ଦେଶର ଶ୍ରେଷ୍ଠ ୨୫ ମେଡିକାଲ କଲେଜ ମଧ୍ୟରେ ଏମ୍ସ ଭୁବନେଶ୍ବର

ଭୁବନେଶ୍ବର : ଦେଶର ଶ୍ରେଷ୍ଠ ୨୫ ମେଡିକାଲ କଳେଜ ମଧ୍ୟରେ ସ୍ଥାନ ପାଇଛି ଏମ୍ସ ଭୁବନେଶ୍ବର। ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନୂତନ ଏମ୍ସ ଗୁଡ଼ିକମଧ୍ୟରେ ଏମ୍ସ ଯୋଧପୁର(୨୩ତମ ସ୍ଥାନ) ବ୍ୟତୀତ ଭୋପାଲ, ପାଟନା, ରାୟପୁର, ଋଷିକେଶ ଆଦି ଏମ୍ସ ତୁଳନାରେ ଭୁବନେଶ୍ବର ଭଲ ପ୍ରଦର୍ଶନ କରି ୨୫ତମ ସ୍ଥାନ ହାସଲ କରିଛି। ଆଗାମୀ ବର୍ଷ ବେଳକୁ ଶ୍ରେଷ୍ଠ ୨୦ ଭିତରେ ଭୁବନେଶ୍ବର ଆସିଯିବ ବୋଲି ଆଶା କରାଯାଉଛି।

ଚଳିତ ବର୍ଷ ମଧ୍ୟ ଏମ୍ସ ଦିଲ୍ଲୀ ୧ ନମ୍ବର ସ୍ଥାନରେ ରହିଛି। ଏହା ବ୍ୟତୀତ ଏଏଫ୍‌ଏମ୍‌ସି ପୁଣେ ଦ୍ବିତୀୟ, ମୌଲାନା ଆଜାଦ ମେଡିକାଲ କଲେଜ ନୂଆଦିଲ୍ଲୀ ତୃତୀୟ, ଜିପ୍‌ମାର୍‌ ପୁଡୁଚେରି ଚତୁର୍ଥ, ଆଇଏମ୍‌ଏସ୍‌ ବିଏଚ୍‌ୟୁ ପଞ୍ଚମ, ଲକ୍ଷ୍ନୌ ସ୍ଥିତ କିଙ୍ଗ ଜର୍ଜ ମେଡିକାଲ ବିଶ୍ବବିଦ୍ୟାଳୟ ଷଷ୍ଠ, ନୂଆଦିଲ୍ଲୀ ସ୍ଥିତ ବର୍ଧମାନ ମହାବୀର ମେଡିକାଲ କଲେଜ, ନୂଆଦିଲ୍ଲୀ ସ୍ଥିତ ଲେଡି ହାର୍ଡିଂ ମେଡିକାଲ କଲେଜ ଅଷ୍ଟମ, ନୂଆଦିଲ୍ଲୀ ସ୍ଥିତ ୟୁନିର୍ଭରସିଟି କଲେଜ ଅଫ ମେଡିକାଲ ସାଇନ୍ସ ନବମ ଏବଂ ମୁମ୍ବାଇ ସ୍ଥିତ ଗ୍ରାଣ୍ଟ ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ ଦଶମ ସ୍ଥାନ ପାଇଥିବା ଜଣାପଡ଼ିଛି।

ପ୍ରଥମ ଥର ପାଇଁ ପ୍ରତିଷ୍ଠାନକୁ ମିଳିଥିବା ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ଏମ୍ସ ଭୁବନେଶ୍ବରର ଡିନ୍‌ ଡ.ଦେବାଶିଷ ହୋତା। ସେ କହିଛନ୍ତି ଯେ ରୋଗୀ ସେବା, ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ଓ ଗବେଷଣା ଆଦି ୩ଟି ପ୍ରମୁଖ କାରଣ ଯୋଗୁଁ ଏମ୍ସ ଭୁବନେଶ୍ବର ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ହୋଇ ପାରିଛି। ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଡାକ୍ତରଖାନାର ଓପିଡି ବନ୍ଦ କରାଯାଇଛି। ଏହା ସତ୍ତ୍ବେ ଏକ ବର୍ଷ ମଧ୍ୟରେ ଏମ୍ସକୁ ପ୍ରାୟ ଏକ ଲକ୍ଷ ରୋଗୀ ଆସିଛନ୍ତି। ଗୋଟିଏ-ଗୋଟିଏ ଦିନରେ ରୋଗୀ ସଂଖ୍ୟା ୪ ହଜାରକୁ ବି ଟପିଛି। ପ୍ରାୟ ୩୫୦୦ ବଡ଼ଧରଣର ଅସ୍ତ୍ରୋପଚାରକୁ ମିଶାଇ ବର୍ଷକୁ ୫ ହଜାର ଅସ୍ତ୍ରୋପଚାର ହୋଇଛି। ଏଥିରେ ଅର୍ଥୋପେଡିକ୍ସ ବିଭାଗର ଭୂମିକା ଉଲ୍ଲେଖନୀୟ ରହିଛି। ଦୁଇ ପଟର ଆଣ୍ଠୁ ଏବଂ ଜଂଘର ରିପ୍ଲେସମେଣ୍ଟ ପାଇଁ ହେଉଥିବା ଅସ୍ତ୍ରୋପଚାରରେ ସମଗ୍ର ପୂର୍ବ ଭାରତର ସମସ୍ତ ଡାକ୍ତରଖାନା ମଧ୍ୟରୁ ଏମ୍ସ ଭୁବନେଶ୍ବରର ଚିକିତ୍ସା ସର୍ବୋକୃଷ୍ଟ। ଅନ୍ୟ ସ୍ଥାନରେ ଏହି ଅସ୍ତ୍ରୋପଚାର ୨ ଥରରେ କରାଯାଏ। ମାତ୍ର ଏମ୍ସ ଭୁନେଶ୍ବରରେ ଥରେ ନିଶ୍ଚେତକ ଦେବା ପରେ ମାତ୍ର ୯୦ ମିନିଟରେ ଏଭଳି ଅସ୍ତ୍ରୋପଚାର କରାଯାଇ ପାରୁଛି। ୨ ଘଣ୍ଟା ମଧ୍ୟରେ ରୋଗୀ ଥରେ ଓଟିକୁ ପଶି ବାହାରି ଯାଇ ପାରୁଛନ୍ତି।

ଏଠାରେ କର୍କଟ ବିଭାଗ ଅସ୍ତ୍ରୋପଚାର ମଧ୍ୟ ଅନ୍ୟ ସମସ୍ତ ଡାକ୍ତରଖାନାଠାରୁ ଭଲ ରହିଛି। ଏହାଛଡ଼ା ଟ୍ରମା ଆଣ୍ଡ ଏମାରଜେନ୍ସି, ଏକମାତ୍ର ଡାକ୍ତରଙ୍କ ଭରସାରେ ଚାଲିଥିବା ନେଫ୍ରୋଲୋଜି, ସ୍ତ୍ରୀ-ପ୍ରସୂତି ବିଭାଗର ଭୂମିକା ଉଲ୍ଲେଖନୀୟ ବୋଲି କୁହାଯାଇଛି। ଶ୍ରେଷ୍ଠ ୨୫ ମଧ୍ୟରେ ଆସିବା ପଛରେ ଏମ୍ସ ଭୁବନେଶ୍ବର ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ମୁଖ୍ୟ କାରଣ ବୋଲି ଡିନ୍‌ କହିଛନ୍ତି। ସର୍ବଭାରତୀୟ ପରୀକ୍ଷାରେ ଚାରି ବର୍ଷ ହେଲା ଲଗାତାର ଏମ୍ସ ଭୁବନେଶ୍ବରର ବିଦ୍ୟାର୍ଥୀ ଶ୍ରେଷ୍ଠ ଦଶ ମଧ୍ୟରେ ରହି ଆସୁଛନ୍ତି। ଏମ୍ସ ଦିଲ୍ଲୀ, ନିମ୍‌ହାନ୍‌ସ, ପିଜିଆଇ ଚଣ୍ଡିଗଡ଼ର ବିଦ୍ୟାର୍ଥୀଙ୍କୁ ଟକ୍କର ଦେଇ ପାରୁଛନ୍ତି। ୪ ବର୍ଷ ହେଲା ସ୍ନାତକୋତ୍ତର ସମାପ୍ତ କରିଥିବା ବିଦ୍ୟାର୍ଥୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଜାତୀୟ ସ୍ତରରେ ଭଲ ପ୍ରତିଷ୍ଠାନକୁ ଯାଇଛନ୍ତି। ଗବେଷଣା କ୍ଷେତ୍ରରେ ପୂର୍ବରୁ ଏମ୍ସର କାର୍ଯ୍ୟ ଏତେ ଉଲ୍ଲେଖନୀୟ ନ ଥିଲା। ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହୋଇ ଦେଢ଼ ବର୍ଷ ହେଲା କୋଭିଡ, ମଧୁମେହ, ଶିଶୁ ରୋଗ, ଅସ୍ଥିଶଲ୍ୟ ବିଭାଗରେ ଗବେଷଣା କରାଯାଇଛି। ଏମ୍ସ ଦିଲ୍ଲୀ ଭଳି ସ୍ତରକୁ ଯିବା ପାଇଁ ଆହୁରି ଅନେକ ବାଟ ରହିଛି। ଏମ୍ସ ଭୁବନେଶ୍ବରର ଆଉ ଏକ ସକାରାତ୍ମକ ଦିଗ ହେଲା, ଅନ୍ୟ ଡାକ୍ତରଖାନା ଅପେକ୍ଷା ଏଠାରେ ଡାକ୍ତର, ପ୍ରତିଷ୍ଠାନଙ୍କ ବିରୋଧରେ ସର୍ବନିମ୍ନ ମାମଲା ରହିଛି। ପାରିପାର୍ଶ୍ବିକ ପରିବେଶ, ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଭଲ। ଅନ୍ୟ ସ୍ଥାନ ଅପେକ୍ଷା ଏଠାରେ ଡାକ୍ତର ବେଶି ସୁରକ୍ଷିତ। ଏହା ମଧ୍ୟ ଭଲ ସ୍ଥାନ ମିଳିବାର ଅନ୍ୟ ଏକ କାରଣ ବୋଲି ଡିନ୍‌ ଡ. ହୋତା କହିଛନ୍ତି।

ଡାକ୍ତର ଅଭାବ, ଗବେଷଣା ପାଇଁ ପ୍ରୋତ୍ସାହନ ଆବଶ୍ୟକ
ପ୍ରତିଷ୍ଠା ହେବା ପରଠାରୁ ପ୍ରଥମ ଥର ପାଇଁ ଏମ୍ସ ଭୁବନେଶ୍ବରକୁ ଏହି ମର୍ଯ୍ୟାଦା ମିଳିଛି। ତେବେ ସୁପରସ୍ପେସାଲିଟି ବିଭାଗରେ ଏଠାରେ ଅନେକ ଡାକ୍ତର ପଦ ଖାଲି ପଡ଼ି ନ ଥିଲେ ଏହା ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତା ବୋଲି ବିଚାର କରାଯାଉଛି। ଏବେ ଘରେ ଘରେ ମଧୁମେହ ରୋଗୀ ଘରେ ଚିହ୍ନଟ ହେଉଥିବାବେଳେ ଏହାର ଚିକିତ୍ସା କରୁଥିବା ଣ୍ଡୋକ୍ରାଇନୋଲୋଜି ବିଭାଗର ମାତ୍ର ଜଣେ ମ‌ାତ୍ର ବିଶେଷଜ୍ଞଙ୍କ ଭରସାରେ ଚାଲିଛି। ନେଫ୍ରୋଲୋଜି ଭଳି ବିଭାଗରେ ଯେଉଁଠି ଅନେକ ସଂଖ୍ୟାରେ ରୋଗୀ ଆସନ୍ତି, ନିୟମିତ ଡାଏଲିସିସ୍‌ ହୁଏ, ଏଠାରେ ମଧ୍ୟ କେବଳ ଜଣେ ଡାକ୍ତର ଅଛନ୍ତି। ଯେଉଁ ବିଭାଗରେ କେବଳ ଜଣେ ଲେଖାଏଁ ଫେକଲଟି ରହିବେ ସେଠାରେ ପାଠପଢା ଓ ଗବେଷଣା କିଭଳି ହେଉଥିବ, ତାହା ସହଜରେ ଅନୁମାନ କରାଯାଇପାରେ। ‌ସେହିପରି ୟୁରୋଲୋଜିରେ କେବଳ ୨ ଜଣ ରେଗୁଲାର ଫେକଲଟି, ଗୁରୁତ୍ବପୂର୍ଣ୍ଣ ହୃଦରୋଗ ବିଭାଗରେ ୩ ଜଣ, ପେଡିଆଟ୍ରିକ ସର୍ଜରିରେ ୪ ଜଣ, ନ୍ୟୁରୋସର୍ଜରିରେ ୩ ଜଣ, ପ୍ଲାଷ୍ଟିକ ସର୍ଜରିରେ ୨ ଜଣ ରେଗୁଲାର ଫେକଲଟି ଅଛନ୍ତି। ଓଡ଼ିଶାର ଅନେକ ଡାକ୍ତର ବାହାରେ ଚାକିରି କରିବାକୁ ଚାହୁଁଥିବାରୁ ଏଠାରେ ଡାକ୍ତର ଅଭାବ ରହୁଥିବା କୁହାଯାଉଛି। ଗବେଷଣା ପାଇଁ ଏଠାରେ ଆବଶ୍ୟକ ମେସିନ କିଣାଯାଇଥିଲେ ମଧ୍ୟ ମହାମାରୀ ଯୋଗୁଁ ଆସି ପାରୁନାହିଁ। ସରକାରୀ ଅନୁଦାନ ମଧ୍ୟ କମ୍‌ ରହିଛି।

ସମ୍ବନ୍ଧିତ ଖବର