କଟକ : ବିରଳ ଡୁଚେନ୍ ମସ୍କୁଲାର ଡାଇଷ୍ଟ୍ରୋଫି (ଡିଏମ୍ଡି) ରୋଗରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ସଂପର୍କିତ ମାମଲାର ଶୁଣାଣି ସମୟରେ ମାର୍ଚ୍ଚ ୨ର ନିର୍ଦ୍ଦେଶ ପାଳନ କରି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଆଜି ହାଇକୋର୍ଟରେ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୂରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଏମ୍ସ ନିର୍ଦ୍ଦେଶକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଡିଏମଡି ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପ୍ରସଂଗରେ କୋଲକାତାସ୍ଥିତ ସେଣ୍ଟର ଅଫ୍ ଏକ୍ସିଲେନ୍ସ ସହିତ ଆଲୋଚନା କରାଯାଇ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ଶିଶୁମାନଙ୍କ ଚିକିତ୍ସା ମାର୍ଚ୍ଚ ୧୦ରେ ସେଣ୍ଟର ଅଫ୍ ଏକ୍ସିଲେସନ୍ସରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।
ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ମାର୍ଚ୍ଚ ମାସରେ ଏହି ଶିଶୁମାନଙ୍କ ସ୍କୁଲରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଛି, ତେଣୁ ତାରିଖ ଏପ୍ରିଲ ମାସକୁ ଧାର୍ଯ୍ୟ କରାଯାଉ। ଏଭଳି ସ୍ଥିତିରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ସହିତ ଆଲୋଚନା କରାଯାଇ ଡିଏମଡି ଆକ୍ରାନ୍ତ ଏହି ଶିଶୁଙ୍କ ଚିକିତ୍ସା ପାଇଁ ଏପ୍ରିଲ ମାସରେ ତାରିଖ ଧାର୍ଯ୍ୟ କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଥିଲେ। ଡିଏମସି ଆକ୍ରାନ୍ତ ଶିଶୁମାନଙ୍କ ଚିକିତ୍ସା ପାଇଁ ଏପ୍ରିଲ ମାସରେ ଧାର୍ଯ୍ୟ କରାଯିବାକୁ ଥିବା ତାରିଖ ସଂକ୍ରାନ୍ତରେ ସେମାନଙ୍କ ଅଭିଭାବକଙ୍କୁ ଏକ ସପ୍ତାହ ଭିତରେ ଅବଗତ କରାଯିବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏ.ପି. ରଥ ଓ ଅଂଶୁମାନ ରାୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ବତନ୍ତ୍ର ସଚିବ(ପିଏଚ)ଙ୍କ ପକ୍ଷରୁ ଦାଖଲ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଡିଏମଡି ଆକ୍ରାନ୍ତ ଶିଶୁଙ୍କୁ ସଧାସଳଖ ଏକକାଳୀନ ଆର୍ଥିକ ସହାୟତା ପ୍ରଦାନ ପ୍ରସଂଗରେ ପ୍ରସ୍ତାବ ରହିଛି। ଏହି ପ୍ରସଂଗରେ ସରକାର ବିଚାର କରୁଛନ୍ତି ବୋଲି ଦର୍ଶାଯାଇଥିଲା। ସ୍ବତନ୍ତ୍ର ସଚିବଙ୍କ ଏହି ଚିଠିକୁ ରେକର୍ଡଭୁକ୍ତ କରିବା ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶଦେବା ସହତ ଏପ୍ରିଲ ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।