ଏମ୍‌ସ କର୍କଟ ବିଭାଗ: ବର୍ଷକୁ ଆସୁଛନ୍ତି ୨୫ ହଜାର ନୂଆ ରୋଗୀ

ଶିଶୁଙ୍କୁ ଦିଆଯାଉଛି ରେଡିଏସନ
ଅଙ୍ଗକୁ ସୁରକ୍ଷିତ ରଖି ଅସ୍ତ୍ରୋପଚାର
ଅଲଗା ହେଲା ହେମାଟୋଲୋଜି, ମେଡିକାଲ ଅଙ୍କୋଲୋଜି ବିଭାଗ

ଭୁବନେଶ୍ବର : ଶିଶୁ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ୨ରୁ ୬ ବର୍ଷୀୟ ଶିଶୁଙ୍କୁ ରେଡିଏସନ ଚିକିତ୍ସା ଦେବା ପାଇଁ ରାଜ୍ୟର ବିଭିନ୍ନ କର୍କଟ ହସ୍ପିଟାଲ ଭୟ କରୁଥିବା ବେଳେ ରିସ୍କ ସତ୍ତ୍ବେ କେବଳ ଏମ୍‌ସରେ ଶିଶୁ କର୍କଟ ରୋଗୀଙ୍କୁ ରେଡିଏସନ ଦିଆଯାଏ। ଏହି ଗୋଟିଏ ଚିକିତ୍ସା ନୁହେଁ କର୍କଟ ରୋଗ କ୍ଷେତ୍ରରେ ସବୁ ଚିକିତ୍ସା ଏବଂ ସୁବିଧା ଯାହା ଘରୋଇ ଡାକ୍ତରଖାନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ମିଳେ, ଏମ୍‌ସରେ ତାହା ସ୍ବଳ୍ପ ଖର୍ଚ୍ଚରେ ସମ୍ଭବ ହୁଏ। ବିଜୁ ସ୍ବାସ୍ଥ୍ୟ କାର୍ଡ ଜରିଆରେ ଓଡ଼ିଶା ରୋଗୀ, ଆୟୁଷ୍ମାନ ଯୋଜନାରେ ବାହାର ରୋଗୀ ଉପକୃତ ହୁଅନ୍ତି। ଏଥିଯୋଗୁଁ ପ୍ରତି ବର୍ଷ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡରୁ ୨୫ ହଜାରରୁ ଊର୍ଧ୍ବ ନୂଆ କର୍କଟ ରୋଗୀ ଏଠାକୁ ଆସିଥାଆନ୍ତି।

ଚୁଟି, ଦାନ୍ତ, ନଖ ବ୍ୟତୀତ ଶରୀରର ସବୁ ଅଙ୍ଗରେ କର୍କଟ ରୋଗ ହୁଏ। ସର୍ବଦା କ୍ରିୟାଶୀଳ ହୃତ୍‌ପିଣ୍ଡରେ କର୍କଟ ହେବାର ଆଶଙ୍କା ସର୍ବନିମ୍ନ ଥାଏ, କିଛି ବର୍ଷ ହେଲା ରାଜ୍ୟରେ ପାକସ୍ଥଳୀ, ଖାଦ୍ୟନଳୀ, ମହିଳାଙ୍କ ମଧ୍ୟରେ ରକ୍ତ କର୍କଟ, ସ୍ତନ କର୍କଟ, ଶିଶୁଙ୍କ ମଧ୍ୟରେ ରକ୍ତ କର୍କଟ ଏବଂ ବୋନମ୍ୟାରୋ କର୍କଟ ବୃଦ୍ଧି ପାଇବାରେ ଲାଗିଛି। କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ ପରିଡ଼ାଙ୍କ ଅନୁସାରେ, ଏମ୍‌ସରେ ସର୍ଜିକାଲ, ରେଡିଏସନ ଏବଂ ମେଡିକାଲ ଅଙ୍କୋଲୋଜି ଜରିଆରେ କର୍କଟ ରୋଗର ଚିକିତ୍ସା ସୁବିଧା ରହିଛି। ସର୍ଜିକାଲ ଅଙ୍କୋଲୋଜିରେ ଗୁରୁତ୍ବପୂର୍ଣ୍ଣ ଅବଦାନ ହେଲା, ଯକୃତ, ଜିଭ, ସ୍ତନ, ହାତ, ଗୋଡ଼ ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ କର୍କଟ ହୋଇଥିଲେ ଏଭଳି ବ୍ୟବସ୍ଥାରେ ଅସ୍ତ୍ରୋପଚାର ହୁଏ ଯେପରିକି ରୋଗୀଙ୍କୁ କର୍କଟ ରୋଗରୁ ମୁକ୍ତି ମିଳିବ କିନ୍ତୁ ସେ ଭିନ୍ନକ୍ଷମ ହେବେ ନାହିଁ। ରୋଗୀଙ୍କ ଜୀବନ ଶୈଳୀର ଗୁଣାତ୍ମକମାନରେ ପରିବର୍ତ୍ତନ ହୁଏ ନାହିଁ। ଏଥିରେ ଆବଶ୍ୟକତା ଅନୁସାରେ ସର୍ଜରି ପରେ କିମ୍ବା ପୂର୍ବରୁ ରେଡିଓଥେରାପି, କେମୋଥେରାପି କରାଯାଏ। ବାର୍ଷିକ ୬୦୦ରୁ ୮୦୦ ଅଙ୍କୋସର୍ଜରି ହୋଇଥାଏ। ଏଠାରେ ରକ୍ତ କ୍ଷରଣକୁ କମାଇବା, ମାଇକ୍ରୋ ସର୍ଜରି ପାଇଁ ମାଇକ୍ରୋସ୍କୋପ ରହିଛି। ଯାହା ଏମ୍‌ସ ଅଙ୍କୋସର୍ଜରିର ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ବ୍ୟବସ୍ଥାର ଅଙ୍ଗ। ଏହି ବିଭାଗ ପାଇଁ ୩ ଦିନ ବଦଳରେ ୫ ଦିନ ଅସ୍ତ୍ରୋପଚାର ପାଇଁ ଓଟି ମିଳିଲେ ରୋଗୀଙ୍କ ଅପେକ୍ଷା କଷ୍ଟ ଲାଘବ ହୁଅନ୍ତା।

YouTube

ରେଡିଏସନ ଅଙ୍କୋଲୋଜିରେ ଷ୍ଟିରିଓଟ୍ରାକଟିକ ରେଡିଓଥେରାପି, ଷ୍ଟିରିଓଟ୍ରାକଟିକ ରେଡିଓ ସର୍ଜରି, ଷ୍ଟିରିଓଟ୍ରାକଟିକ ବଡି ରେଡିଓଥେରାପି, ଆଇଏମଆରଡି, ବ୍ରେଥ ହୋଲ୍ଡିଂ କନଫରମାଲ ରେଡିଓଥେରାପି ଭଳି ଚିକିତ୍ସା ପଦ୍ଧତିରେ ଟ୍ୟୁମର ନିକଟସ୍ଥ ଅଙ୍ଗପ୍ରତ୍ୟଙ୍ଗ ଉପରେ କମ ରେଡିଏସନ ପଡ଼ିବା ପାଇଁ କାର୍ଯ୍ୟ କରେ। ଉଦାହରଣ ସ୍ବରୂପ ମସ୍ତିଷ୍କ ରେଡିଓଥେରାପି ବେଳେ ଆଖିକୁ ବଞ୍ଚାଯାଏ। ଫୁସଫୁସ, ପ୍ରୋଷ୍ଟେଟ ସମେତ ବିଭିନ୍ନ ପ୍ରକାର ଟ୍ୟୁମରରେ ରେଡିଏସନ ଦିଆଯିବା ବେଳେ ଏହାର ପାର୍ଶ୍ବସ୍ଥ ଅଙ୍ଗ ରେଡିଏସନ ପ୍ରଭାବରୁ ସୁରକ୍ଷିତ ରହିବ ତାକୁ ନେଇ ଗୁରୁତ୍ବ ଦିଆଯାଏ। ରେଡିଏସନ ପାଇଁ ଏମ୍‌ସରେ ମାତ୍ର ଗୋଟିଏ ମେସିନ ରହିଛି। ଏହା ସତ୍ତ୍ବେ ପ୍ରତିଦିନ ପ୍ରାୟ ୭୨ରୁ ୭୬ ରୋଗୀଙ୍କୁ ରେଡିଏସନ ଦିଆଯାଉଛି। ଏହି ଗୋଟିଏ ମେସିନ ଗୁଣାତ୍ମକ ମାନ ଯେକୌଣସି ଘରୋଇ ଡାକ୍ତରଖାନା ଠାରୁ ଅଧିକ। ଅଧିକ ମେସିନ ଆସିଲେ, ରୋଗୀଙ୍କୁ କମ ଦିନ ଅପେକ୍ଷା କରିବାକୁ ପଡ଼ିବ। ଏହାଛଡ଼ା ଏଠାରେ ଥିବା ଏମଆରଆଇ ମେସିନ ଉଚ୍ଚମାନର। ରେଡିଏସନ ବେଳେ ରୋଗୀ ହଲିଲେ ଏହା ଅଧିକ ଦିନ ଲାଗେ। ତେଣୁ ଶିଶୁ ରେଡିଏସନ ଅନ୍ୟଠି ଦିଆଯାଏ ନାହିଁ।

ଏମ୍‌ସରେ ୨ ବର୍ଷର ଶିଶୁଙ୍କୁ ମଧ୍ୟ ରେଡିଏସନ ଦିଆଯାଉଛି। କେମୋଥେରାପି ଚିକିତ୍ସାରେ ଟାର୍ଗେଟ ଚିକିତ୍ସା କରାଯାଉଛି। ପାଥୋଲୋଜି ଡାଇଗ୍ନୋସିସରେ ଚିକିତ୍ସା ହେଉଥିଲା। ବର୍ତ୍ତମାନ ଏହି ସ୍ଥିତିରେ ଉନ୍ନତି ହୋଇଛି। ପୂର୍ବରୁ ମେଡିକାଲ ଅଙ୍କୋଲୋଜି ଏବଂ ହେମାଟୋଲୋଜି କର୍କଟ ଚିକିତ୍ସା ଏକାଠି ହେଉଥିଲା। ମେଡିକାଲ ଅଙ୍କୋଲୋଜିରେ ୨ ଜଣ ଫାକଲଟିଙ୍କ ଯୋଗଦାନ ପରେ ସ୍ବତନ୍ତ୍ର ଡେ କେୟାର ଏବଂ ଆଇସିୟୁ ସେବା ଉପଲବ୍ଧ ରହିଛି। ଏମ୍‌ସକୁ ମାସକୁ ପ୍ରାୟ ୪୦ ନୂତନ ରକ୍ତ କର୍କଟ ରୋଗୀ ଆସନ୍ତି। ଚିହ୍ନଟ ପାଇଁ ବାୟୋପସିସ, ବୋନମ୍ୟାରୋ ଆସ୍ପିରେସନ ସମେତ ସମସ୍ତ ପ୍ରକାର ପରୀକ୍ଷଣ ଏବଂ ଚିକିତ୍ସା ବ୍ୟବସ୍ଥା ରହିଛି। ଏଠାରେ ୧୦ ଜଣ ଡାକ୍ତର କ୍ୟାନସର ବିଭାଗରେ ଅଛନ୍ତି। ଉଚ୍ଚମାନର ଚିକିତ୍ସା ସୁବିଧା ସତ୍ତ୍ବେ ଏମ୍‌ସରେ ଆଜି ପର୍ଯ୍ୟନ୍ତ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥା ହୋଇପାରି ନାହିଁ। ଏହି ସୁବିଧା ଉପଲବ୍ଧ ହେଲେ କର୍କଟ ରୋଗ ଚିକିତ୍ସାର ଏକ ନୂତନ ଅଧ୍ୟାୟ ଏମ୍‌ସ ଲେଖିବ।

ସମ୍ବନ୍ଧିତ ଖବର