ଆଜିଠ‌ାରୁ ଏମ୍‌ସ ଓପିଡି ବନ୍ଦ

କାଜୁଆଲ୍‌ଟି, ରେଡିଓ ଥେରାପି ଓ ଡାଏଲିସିସ୍ ଜାରି ରହିବ

ଚିହ୍ନଟ ହେଲେଣି ୧୧ ଡାକ୍ତରଙ୍କ ସମେତ ୯୬ ପଜିଟିଭ୍‌
ଆଜି ଉନ୍ମୋଚିତ ହେବ ସ୍ବତନ୍ତ୍ର ଆପ୍

ଭୁବନେଶ୍ବର : ଆସନ୍ତାକାଲିଠାରୁ ବନ୍ଦ ରହିବ ଏମ୍‌ସ ଓପିଡି ବା ବର୍ହିବିଭାଗ। ଏମ୍‌ସରେ ବହୁ ସଂଖ୍ୟାରେ ରୋଗୀ, ଡାକ୍ତର ଓ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ହସ୍ପିଟାଲରେ ପୂର୍ବଭଳି ଜରୁରୀକାଳୀନ, ରେଡିଓ ଥେରାପି ଓ ଡାଏଲିସିସ୍ ସେବା ଜାରି ରହିବ।

ଏମ୍‌ସରେ ଏବେ ସୁଦ୍ଧା ୯୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଏଥିରେ ୧୧ଜଣ ଡାକ୍ତରଙ୍କ ସମେତ ୩୧ଜଣ ସ୍ବାସ୍ଥ୍ୟ କର୍ମୀ ଓ ୭୫ଜଣ ରୋଗୀ ରହିଛନ୍ତି। ଡାକ୍ତରଙ୍କ ମଧ୍ୟରେ ଜଣେ ଆସୋସିଏଟ୍‌ ପ୍ରଫେସର ମଧ୍ୟ ରହିଛନ୍ତି। ଏଥିରେ ପଲମୋନ‌ାରି ମେଡିସିନ୍ ସମେତ ସ୍ତ୍ରୀ ଓ ପ୍ରସୂତି ବିଭାଗ, ମାଇକ୍ରୋ‌ବାୟୋଲୋଜି ଓ ଅନ୍ୟ ବିଭାଗରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ସିଲ୍‌ କରାଯାଇଥିଲା। କୋଭିଡ୍‌ ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଏସ୍‌ଓପିର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଲା ବୋଲି ଅଭିଯୋଗ ହୋଇଛି। ତେବେ ବେଳକୁ ବେଳ ସଂକ୍ରମଣ ବଢ଼ୁଥିବା ଦେଖି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମାଇବା ଲାଗି ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ନିର୍ଦେଶିକା ଡା.ଗୀତାଞ୍ଜଳି.ବି ଆଜି ଗଣମାଧ୍ୟମକୁ କହିଛନ୍ତି।

ଡା.ଗୀତାଞ୍ଜଳି କହିଛନ୍ତି ଯେ ହସ୍ପିଟାଲରେ ଅନେକ ରୋଗୀ, କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଁମାନେ ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସଙ୍ଗରୋଧରେ ରହିବା ଲାଗି କୁହାଯାଇଛି। ଏପରିକି ଅନେକ କର୍ମଚାରୀ ସଂକ୍ରମଣ ଅବରୋଧ ଅଞ୍ଚଳରୁ ଆସୁଛନ୍ତି। ଯାହାଫଳରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଓପିଡିକୁ ଆସନ୍ତାକାଲିଠାରୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ରୋଗୀମାନେ ଡାକ୍ତରମାନଙ୍କୁ ଟେଲି ମେଡିସିନ୍ ଜରିଆରେ ଯୋଗାଯୋଗ କରିପାରିବେ। ଏହାସହ ଆସନ୍ତାକାଲି ‘ଏମ୍‌ସ ଭୁବନେଶ୍ବର ସ୍ବାସ୍ଥ୍ୟ’ ଆପ୍ ଲୋକାର୍ପିତ ହେବ। ଏହା ଜରିଆରେ ମଧ୍ୟ ରୋଗୀମାନେ ଡାକ୍ତରଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇପାରିବେ।

CanHOPE

ତେବେ କାଜୁଆଲଟି, ଡାଏଲିସିସ୍, ଡେ କେୟାର ଓ ରେଡିଓ ଥେରାପି ଚିକିତ୍ସା ଜାରି ରହିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମାର୍ଚ ୧୯ ତାରିଖରେ ଏମ୍‌ସରେ ପ୍ରଥମ କରୋନା ପଜିଟିଭ୍ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ସେବେଠାରୁ କୋଭିଡ୍‌ ଓ ଅଣ କୋଭିଡ୍‌ ରୋଗୀଙ୍କ ଚିକିତ୍ସା କରାଯାଉଛି। ଏହି ସମୟ ଭିତରେ ୮୫୨୩୫ ରୋଗୀ ଓପିଡି, ୭୭୨୭ ରୋଗୀ ଜରୁରୀକାଳୀନ ସେବା, ୩୦୨୭ ଅସ୍ତ୍ରୋପଚାର କରାଯାଇଥିବା ଡା.ଗୀତାଞ୍ଜଳି ସୂଚନା ଦେଇଛନ୍ତି।

ତେବେ ଅଭିଯୋଗ ହେଉଛି ଯେ ଏମ୍‌ସ ଭୁବନେଶ୍ବର କର୍ତୃପକ୍ଷଙ୍କ ଖାମଖିଆଲି ଯୋଗୁଁ ଓପିଡି ସେବାକୁ ବନ୍ଦ କରିବା ଭଳି ପରିସ୍ଥିତି ଉପୁଜୁଛି। କୋଭିଡ୍‌ ସମୟରେ ରୋଗୀମାନଙ୍କୁ କିଭଳି ଚିକିତ୍ସା କରାଯିବ ‌ସେ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କୌଣସି ଏସ୍‌ଓପି ପ୍ରସ୍ତୁତ କରାଯାଇ ନ ଥିଲା। ଡାକ୍ତରମାନେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଦିଲ୍ଲୀ ଓ ବିହାର ଏମ୍‌ସରେ ସ୍ବତନ୍ତ୍ର ଭାବେ ଏସ୍‌ଓପି ପ୍ରସ୍ତୁତ କରାଯାଇ ଚିକିତ୍ସା କରାଯାଉଛି। ଏପରିକି ଏମ୍‌ସ ଭୁବନେଶ୍ବରେ ନିକଟରେ ହିଁ ଡାକ୍ତରମାନଙ୍କୁ ଏନ୍‌-୯୫ ମାସ୍କ ପିନ୍ଧିବା ଲାଗି ଦିଆଯାଇଥିବା ନଜରକୁ ଆସିଛି।

ଏମ୍‌ସରେ ୨୦୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରାଯାଇଥିବା ବେଳେ ହସ୍ପିଟାଲରେ ଚିହ୍ନଟ ହେଉଥିବା ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଥିବା ରାଜ୍ୟ ସରକାରଙ୍କ ନଜରକୁ ଆସିଥିଲା। ଏଥିପାଇଁ ଡିଏମ୍‌ଇଟିଙ୍କ ପକ୍ଷରୁ ଏମ୍‌ସରେ ପ୍ରସ୍ତୁତ ହୋଇଥିବା ଆଇସୋଲେସନ୍ ୱାର୍ଡକୁ କୋଭିଡ୍‌ ରୋଗୀଙ୍କ ପାଇଁ ବ୍ୟବହାର କରିବା ଲାଗି ଚିଠି ଜାରି ହୋଇଥିଲା।

ସମ୍ବନ୍ଧିତ ଖବର