ଭୁବନେଶ୍ବର: ଜାତୀୟସ୍ତରରେ ରୋଗୀ ସେବା କ୍ଷେତ୍ରରେ ବ୍ରାଣ୍ଡ ପାଲଟିଛି ଏମ୍ସ। ଯାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇଛି। ଏମ୍ସ ଭୁବନେଶ୍ବର ସମୀକ୍ଷା ଅବସରରେ ଏହା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଓଏସଡି ସୁଧାଂଶୁ ପନ୍ତ। ଏହି ଅବସରରେ ସେ ବିଭିନ୍ନ ୱାର୍ଡ ପରିଦର୍ଶନ ସହିତ ରୋଗୀମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରି ସେମାନଙ୍କ ମତାମତ ଲୋଡ଼ିଥିଲେ। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ ଶ୍ରୀ ପନ୍ତଙ୍କୁ ସ୍ବାଗତ କରିବା ସହିତ ଏହି ପ୍ରମୁଖ ଜାତୀୟ ଅନୁଷ୍ଠାନର ବିଭିନ୍ନ କୃତିତ୍ବ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସ୍ଡି ଏମ୍ସ ଭୁବନେଶ୍ୱରରେ ପ୍ରଦାନ କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ବୁଲି ଦେଖିବା ସହିତ ଜଟିଳ ରୋଗର ଚିକିତ୍ସାରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଜନସାଧାରଣଙ୍କୁ ସୁବିଧା ପ୍ରଦାନ କରିବାର ପ୍ରତିବଦ୍ଧତା ପାଇଁ ନିଆଯାଉଥିବା ପଦକ୍ଷେପକୁ ସ୍ବାଗତ କରିଥିଲେ।
ଏମ୍ସର ବିଭାଗୀୟ ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ତାଙ୍କୁ ଡାକ୍ତରୀ ଶିକ୍ଷା, ଗବେଷଣା ଏବଂ ରୋଗୀସେବା କ୍ଷେତ୍ରରେ ଏହି ଅନୁଷ୍ଠାନର ଅଗ୍ରଣୀ ଭୂମିକା ସମ୍ପର୍କରେ ସୂଚନା ଦିଆଯାଇ ଥିଲା। ଏହି ଗସ୍ତ ସମୟରେ ଡିନ୍ ଡା. ପିଆର ମହାପାତ୍ର, ଡା. ସତ୍ୟଜିତ ମିଶ୍ର, ଡା. ସୌଭାଗ୍ୟ ଜେନା, ଭାରପ୍ରାପ୍ତ ମେଡିକାଲ୍ ଅଧୀକ୍ଷକ ଡା. ପ୍ରଭାସ ରଂଜନ ତ୍ରିପାଠୀ, ଡିଡିଏ ରବି ପ୍ରକାଶ, ବରିଷ୍ଠ ପ୍ରଶାସନିକ ଅଧିକାରୀ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ମାସ ୩୧ତାରିଖରେ ଶ୍ରୀ ପନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ।