ଏମ୍‌ସ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ : ଓଡ଼ିଶାର ୩୧୭ ଜଣ କୃତକାର୍ଯ୍ୟ, ଦିଲ୍ଲୀର ଭାବିକ୍‌ ବଂଶଲ ଟପର୍‌

ଭୁବ‌ନେଶ୍ବର : ଦେଶରେ ଥିବା ୧୫ଟି ଏମ୍‌ସରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଏମ୍‌ସ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ମୋଟ ୩ ଲକ୍ଷ ୩୮ ହଜାର ୪୫୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ ହଜାର ୩୮୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୭ ହଜାର ୩୫୨ ଜଣ ଛାତ୍ର, ୪ ହଜାର ୨୭ ଜଣ ଛାତ୍ରୀ ଓ ଜଣେ କିନ୍ନର ରୢାଙ୍କ ହାସଲ କରିଛନ୍ତି। ଦେଶର ୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ସ୍କୋର କରିଛନ୍ତି। ଦିଲ୍ଲୀର ଭାବିକ୍‌ ବଂଶଲ ସାରା ଦେଶରେ ଟପ୍ପର୍‌ ହୋଇଛନ୍ତି। ନିଟ୍‌ ପରୀକ୍ଷାରେ ଭାବିକ୍‌ ସର୍ବଭାରତୀୟସ୍ତରରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏମ୍‌ସ ପରୀକ୍ଷାରେ ସେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବବିଜ୍ଞାନରେ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଓଡ଼ିଶାର ୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆଜି ରାତି ୧୦ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୩୧୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରବେଶିକା ପରୀକ୍ଷ‌ାରେ କୃତିତ୍ବ ହାସଲ କରିଥିବା ଛାତ୍ରଛତ୍ରୀ ଏମ୍‌ସର ୧୨୦୭ ସିଟ୍‌ରେ ନାମ ଲେଖାଇବେ।

୨୦୧୯-୨୦ ଶିକ୍ଷାବର୍ଷରେ ୧୫ଟି ଏମ୍‌ସର ୧୨୦୦ ସିଟ୍‌ରେ ନାମଲେଖା ହେବ। ଭୁବନେଶ୍ବର ସମେତ ନୂଆଦିଲ୍ଲୀ, ଭୋପାଳ, ଯୋଧପୁର, ମଙ୍ଗଳଗିରି(ଗୁଣ୍ଟୁର), ନାଗପୁର, ପାଟଣା, ରାୟପୁର, ଋଷିକେଶ, ଭଥିଣ୍ଡା, ଦେଓଘର(ଝାଡଖଣ୍ଡ), ଗୋରଖପୁର, କଲ୍ୟାଣୀ(ପଶ୍ଚିମବଙ୍ଗ), ରାଏବରେଲି ଓ ତେଲେଙ୍ଗାନା ଏମ୍‌ସରେ ନାମଲେଖା ହେବ। ପରୀକ୍ଷାର୍ଥୀମାନେ ‘www.aiimsexams.org’ ୱେବସାଇଟ୍‌ରେ ସେମାନଙ୍କ ରୢାଙ୍କ ଯାଞ୍ଚ କରିପାରିବେ। ସୂଚନାଯୋଗ୍ୟ, ମେ’ ୨୫ ଓ ୨୬ ତାରିଖରେ ଦୁଇ ଦିନ ଧରି ପ୍ରବେଶିକା ପରୀକ୍ଷା ହୋଇଥିଲା। ଦେଶର ୧୫୧ଟି ସହରର ୩୩୯ ସେଣ୍ଟରରେ ୪ଟି ସିଫ୍ଟରେ ଅନ୍‌ଲାଇନ୍‌ରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର