ଭୁବନେଶ୍ବର: ଏମ୍‌ସ ଭୁବନେଶ୍ୱରରେ ଚଳିତ ମାସ ୭(ସୋମବାର)ଠାରୁ ପୁନର୍ବାର ଓପିଡି ସେବା ଆରମ୍ଭ ହେବ। କୋଭିଡ୍‌ ସ୍ଥିତିରେ ଆସିଥିବା ସୁଧାରକୁ ଅନୁଶୀଳନ କରିବା ସହିତ ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଏମ୍‌ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ପ୍ରଫେସର ଡକ୍ଟର ଏସ୍‌ ଏନ୍ ମହାନ୍ତି ପ୍ରକାଶ କରିଛନ୍ତି। ଏନେଇ ଅନୁଷ୍ଠାନର କୋଭିଡ୍‌ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ଧୀରେ ଧୀରେ ହ୍ରାସ ପାଉଥିବା କୋଭିଡ୍‌ ମହାମାରୀର ପ୍ରଭାବ ଉପରେ ଆଲୋଚନା ହୋଇ ଓପିଡି ସେବାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସମସ୍ତ ବିଭାଗଗୁଡ଼ିକ କୋଭିଡ୍‌ ପ୍ରତିଷେଧକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ରହିଥିବା କାର୍ଯ୍ୟସୂଚୀ ଅନୁସାରେ ସୋମବାରଠାରୁ ଦୈନିକ ଓପିଡି କାର୍ଯ୍ୟକାରୀ ହେବ। ନୂତନ ଆଡମିଶନ ମାମଲା (ସସ୍ପେକ୍ଟ୍‌)ଙ୍କ ପାଇଁ ପ୍ରତ୍ୟେକ ୱାର୍ଡରେ ୪ରୁ ୫ ଲେଖାଏଁ ଶଯ୍ୟା ମହଜୁଦ୍‌ ରଖିବାକୁ ସମସ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ରୋଗୀମାନଙ୍କର ନିୟମିତ ଯାଞ୍ଚ୍‌ ଆଦି ସେବା ନିମନ୍ତେ “ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ଏବଂ ଟେଲିମେଡିସିନ୍‌” ବ୍ୟବସ୍ଥା ଜାରି ରହିବ ବୋଲି ଅଧୀକ୍ଷକ ଡ. ମହାନ୍ତି ସୂଚନା ଦେଇଛନ୍ତି। ସମସ୍ତ ଆଇପିଡି ଆଡମିଶନ ଏବଂ ଓଟି ଗୁଡିକ ପୂର୍ବ ପରି କାର୍ଯ୍ୟ କରିବ। କୋଭିଡ୍‌ ପ୍ରସୂତୀ କକ୍ଷ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଡ. ମହାନ୍ତି କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟଯେ କୋଭିଡ୍‌ ସ୍ଥିତିରେ ହଠାତ୍ ବୃଦ୍ଧି ହେତୁ ଜାନୁୟାରୀ ୧୭ରୁ ଏମ୍‌ସ ଭୁବନେଶ୍ୱରରେ ସମସ୍ତ ଓପିଡି ସେବାକୁ ସାମୟିକ ସମୟ ପାଇଁ ବନ୍ଦ କରିଦିଆଯାଇଥିଲା। ଟେଲିମେଡିସିନ୍ ଏବଂ ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ଉପରୋକ୍ତ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଇଛି। ଯେଉଁମାନେ ଶାରୀରିକ ପରାମର୍ଶ ଆବଶ୍ୟକ କରନ୍ତି ସେମାନଙ୍କୁ ଓପିଡିକୁ ଡକାଯାଇଛି। ଆବଶ୍ୟକ କ୍ଷେତ୍ରରେ ସେମାନଙ୍କୁ ଚିକିତ୍ସା ପାଇଁ ଇନ୍‌ଡୋର ସୁବିଧାରେ ଭର୍ତ୍ତି କରାଯାଇଥିବା ମେଡିକାଲ ଅଧୀକ୍ଷକ ଡ. ଏସ୍‌ ଏନ୍‌ ମହାନ୍ତି ସୂଚନା ଦେଇଛନ୍ତି। ଡାକ୍ତରଖାନା ବନ୍ଦ ହେବା ସତ୍ତ୍ବେ ଏମ୍‌ସରେ ପୂର୍ବଭଳି ରେଡିଓଥେରାପି, କେମୋଥେରାପି, ଡାୟଲିସିସ୍‌, ଜରୁରୀକାଳୀନ ଅସ୍ତ୍ରୋପଚାର ଆଦି କରାଯାଇଛି। ସେହିପରି ପିଏସି ଏବଂ ପେନ୍‌ କ୍ଲିନିକରେ ରୋଗୀ‌ ସେବା, ଡାୟଲିସିସ୍, କେମୋଥେରାପି, ରେଡିଓଥେରାପି, କୋଭିଡ୍‌ ଟୀକାକରଣ, ପ୍ରତିରୋପଣ ଏବଂ ରୋଗୀ ସେବା ମଧ୍ୟ ପୂର୍ବଭଳି କରାଯାଇଛି। ସେହିଭଳି ଏମ୍‌ସରେ କୋଭିଡ ରୋଗୀଙ୍କୁ ମଧ୍ୟ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି।