ଭୁବନେଶ୍ବର ଏମ୍‌ସ ଛାତ୍ରୀ ଭିନିଥା କେ. ଟପର୍‌

ଭୁବନେଶ୍ବର : ଏମ୍‌ସ-ପିଜି ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ନୂଆଦିଲ୍ଲୀ ଏମ୍‌ସ ପକ୍ଷରୁ ପ୍ରକାଶିତ ପରୀକ୍ଷା ଫଳରେ ଭୁବନେଶ୍ବର ଏମ୍‌ସ ଛାତ୍ରୀ ଡା. ଭିନିଥା କେ. ‌ଦେଶର ଟପର୍‌ ହୋଇଛନ୍ତି। ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ସେ ଭୁବନେଶ୍ବର ଏମ୍‌ସ ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ସେ ୧୦୦ ପରସେଣ୍ଟାଇଲ୍‌ ରଖିଛନ୍ତି। ଭିନିଥାଙ୍କ ସମେତ ଦେଶର ସମସ୍ତ ଏମ୍‌ସର ମୋଟ ୨୯ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟ‌ରେ ସ୍ଥାନ ହାସଲ କରିଛନ୍ତି। ଭୁବନେଶ୍ବର ସମେତ ଯୋଧପୁର ଓ ଋଷି‌‌‌କେଶ ଏମ୍‌ସର ୬ଜଣ ଲେଖାଏଁ ଛାତ୍ରଛାତ୍ରୀ ଏହି ତାଲିକାରେ ଥିବା ବେଳେ ନୂଆଦିଲ୍ଲୀ ଏମ୍‌ସର ୪ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ମୋଟ ୪୩୩୫ଜଣ ଛାତ୍ରଛାତ୍ରୀଙ୍କୁ ରୢାଙ୍କ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ଭୁବନେଶ୍ବର ଏମ୍‌ସର ୭୪ଜଣ ରହିଛନ୍ତି। ଅନ୍ୟ ଏମ୍‌ସଗୁଡ଼ିକ ତ‌ୁଳନାରେ ଭୁବନେଶ୍ବର ଏମ୍‌ସର ଛାତ୍ରଛାତ୍ରୀ ଏଥର ଉନ୍ନତ ପ୍ରଦର୍ଶନ କରିଛନ୍ତି। ଏଭଳି ସଫଳତା ନେଇ ଭୁବନେଶ୍ବର ଏମ୍‌ସର ନିର୍ଦ୍ଦେଶିକା ଗୀତାଞ୍ଜଳି. ବି ଖୁସି ବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଦେବା ସହ ସମସ୍ତ ଅଧ୍ୟାପକଙ୍କୁ ଧନ୍ୟବାଦ ଦେଇଛନ୍ତି। ମେଡିକାଲ ସାଇନ୍ସ କ୍ଷେତ୍ରରେ ଭୁବନେଶ୍ବର ଏମ୍‌ସ ଭବିଷ୍ୟତରେ ଏକ ପ୍ରମୁଖ ପେଣ୍ଠସ୍ଥଳ ପାଲଟିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର