ଅସୁରକ୍ଷିତ ଏମ୍‌ସ ବିଲ୍‌ଡିଂ! : କାନ୍ଥ ଦବିଥିଲା, ଏବେ ସିଲିଂ ଖସୁଛି

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସ ବିଲ୍‌ଡିଂର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଲାଣି। କାଜୁଆଲିଟି ବିଭାଗର କାନ୍ଥ ଦବିବା ଭୟ ଲୋକଙ୍କ ମନରୁ ନ ଯାଉଣୁ, ଏବେ ଆଉଟ୍‌ଡୋର୍‌ର(ଟିକେଟ୍‌ କାଉଣ୍ଟର୍‌) ସିଲିଂ ଖସି ପଡ଼ିଛି। ଫଳରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏମ୍‌ସ କର୍ତୃପକ୍ଷ ବିଲ୍‌ଡିଂ ନିରାପଦ ବୋଲି କହୁଥିଲେ ହେଁ ଗୋଟିଏ ପରେ ଗୋଟିଏ ଅଘଟଣ ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିପାରୁ ନଥିବା ସ୍ପଷ୍ଟ ହୋଇଛି।

ସବୁଦିନ ଭଳି ଶୁକ୍ରବାର ସକାଳେ ଟିକେଟ୍‌ କାଉଣ୍ଟର୍‌ରେ ପ୍ରବଳ ଭିଡ଼ ଲାଗି ରହିଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ଟିକେଟ୍‌ କରିବା ପାଇଁ ଲମ୍ବା ଲାଇନ୍‌ରେ ଅପେକ୍ଷା କରିଥିଲେ। ଏତିକିବେଳେ ହଠାତ୍‌ ଛାତ ସିଲିଂର ଏକ ବଡ଼ ଅଂଶ ଖସି ପଡ଼ିିଥିଲା। ସୌଭାଗ୍ୟକୁ ଠିକ୍‌ ସେହି ସ୍ଥାନରେ କେହି ଠିଆ ହୋଇ ନଥିଲେ। ତେଣୁ ଏଥିରେ କାହାର କିଛି କ୍ଷତି ହୋଇ ନଥିଲା। ମାତ୍ର ସିଲିଂ ଖସିବା ଜାରି ରହିବା ଭୟରେ ଲାଇନ୍‌ରେ ଅପେକ୍ଷା କରିଥିବା ଲୋକେ ଅତଙ୍କିତ ହୋଇ ପଡ଼ିଥିଲେ। ଏମିତିକି ଅନେକ ଲୋକ ଲାଇନ୍‌ରୁ ବାହାରି କାଉଣ୍ଟର୍‌ ବାହାରକୁ ପଳାଇ ଯାଇଥିଲେ। କିଛିି ସମୟ ପର୍ଯ୍ୟନ୍ତ ସେଠାରେ ଭୟର ବାତାବରଣ ଖେଳି ଯାଇଥିଲା। ଖବର ପାଇ ଏମ୍‌ସର କିଛି ବରିଷ୍ଠ ଡାକ୍ତର ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପରେ ନିର୍ଦେଶିକା ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସିଲିଂ ଛିଡ଼ିଥିବା ସ୍ଥାନକୁ ତନଖି କରିବା ପାଇଁ ଟେକ୍‌ନିସିଆନ୍‌ଙ୍କୁ ଡକାଯାଇଥିଲା। ଯାଞ୍ଚ ପରେ ଜଣାଯାଇଥିଲା ଯେ ସିଲିଂ ହୋଇଥିବା ଗୋଟିଏ ଅଂଶର ନଟ୍‌ ବୋଲ୍‌ଟ
ଖସି ଯିବାରୁ ସେହି ଅଂଶ ତଳକୁ ଖସି ପଡ଼ିଛିି। ବାକି ଅନ୍ୟ ସମସ୍ତ ଅଂଶ ଠିକ୍‌ଠାକ୍‌ ଥିଲା। ତେଣୁ ଟିକେଟ୍‌ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଏମ୍‌ସ କର୍ତୃପକ୍ଷ ଆଶ୍ୱାସନା ଦେଇଥିଲେ ଓ ପରେ ପରେ ସବୁ ଠିକ୍‌ଠାକ୍‌ ଚାଲିଥିଲା।

ସିଲିଂ ଛଡ଼ି ପଡ଼ିଥିବା ବେଳେ କିଛି ଲୋକ ଏହାର ଫଟୋ ଉଠାଇଥିଲେ। ମାତ୍ର ସୁରକ୍ଷାକର୍ମୀମାନେ ବାରଣ କରିଥିଲେ। ଏମିତିକି କିଛି ଲୋକଙ୍କ ମୋବାଇଲ୍‌ରେ ଉଠିଥିବା ଫଟୋକୁ ସୁରକ୍ଷାକର୍ମୀମାନେ ଛଡ଼ାଇ ନେଇ ଡିଲିଟ୍‌ କରି ଦେଇଥିଲେ। ଫଳରେ ସୁରକ୍ଷାକର୍ମୀମାନଙ୍କ ସହ କଥା କଟାକଟି ଓ ହୋ-ହଲ୍ଲା ହୋଇଥିଲା। ତେଣୁ କିଛି ଲୋକ ସେମାନଙ୍କ ରୋଗୀମାନଙ୍କୁ ଧରି ହସ୍ପିଟାଲରୁ ଫେରି ଯାଇଥିଲେ। ଯେଉଁଠି ବିଲ୍‌ଡିଂ ନିରାପଦ ନୁହେଁ, ସେଠି କି ଚିକିତ୍ସା କରାଯାଉଥିବ ବୋଲି କିଛି ଲୋକ ପ୍ରଶ୍ନ କରିଥିଲେ।

ଏନେଇ ଏମ୍‌ସ କର୍ତୃପକ୍ଷ କିଛି ମନ୍ତବ୍ୟ ଦେଉନାହାନ୍ତିି। ସିଲିଂ ପୁରୁଣା ହେଲେ ଖସିବା ସ୍ୱାଭାବିକ ଓ ଏହାର ମରାମତି କରାଯିବ ବୋଲି କିଛି ଡାକ୍ତର ହାଲୁକା ମନ୍ତବ୍ୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ଦିନ ତଳେ କାଜୁଆଲିଟି ବିଭାଗ ରେଡ୍‌ ଜୋନ୍‌ର ଗୋଟିଏ କାନ୍ଥ ଦବିବା ଜଣାପଡ଼ିଥିଲା। କାନ୍ଥ ଭୁଶୁଡ଼ିବା ଆଶଙ୍କାରେ କାଜୁଆଲିଟିର ରେଡ୍‌ ଓ ୟେଲୋ ଜୋନ୍‌ରୁ ୧୮ଟି ଶଯ୍ୟାକୁ ସ୍ଥାନାନ୍ତର କରାଯାଇଥିଲା। କାନ୍ଥକୁ ବିନା କଂକ୍ରିଟ୍‌ ବିମ୍‌ରେ ନିର୍ମାଣ କରାଯାଇଥିବାରୁ ଏଭଳି ଘଟିଥିଲା ବୋଲି କୁହାଯାଇଥିଲା। ସିପିଡବ୍ଲ୍ୟୁଡି ତତ୍ତ୍ୱାବଧାନରେ ଶହ ଶହ କୋଟି ଟଙ୍କା ବିିନିଯୋଗ କରାଯାଇ ଏଭଳି ଏକ ବିଶ୍ୱସ୍ତରୀୟ ହସ୍ପିଟାଲର ବିଲ୍‌ଡିଂ ନିର୍ମାଣ କେତେ ନିମ୍ନମାନର ହୋଇଥିଲା, ତାହା ଜଳଜଳ ହୋଇ ଦିଶିଯାଇଥିଲା। ମାତ୍ର ୫ ବର୍ଷ ନ ଯାଉଣୁ, କାନ୍ଥ ଦବିଗଲା। ତେଣୁ ବିଲ୍‌ଡିଂର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଚଳିତ ମାସ ୨୫ରେ ଏମ୍‌ସର ସମାବର୍ତନ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଯୋଗ ଦେବା ଅବସରରେ ଏସବୁ ଦିଗଗୁଡ଼ିକୁ ତାଙ୍କ ନଜରକୁ ଅଣାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର