ଭୁବନେଶ୍ବର : ଆସନ୍ତାକାଲିଠାରୁ ଭୁବନେଶ୍ବରସ୍ଥିତ ଏମ୍ସ ଡାକ୍ତରଖାନାର ଓପିଡି (ଆଉଟ୍ ପେସେଣ୍ଟ ଡିପାର୍ଟମେଣ୍ଟ) ବନ୍ଦ ରହିବ । ଡାକ୍ତରଖାନାର କିଛି କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା କିଛି ରୋଗୀଙ୍କ ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଭୁବନେଶ୍ବର ଏମ୍ସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଏମ୍ସର ନିର୍ଦ୍ଦେଶିକା ଡା.ଗୀତାଞ୍ଜଳି ପଦ୍ମନାଭନ୍ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ମୁତାବକ, ଡାକ୍ତରଖାନାର କିଛି କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା କିଛି ରୋଗୀଙ୍କ ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ ଏବେ ସଙ୍ଗରୋଧରେ ରହିବେ । ଏହା ସହ କିଛି କର୍ମଚାରୀ କରୋନା କଣ୍ଟେନମେଣ୍ଟ ଜୋନରୁ ଆସୁଥିବାରୁ ସେମାନଙ୍କୁ ଏବେ ଆସିବା ପାଇଁ ମନା କରାଯାଇଛି । ଏହି ସବୁ ସମସ୍ୟା ପାଇଁ ଏବେ ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବ ରହିଛି, ଯାହା ପାଇଁ ଏମ୍ସର ଓପିଡି ସେବାକୁ ଆସନ୍ତାକାଲିଠାରୁ ବନ୍ଦ ରଖାଯିବ । କିନ୍ତୁ ରୋଗୀମାନେ ଟେଲି ମେଡିସିନ ସର୍ଭିସେସ୍ ଜରିଆରେ ଡ଼ାକ୍ତରଙ୍କ ସହ କଥା ହୋଇ ନିଜ ସମସ୍ୟା ବିଷୟରେ ପରାମର୍ଶ ନେଇପାରିବେ । ଏହା ସହ ଆସନ୍ତାକାଲିଠାରୁ ଏମ୍ସ ଭୁବନେଶ୍ବର ପକ୍ଷରୁ ସ୍ବାସ୍ଥ୍ୟ ଆପ ଲଞ୍ଚ କରାଯାଉଛି, ଯାହା ଜରିଆରେ ରୋଗୀ ନିଜ ସମସ୍ୟାର ସମାଧାନ ପାଇ ପାରିବେ । ତେବେ ଓପିଡି ବନ୍ଦ ରହିଲେ ମଧ୍ୟ ଡାକ୍ତରଖାନାରେ ଅନ୍ୟ ସବୁ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସ୍ବତନ୍ତ୍ର ଭାବେ କିଡନି ରୋଗୀଙ୍କ ଡାଏଲିସିସ୍ ଓ ରେଡିଓଗ୍ରାଫି ଭଳି ଚିକିତ୍ସା ଜାରି ରହିବ ବୋଲି ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ ୧୯ରେ ଏମ୍ସରେ ପ୍ରଥମ କରୋନା ରୋଗୀ ଭର୍ତ୍ତି ହୋଇଥିଲେ । ସେବେ ଠାରୁ ଆମେ କରୋନା ରୋଗୀଙ୍କ ସହ ଅନ୍ୟ ରୋଗୀଙ୍କ ଚିକିତ୍ସା ମଧ୍ୟ କରିଛୁ । ମାର୍ଚ୍ଚ ୧୯ରୁ ଆଜି ଭିତରେ ଆମେ ୮୫,୨୩୫ରୋଗୀଙ୍କୁ ଓପିଡି ସେବା ଯୋଗାଇ ଦେବା ସହ ୭,୭୨୯ରୋଗୀଙ୍କୁ ଜରୁରୀକାଳୀନ ପରାମର୍ଶ ସେବା ଯୋଗାଇଛୁ । ଏହା ସହ ୩୦୨୭ଟି ସର୍ଜରୀ କରିଛୁ । ପୂର୍ବଭଳି ଆଗକୁ ମଧ୍ୟ ଆମେ ଜରୁରୀ ସେବା ଯୋଗାଇଦେବୁ । କିନ୍ତୁ କାଲିଠାରୁ ଆଗାମୀ ନୋଟିସ ପର୍ଯ୍ୟନ୍ତ ଆମର ଓପିଡି ସେବା ବନ୍ଦ ରହିବ ।