ବଡ଼ ସ୍ୱପ୍ନରେ ବଡ଼ ବିଳମ୍ବ : ପୁଣି ବର୍ଷେ ଘୁଞ୍ଚିଲା ଏମ୍‌ସ ଓପିଡି ସେବା

ଏପ୍ରିଲ୍ ୭ ସୁଦ୍ଧା ସରିବାର ଥିଲା, କରୋନା ପାଇଁ ଏବେ ଅସ୍ଥାୟୀ ଓପିଡି ବି ବନ୍ଦ

ବାଲେଶ୍ବର : ଏମସ୍‌ ନ ହେଲା ନାହିଁ, ଏମସ୍‌ର ସାଟେଲାଇଟ୍‌ ସେଣ୍ଟର ତ ହେବ। ଉତ୍ତର ଓଡ଼ିଶାର କେନ୍ଦ୍ରସ୍ଥଳ ବାଲେଶ୍ବରରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ମିଳିବା ନେଇ ଏମିତି କିଛି ଆଶା ରଖିଥିଲେ ଲୋକେ। ବାଲେଶ୍ବର ପାଇଁ ଏହା କୌଣସି ଗୁଣରେ ସ୍ବପ୍ନଠାରୁ କମ୍ ନଥିଲା। ହେଲେ ଏ ବଡ଼ ସ୍ବପ୍ନ ବାସ୍ତବ ରୂପ ନେବାରେ ଢେର ବିଳମ୍ବ ହୋଇ ସାରିଲାଣି। ୨୦୨୦ ଏପ୍ରିଲ୍ ସୁଦ୍ଧା ବାଲେଶ୍ବରରେ ଏମସ୍‌ର ବହୁ ପ୍ରତୀକ୍ଷିତ ଓପିଡି ସେବା ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ଲୋକଙ୍କୁ ଆହୁରି ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ସୂଚନା ମିଳିଛି।

୨୦୧୩ ମସିହାରେ ୟୁପିଏ ସରକାର ଅମଳରେ ଏମସ୍‌ର ସାଟେଲାଇଟ୍ ସେଣ୍ଟର ପାଇଁ ନିଷ୍ପତ୍ତି ହେବା ପରେ ୨୦୧୪ରେ ମୋଦୀ ସରକାରଙ୍କ ପ୍ରଥମ ପାଳିର ପ୍ରଥମ ବର୍ଷରେ ଏ ନେଇ ବିଧିବଦ୍ଧ ଘୋଷଣା ହୋଇଥିଲା। କେନ୍ଦ୍ରର ଅନୁରୋଧ କ୍ରମେ ରାଜ୍ୟ ସରକାର ଏଥିପାଇଁ ବାଲେଶ୍ବର ସହର ଉପକଣ୍ଠ ରେମୁଣା ସମଲପୁରରେ ୨୪.୯୧ ଏକର ଜମି ଯୋଗାଇ ଦେଇଥିଲେ। ତନ୍ମଧ୍ୟରୁ ୧୯.୯୧ ଏକର ଜମିରେ ହସପିଟାଲ୍‌ ବିଲଡିଂ ଏବଂ ଅବଶିଷ୍ଟ ୫ ଏକର ଜମିରେ ଡାକ୍ତର ଓ ଷ୍ଟାଫ୍‌ କ୍ବାର୍ଟର ନିର୍ମାଣ ପାଇଁ ରହିଥିଲା ପ୍ରସ୍ତାବ। ଖାଲି ସେତିକି ନୁହେଁ, ପ୍ରସ୍ତାବିତ ଜମିରେ ଏମସ୍‌ର ୩୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସପିଟାଲ୍‌ ସହ ବିଶ୍ବସ୍ତରୀୟ ପବ୍ଲିକ ହେଲଥ୍‌ ସ୍କୁଲ ଖୋଲିବାକୁ ଯୋଜନା ହୋଇଥିଲା। ସ୍ବାସ୍ଥ୍ୟସେବା ସାଙ୍ଗକୁ ଜନସ୍ବାସ୍ଥ୍ୟ ସମ୍ପର୍କିତ ସେବା ପାଇଥାନ୍ତେ ବାଲେଶ୍ବର ସମେତ ଉତ୍ତର ଓଡ଼ିଶାର ଲୋକେ। ହେଲେ ଏହି ପ୍ରକଳ୍ପ ବାରମ୍ବାର ଡେରି ହେବାରେ ଲାଗିଛି।

ହସପିଟାଲ୍‌ ନିର୍ମାଣରେ ଅହେତୁକ ବିଳମ୍ବ କାରଣରୁ ପ୍ରଥମ ପର୍ଯ୍ୟାୟରେ ଓପିଡି ସେବା ଓ ଆବାସିକ ଘର ନିର୍ମାଣ ପାଇଁ କାମ ଆରମ୍ଭ ହୋଇଛି। ଯେଉଁଥି ପାଇଁ କେନ୍ଦ୍ର ସରକାର ୩୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କିନ୍ତୁ ଏହି କାମର ଅଗ୍ରଗତି ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ। ଗତ ଏପ୍ରିଲ ମାସରେ ଏହି କାମ ସରିବାକୁ ଥିବାବେଳେ ମହାମାରୀ କରୋନା ପାଇଁ ପୁଣି ଡେରି ହୋଇଛି। ସେପଟେ ବାଲେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ଅସ୍ଥାୟୀ ଘରେ ଚାଲିଥିବା ଏମସ୍‌ର ଓପିଡି ସେବା ବି ଏହାମଧ୍ୟରେ ବନ୍ଦ ହୋଇଯାଇଛି। ଯଦି ସ୍ଥାୟୀ ଓପିଡି ସେଣ୍ଟର ନିର୍ମାଣ ସରିଯାଇଥାନ୍ତା, ତେବେ ଏ ସ୍ଥିତିରେ ବାଲେଶ୍ବର ବଡ଼ ଡାକ୍ତରଖାନା ଉପରେ ପଡୁଥିବା ଚାପ ନିଶ୍ଚିତ ଭାବେ କମିଥାନ୍ତା। ଏ ସଂକ୍ରାନ୍ତରେ ଭୁବନେଶ୍ବର ଏମସ୍‌ର ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର କେପି ମିଶ୍ର କହିଛନ୍ତି, କୋଭିଡ୍‌-୧୯ ଯୋଗୁଁ ବାଲେଶ୍ବର ଏମସ୍‌ ସେଣ୍ଟରର କାମ ବନ୍ଦ ରହିଛି। ରେଡ୍‌ ଜୋନ୍‌ ପାଇଁ କାମ ହୋଇପାରୁନି। କାରଣ ସବୁ କର୍ମଚାରୀ ପଶ୍ଚିମବଙ୍ଗର। ସିପିଡବ୍ଲୁଡି (କେନ୍ଦ୍ର ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗ)କୁ ଏହାର ନିର୍ମା‌ଣ ଦାୟିତ୍ବ ଦିଆଯାଇଛି। ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା କାମ ସରିବ ବୋଲି ଯୋଜନା ରହିଛି। ଯଦିଓ ଏଥିପାଇଁ ସବୁ କିଛି ଚୂଡାନ୍ତ ହୋଇସାରିଛି, କିନ୍ତୁ ଏ ଯାଏ ଡିଜାଇନ୍‌ ଆସିନି। ଏବେ କେବଳ ଓପିଡି କାମ କରାଯାଉଛି ବୋଲି କହିଛନ୍ତି ଶ୍ରୀ ମିଶ୍ର।

ତେବେ ଏ ହସପିଟାଲ୍‌ ତିଆରି ହେଲେ ଲୋକଙ୍କୁ ଆଉ ଭୁବନେଶ୍ବର ଯିବାକୁ ପଡ଼ିବ ନାହିଁ। ବିଭିନ୍ନ ଜଟିଳ ରୋଗର ନିଦାନ ଓ ଚିକିତ୍ସା ଏଠାରେ ସୁବିଧାରେ ହୋଇପାରିବ। ସବୁଠୁ ବଡ଼କଥା ହେଲା, ୨୦୧୭ ସୁଦ୍ଧା ସବୁ କାମ ସରିବାର ଥିଲା। ହେଲେ ଏବେ କେବଳ ଓପିଡି କାମ ସାରିବା ପାଇଁ ଆହୁରି ବର୍ଷେରୁ ଅଧିକ ସମୟ ଲାଗିବ ବୋଲି କୁହାଯାଉଛି। ତାହା ମଧ୍ୟ ନିଶ୍ଚିତ ନୁହେଁ। ଏ ପରିସ୍ଥିତିରେ ବାଲେଶ୍ବରର ସମାଜସେବୀ ସଲିମ ରାଜା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଇମେଲ୍ କରି ଜଣାଇଥିଲେ। ଖୁବଶୀଘ୍ର କାମ ଶେଷ ହେବ ବୋଲି ତାଙ୍କ ପାଖକୁ ଉତ୍ତର ଆସିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର