୭ରୁ ଖୋଲିବ ଏମ୍ସ ଓପିଡି, ସ୍ୱାଭାବିକ ହେବ ଅସ୍ତ୍ରୋପଚାର

ଭୁବନେଶ୍ବର : ଫେବ୍ରୁଆରି ୭ ତାରିଖରୁ ଖୋଲିବ ଏମ୍‌ସ ଓପିଡି। କୋଭିଡ୍‌ ସ୍ଥିତିରେ ଆସିଥିବା ସୁଧାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ ହୋଇଥିବା ମେଡିକାଲ ଅଧୀକ୍ଷକ ପ୍ରଫେସର୍‌ ଡା. ଏସ୍‌ ଏନ୍ ମହାନ୍ତି କହିଛନ୍ତି। ପୂର୍ବରୁ ରହିଥିବା କାର୍ଯ୍ୟସୂଚୀ ଅନୁସାରେ, ଓପିଡି କାର୍ଯ୍ୟକାରୀ ହେବ। ନୂତନ ଆଡମିସନ୍‌ ହେଲେ ସନ୍ଦିଗ୍ଧ କୋଭିଡଙ୍କ ପାଇଁ ପ୍ରତ୍ୟେକ ୱାର୍ଡରେ ୪ରୁ ୫ ଲେଖାଏଁ ଶଯ୍ୟା ମହଜୁଦ୍‌ ରଖିବାକୁ ସମସ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରୋଗୀମାନଙ୍କର ନିୟମିତ ଯାଞ୍ଚ ପାଇଁ ସ୍ବାସ୍ଥ୍ୟ ଆପ୍‌ ଏବଂ ଟେଲିମେଡିସିନ୍‌ ଜାରି ରହିବ। ସମସ୍ତ ଆଇପିଡି ଆଡମିସନ୍‌ ଏବଂ ଓଟିଗୁଡ଼ିକ ପୂର୍ବପରି କାର୍ଯ୍ୟ କରିବ। କୋଭିଡ୍‌ ପ୍ରସୂତି କକ୍ଷ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଜାନୁଆରି ୧୭ରୁ ଏମ୍‌ସ ଓପିଡି ସେବାକୁ ସାମୟିକ ସମୟ ପାଇଁ ବନ୍ଦ କରିଦିଆଯାଇଥିଲା। ଏହାର ବିକଳ୍ପ ବ୍ୟବସ୍ଥା ଭାବରେ ଟେଲିମେଡିସିନ୍ ଏବଂ ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ଉପରୋକ୍ତ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଇଛି। ଯେଉଁମାନେ ଶାରୀରିକ ପରାମର୍ଶ ଆବଶ୍ୟକ କରନ୍ତି, ସେମାନଙ୍କୁ ଓପିଡିକୁ ଡକାଯାଇଛି। ଆବଶ୍ୟକ କ୍ଷେତ୍ରରେ ସେମାନଙ୍କୁ ଚିକିତ୍ସା ପାଇଁ ଇନ୍‌ଡୋର ସୁବିଧାରେ ଭର୍ତ୍ତି କରାଯାଇଥିବା ମେଡିକାଲ ଅଧୀକ୍ଷକ ଡ. ଏସ୍‌ ଏନ୍‌ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର