ପଙ୍ଗୁ ହେଉଛି ଏମ୍ସ ହୃଦ୍‌ରୋଗ ବିଭାଗ

ଛୁଟିରେ ଫାକଲଟି, ଠିକା ଡାକ୍ତରଙ୍କ ଇସ୍ତଫା
ବନ୍ଦ ହୋଇଯିବ ଇଲୋକ୍ଟ୍ରୋଫିଜିଓଲୋଜି ଚିକିତ୍ସା
ପାଠପଢ଼ା ବି ପ୍ରଭାବିତ

ଭୁବନେଶ୍ବର : ଓପିଡ଼ିକୁ ପ୍ରତିଦିନ ଆସୁଛନ୍ତି ୧୫୦ରୁ ୨୦୦ ରୋଗୀ। ସେଥିରେ ପୁଣି ସପ୍ତାହରେ ଅନ୍ୟୂନ ୩୦ ଜଣଙ୍କ ଏଞ୍ଜିଓପ୍ଲାଷ୍ଟି, ପେସମେକର, ବେଲୁନ ସର୍ଜରି, ବ୍ଲକେଜ ଭଳି ଜଟିଳ ରୋଗର ଚିକିତ୍ସା ହେଉଛି। କିନ୍ତୁ ଅଛନ୍ତି ମାତ୍ର ଜଣେ ଡାକ୍ତର। ଏହି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଅବସ୍ଥା ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳର କୌଣସି ସ୍ବାସ୍ଥ୍ୟକେନ୍ଦ୍ରର ନୁହେଁ, ବରଂ ଜାତୀୟସ୍ତରୀୟ ଡାକ୍ତରଖାନା ଏମ୍‌ସ ହୃଦରୋଗ ବିଭାଗ। ସ୍ଥିତି ଏଭଳି ହେଲାଣି ଯେ ଏଠାରେ ଇଲୋକ୍ଟ୍ରୋଫିଜିଓଲୋଜି ଚିକିତ୍ସା ବନ୍ଦ ହୋଇଯିବା ନେଇ ଆଶଙ୍କା ହେଉଛି। (ଇଲୋକ୍ଟ୍ରୋ ଫିଜିଓଲୋଜି ଅର୍ଥାତ୍‌ ହୃତ୍‌ପିଣ୍ଡର ତୀବ୍ରତା ଅଚାନକ ବୃଦ୍ଧି କିମ୍ବା ହ୍ରାସ ପାଇବା)। ଏଭଳି ହେଲେ ଗରିବ ରୋଗୀ ହଇରାଣ ହେବେ ଏବଂ ଘରୋଇ ଡାକ୍ତରଖାନାକୁ ସୁହାଇବ ବୋଲି ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଏମ୍ସ ହୃଦରୋଗ ବିଭାଗ ଦୀର୍ଘ ଦିନ ହେଲା ଡାକ୍ତର ଏବଂ ଭିତ୍ତିଭୂମି ସମସ୍ୟା ଦେଇ ଗତି କରୁଛି। ପୂର୍ବରୁ ଏଠାରେ ୨ଟି ଫାକଲଟି ପଦ ଖାଲି ରହିଥିଲା। ୨ଜଣ ଫାକଲଟି ଏବଂ ଜଣେ ଠିକା ଡାକ୍ତର ଏହି ବିଭାଗରେ ଅବସ୍ଥାପିତ ଥିଲେ। ବର୍ତ୍ତମାନର ସ୍ଥିତି ହେଲା ପ୍ରାୟ ଏକ ମାସ ହେବ ଫାକଲଟି ଡା. ଦେବାଶିଷ ଦାସ ଛୁଟିରେ ଅଛନ୍ତି ଏବଂ ଠିକାରେ ନିଯୁକ୍ତିପ୍ରାପ୍ତ ଡା. ଦେବାଶିଷ ଆଚାର୍ଯ୍ୟ ଇସ୍ତଫା ଦେଇଛନ୍ତି। ଏଥିଯୋଗୁଁ ସହକାରୀ ପ୍ରଫେସର୍‌ ଡା. ରାମଚନ୍ଦ୍ର ବାରିକଙ୍କ ଭରସାରେ ଏହି ବିଭାଗ ଚାଲୁଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏମ୍ସ ହୃଦରୋଗ ବିଭାଗରେ ଦ୍ବିତୀୟ ଠିକା ଡାକ୍ତର ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଡା. ଦିବ୍ୟରଞ୍ଜନ ଇସ୍ତଫା ଦେଇଥିଲେ। ଏଭଳି ସ୍ଥିତିରେ ସ୍ଥାୟୀ ଫାକଲଟି ନିଯୁକ୍ତିରେ ବ୍ୟବସ୍ଥା କରାନଗଲେ ଅବସ୍ଥା ଅସମ୍ଭାଳ ହେବା ନେଇ ଆଶଙ୍କା କରାଯାଉଛି। ଲକ୍‌ଡାଉନ୍‌ ଏବଂ ଜୀବନଶୈଳୀ‌ରେ ପରିବର୍ତ୍ତନ ଯୋଗୁଁ ହୃଦ୍‌ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୀମସାର, ଏମ୍‌କେସିଜି କିମ୍ବା ଏସ୍‌ଏସ୍‌ବିରେ ଚିକିତ୍ସିତ ହୋଇ ପାରୁନଥିବା ଗୁରୁତର ରୋଗୀ ହିଁ ରେଫର୍‌ ହୋଇ ଏଠାକୁ ଆସି ଥାଆନ୍ତି। ଏଠାରେ ଏଞ୍ଜିଓପ୍ଲାଷ୍ଟି, ପେସମେକର୍‌, ବେଲୁନ ସର୍ଜରି, ଇପି ଷ୍ଟଡି ଆଦିର ଚିକିତ୍ସାର ସୁବିଧା ରହିଛି। କୌଣସି ଘରୋଇ ଡାକ୍ତରଖାନାକୁ ରୋଗୀ ଗଲେ ଯେଉଁଠି ଲକ୍ଷାଧିକ ଟଙ୍କା ଖର୍ଚ କରିବାକୁ ପଡ଼ିବ, ଏମ୍ସରେ ସ୍ବଳ୍ପ ଟଙ୍କାରେ ଚିକିତ୍ସା ହୋଇପାରିବ। ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟବୀମା ଯୋଜନାରେ ଖର୍ଚ ନାମକୁ ମାତ୍ର ହୋଇଥାଏ।

ଏମ୍‌ସରେ ସପ୍ତାହରେ ୬ଦିନ ଓପିଡି ବ୍ୟବସ୍ଥା ରହିଛି। ମାତ୍ର ଜଣେ ଡାକ୍ତର ରହିବା ପରେ ସର୍ବାଧିକ କେବଳ ୩ ଦିନ ହିଁ ଓପିଡି ଚାଲିପାରିବ। ସମୁଦାୟ ଆସୁଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ୨୫ପ୍ରତିଶତଙ୍କୁ ଆଡମିସନ୍‌ କରିବାର ଆବଶ୍ୟକତା ଥାଏ। ମାତ୍ର ଏଠାରେ ସମୁଦାୟ ୩୦ଟି ଶଯ୍ୟା ରହିଛି। ଏଥିଯୋଗୁଁ ଭର୍ତ୍ତି କରାଇବା ପାଇଁ ରୋଗୀଙ୍କୁ ୩ରୁ ୪ମାସ ଅପେକ୍ଷା କରିବାକୁ ପଡ଼ୁଛି। ଡାକ୍ତର ସଂକଟ ଜଟିଳ ହେବା ପରେ ଅପେକ୍ଷାରତ ରୋଗୀଙ୍କ ସଂଖ୍ୟା ବଢ଼ିବ ଏବଂ ଭର୍ତ୍ତି ପାଇଁ ପୂର୍ବରୁ ରୋଗୀଙ୍କୁ ୩ ମାସ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଏବେ ତାହା କେତେ ଲମ୍ବା ହେବ, କହି ହେବ ନାହିଁ। ରୋଗୀସେବା ସହ ୬ଜଣ ଡିଏମ ବିଦ୍ୟାର୍ଥୀ (ଡକ୍ଟର ଇନ ମେଡିସିନ)ଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଛି। ଏହି ବିଦ୍ୟାର୍ଥୀଙ୍କ ଉପଯୁକ୍ତ ପାଠପଢ଼ା ନହେଲେ ଭବିଷ୍ୟତରେ ସେମାନେ କିଭଳି ଦକ୍ଷ ଡାକ୍ତର ହୋଇ ବାହାରିବେ, ତାକୁ ନେଇ ବି ସନ୍ଦେହ ଉପୁଜିଲାଣି। ଏମ୍ସ ହୃଦରୋଗ ବିଭାଗକୁ ଜାଣିଶୁଣି ଅଥର୍ବ କରିଦିଆଯାଉଥିବା ନେଇ ଅଭିଯୋଗ ହେଉଛି। ଯଦି ଡାକ୍ତର ହିଁ ନଥିବେ, ଏହି ବିଭାଗ କେଉଁ କାମକୁ ବୋଲି ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର