧ୍ୟା ୬ଟାରେ ‘aiimsexams.org’ରେ ପରୀକ୍ଷା ଫଳ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ଗତ ମେ’ ୨୬ ଓ ୨୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରବେଶିକା ପରୀକ୍ଷାରେ ଦେଶର ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଗତବର୍ଷ ୪ ହଜାର ୯୦୫ ଜଣ ଏହି ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବାରୁ ଏଥର ମଧ୍ୟ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସେହିପରି ଭୁବନେଶ୍ୱର ନାଇଜର ସମେତ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଥିବା ୟୁଏମ୍‌-ଡିଏଇ ସିଇବିଏସ୍‌ରେ ନାମ ଲେଖା ପାଇଁ ଅନୁଷ୍ଠିତ ନାଇଜର ପ୍ରବେଶିକା ପରୀକ୍ଷା(ନେଷ୍ଟ) ଫଳ ମଧ୍ୟ ୧୮ ତାରିଖରେ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରେ ନେଷ୍ଟ ଫଳ ‘www.nestexam.in’ରେ ଉପଲବ୍ଧ ହେବ। ଏଥିରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ କେବଳ ଉକ୍ତ ଦୁଇଟି ଶିକ୍ଷାନୁଷ୍ଠାନରେ ଥିବା ସିଟ୍‌ରେ ନାମ ଲେଖାଇପାରିବେ। ଗତ ୨ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର