ରାଜନୀତି ଚକ୍ରବ୍ୟୂହରେ ଏମ୍‌ସ

ପ୍ରଥମ ସମାବର୍ତନ ଉତ୍ସବରେ ରାଜନୀତିର ଗନ୍ଧ, ଜୁଏଲଙ୍କୁ ଡକାଗଲାନି, ପ୍ରତାପଙ୍କୁ ହେୟଜ୍ଞାନ

ଭୁବନେଶ୍ୱର : ଦୁଇ ଦିନ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ସର୍ବଧର୍ମ ସମନ୍ଵୟ ସଭା ଅନୁଷ୍ଠିତ ହୋଇଥିଲା। ଏକାଠି ହୋଇଥିଲେ ସବୁ ପ୍ରମୁଖ ରାଜନୈତିକ ଦଳର ନେତା। ଶାସକ-ବିରୋଧୀଙ୍କ ଏଭଳି ଯୋଗଦାନ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଏହାର ଗୋଟିଏ ଦିନ ପରେ ନେତାମାନେ ସେମାନଙ୍କ ନିଜ ନିଜ ଚରିତ୍ରକୁ ଫେରି ଆସିଛନ୍ତି। ସେ ପୁଣି ଆଉ କେଉଁଠାରେ ନୁହେଁ, ବାଜପେୟୀଙ୍କ ସମୟରେ ଶୁଭାରମ୍ଭ ହୋଇଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍‌ସ, ଭୁବନେଶ୍ୱରର ପ୍ରଥମ ସମାବର୍ତନ ଉତ୍ସବ କାର୍ଯ୍ୟକ୍ରମରେ।

କର୍ତ୍ତୃପକ୍ଷଙ୍କୁ ଗୋଟି କରି କ୍ଷମତା, କର୍ତ୍ତୃତ୍ୱ ଓ ଅହଂକାରର ଖେଳ ଖେଳାଯାଇଛି। ଖୋଦ୍‌ ମୁଖ୍ୟଅତିଥି ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଅସନ୍ତୋଷ ପ୍ରକାଶ କରିବା ପରେ ବି କର୍ତ୍ତୃପକ୍ଷ ଅତିଥି ତାଲିକାକୁ ଏପଟ ସେପଟ କଲେ ସିନା, ପ୍ରଥମ ସମାବର୍ତନ ଉତ୍ସବ କିନ୍ତୁ ରାଜନେତାଙ୍କ ଚକ୍ରବ୍ୟୂହରୁ ମୁକୁଳି ପାରିଲା ନାହିଁ। କାର୍ଯ୍ୟକ୍ରମର ଅଳ୍ପ କେଇ ମୁହୂର୍ତ ପୂର୍ବରୁ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍‌ସର ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ। କେତେ ସମୟ ଭାଷଣ ଦେବେ, ସେ ପାଇଁ ସମୟର କଣ୍ଟ ରହିଲା। ବାଲେଶ୍ୱର ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ଉତ୍ସବକୁ ତାଙ୍କୁ ଡକାଗଲାନାହିଁ। ଏମ୍‌ସ କାର୍ଯ୍ୟାଳୟରେ ଶିଳାନ୍ୟାସ ଫଳକରେ ଶ୍ରୀ ଜେନାଙ୍କ ନାଁ ରହିଲା ନାହିଁ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସ୍ଥାନ ମିଳିଲା ନାହିଁ।

ଅନ୍ୟପଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଉତ୍ସବକୁ ଅତିଥି କରି ଡକାଗଲା। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ କିନ୍ତୁ ଡକାଗଲା ନାହିଁ। ଏମ୍‌ସ ଶୁଭ ଦିଆଯିବା ବେଳେ ସେ ମଞ୍ଚ ଉପରେ ଥିଲେ। ତାଙ୍କରି ଉପସ୍ଥିତିରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ସେତେବେଳେ ଏହି ପ୍ରସ୍ତାବକୁ ମୋହର ଲାଗିଥିଲା। ଏମ୍‌ସ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ତଥ୍ୟାଭିଜ୍ଞ ମହଲ ଏହାକୁ ନାପସନ୍ଦ କରିଛନ୍ତି। ଖୋଦ୍‌ ବିଜେପି ନେତା ଏମ୍‌ସ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିରେ ତାଜୁବ୍‌। ବିଜେଡି ବି ବିସ୍ମିତ, କ୍ଷୁବ୍ଧ।
ବିଜେଡି-ବିଜେପି ମେଣ୍ଟରେ ଥିବା ବେଳେ ଓଡ଼ିଶାକୁ ଆସିଥିଲା ଏମ୍‌ସ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀ ଏହାର ଶୁଭ ଦେଇଥିଲେ। ଓଡ଼ିଶା ଭଳି ରାଜ୍ୟ ପାଇଁ ଏଭଳି ଏକ ଜାତୀୟସ୍ତରର ପ୍ରତିଷ୍ଠାନର ଚାହିଦା କାହିଁରେ କେତେ। ହେଲେ ଏହି ସଂସ୍ଥାଟି ଆରମ୍ଭରୁ ନିଜର ଗରିମା ନେଇ ପ୍ରତିଷ୍ଠିତ ହେବା ବଦଳରେ ଏକାଧିକ ପ୍ରସଙ୍ଗକୁ ନେଇ ବିବାଦ ଭିତରେ ଛନ୍ଦି ହେବାକୁ ଲାଗିଛି।

ପ୍ରଥମ ସମାବର୍ତନ ଉତ୍ସବରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡକାଯାଇଥିଲା ଏବଂ ଅଗଷ୍ଟ ୧୬ରେ ଉପରାଷ୍ଟ୍ରପତିଙ୍କ ଏମ୍‌ସ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ପରେ କିନ୍ତୁ ଏହାକୁ ୨୫ ତାରିଖକୁ ଘୁଞ୍ଚାଇ ଦିଆଗଲା। ଯେହେତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଜାତୀୟ ଶୋକ ଘୋଷଣା ହୋଇଥିଲା ଓ ୭ଦିନ କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିଆଯାଇନଥିଲା, ଏଣୁ ସରକାରୀ କାର୍ଯ୍ୟକ୍ରମରେ ଛନ୍ଦି ହୋଇଯାଇଥିଲେ ମୁଖ୍ୟମନ୍ତ୍ରୀ। ଏଣୁ ପରିବର୍ତିତ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିଥିଲେ। ପରେ ଉଭୟ କେନ୍ଦ୍ର ସରକାର ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଅନ୍ୟ କୌଣସି ମନ୍ତ୍ରୀଙ୍କ ଯୋଗଦାନ ପାଇଁ ଆଗ୍ରହ ଦେଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାମ ସୁପାରିସ କରାଯାଇଥିଲା ଓ ଏହାକୁ ନେଇ ସମ୍ମତି ପ୍ରକାଶ ପାଇଥିଲା। ହେଲେ ତାଲିକାରେ ସିନା ନାମ ଯୋ଼ଡାଗଲା, କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଦେବା ଲାଗି ସମୟ ରଖିଲେ ନାହିଁ କର୍ତ୍ତୃପକ୍ଷ। ଏହା ଉପରେ ରାଜ୍ୟ ସରକାର ଆପତ୍ତି ଉଠାଇବା ପରେ ବିବାଦ ଜୋର ଧରିଲା। ଶେଷରେ ପ୍ରସଙ୍ଗଟି ଉପରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଗଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଉପରାଷ୍ଟ୍ରପତି ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ବାଧ୍ୟହୋଇ କର୍ତ୍ତୃପକ୍ଷ ଶ୍ରୀ ଜେନାଙ୍କୁ ଭାଷଣ ପାଇଁ ସମୟ ଦିଆଗଲା। ହେଲେ ଅନ୍ୟମାନେ ଢେର୍‌ ସମୟ ଯାଏ ବକ୍ତବ୍ୟ ରଖିଲେ, ଅଥଚ ଶ୍ରୀ ଜେନାଙ୍କୁ ଦୁଇ ତିନି ମିନିଟ୍‌ ସୁଯୋଗ ମିଳିଲା।

ଅନ୍ୟପଟରେ କେନ୍ଦ୍ର ସରକାରଙ୍କର ମନ୍ତ୍ରିମଣ୍ଡଳରେ ଦୁଇ ଜଣ ଓ଼ଡ଼ିଆ ମନ୍ତ୍ରୀ ଅଛନ୍ତି। ଜଣେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଯିଏ କି ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି। ଅନ୍ୟଜଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ଉଭୟ କ୍ୟାବିନେଟ୍‌ ପାହ୍ୟାର। ବ୍ୟବସ୍ଥା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାନ ଉତ୍ସବରେ ପ୍ରଥମେ ଜୁଏଲ ଓରାମଙ୍କୁ ଆମନ୍ତ୍ରଣ କରାଯିବା ବିଧେୟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯିବା ମଧ୍ୟ ଏକ ସୁସ୍ଥ ଲକ୍ଷଣ। ମାତ୍ର କାହିଁକି କେଜାଣି ଏହି ଉତ୍ସବକୁ ଶ୍ରୀ ଓରାମଙ୍କୁ ଏମ୍‌ସ କର୍ତ୍ତୃପକ୍ଷ ଅତିଥି କରିବାକୁ ଗୁରୁତ୍ୱ ମଣିଲେ ନାହିଁ। ଶ୍ରୀ ଓରାମ ଗତକାଲି ଉପରାଷ୍ଟ୍ରପତିଙ୍କୁ ପାଛୋଟି ଆଣିବାକୁ ବିମାନ ବନ୍ଦର ଯାଇଥିଲେ ଓ ରାଜଭବନରେ ପ୍ରାତଃ ଭୋଜନରେ ମଧ୍ୟ ଉପସ୍ଥିତ ଥିଲେ।

ଏହାକୁ ନେଇ ରାଜ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ଓରାମଙ୍କୁ ମଧ୍ୟ ଏହା ଯଥେଷ୍ଟ ଆଘାତ ଦେଇଛି। ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି, ଏସବୁ ଘଟଣା ବାରମ୍ବାର ଘଟୁଛି ଓ ରାଜ୍ୟ ବିଜେପି ପୁରୁଣା ବିଜେପି ଓ ନୂଆ ବିଜେପି ଏମିତି ଦୁଇ ଭାଗରେ ବିଭକ୍ତ ହେବା ସ୍ଥିତିକୁ ଆସିଲାଣି।

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ସଭାକୁ ମଧ୍ୟ ଡକାଯାଇନଥିଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କିମ୍ବା ସ୍ଥାନୀୟ ବିଧାୟକମାନଙ୍କୁ। ହେଲେ ଏହି ସଭାରେ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କ ମନ୍ତବ୍ୟ (ପେଟ୍ରୋଲ ସଂପର୍କରେ କୁହ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରଗାଇ ଦେଇଥିଲା। ମନ୍ତ୍ରୀ ସରକାରଙ୍କୁ କେବଳ ସମାଲୋଚନା କରିଥିଲେ ତା ନୁହେଁ, ଏତେ କ୍ଷୁବ୍ଧ ହୋଇଯାଇଥିଲେ ଯେ, ସେ ନିଜ ଭାଷଣରେ ‘ମୁଁ ନରେନ୍ଦ୍ର ମୋଦୀଙ୍କ ହନୁମାନ। ମୋ ଲାଙ୍ଗୁଡ଼ରେ ନିଆଁ ଲଗାଅନି। ନହେଲେ ଫଳ ଭୋଗିବ’ ବୋଲି କହିବାକୁ ପଛାଇ ନଥିଲେ। ମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟକୁ କେହି ଗ୍ରହଣ କରିପାରିନାହାନ୍ତି।

ସମ୍ବନ୍ଧିତ ଖବର