କିଡ୍‌ନି ପ୍ରତିରୋପଣ ପାଇଁ ଏମ୍‌ସ ପ୍ରସ୍ତୁତ: ଅନୁମତି ଦେବାରେ ରାଜ୍ୟ ସରକାରଙ୍କ ଅସୁବିଧା କେଉଁଠି?

ଭୁବନେଶ୍ୱର : କିଡ୍‌ନି ପ୍ରତିରୋପଣ ପାଇଁ ଏମ୍‌ସ ପୂରା ପ୍ରସ୍ତୁତ। ୟୁରୋଲୋଜି ବିଭାଗରେ ପ୍ରତିରୋପଣ ଓଟି, ଆଇସିୟୁ, ୟୁରୋଲୋଜି ଟିମ୍‌, ନିଶ୍ଚେତକ, ୱାର୍ଡ, ବାୟୋକେମେଷ୍ଟ୍ରି, ପେଥୋଲୋଜି, ରେଡିଓଲୋଜି ଆଦି ସବୁ ସୁବିଧା ରହିଛି। ବର୍ତ୍ତମାନ ଏଠି ରୋଗୀଙ୍କ ଡାଏଲିସିସ୍‌ କରାଯାଉଛି। ଗତ ନଭେମ୍ବରରେ କଟକ ବଡ଼ ଡାକ୍ତରଖାନା(ଏସ୍‌ସିବି)ର ଏକ ବିଶେଷଜ୍ଞ ଦଳ ଏମ୍‌ସରେ କିଡ୍‌ନି ପ୍ରତିରୋପଣ ପାଇଁ ଭିତ୍ତିଭୂମି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଦେଖି ସକାରାତ୍ମକ ରିପୋର୍ଟ ଦେଇସାରିଛନ୍ତି। କିନ୍ତୁ, ସବୁ ପରେ ବି ରାଜ୍ୟ ସରକାର ଏମ୍‌ସରେ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ପାଇଁ କାହିଁକି ଅନୁମତି ଦେଉନାହାନ୍ତି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘରୋଇ ଡାକ୍ତରଖାନାର ଲାଭ ପାଇଁ ରୋଗୀଙ୍କ ସ୍ବାର୍ଥକୁ ବଳି ପକାଯାଉନି ତ? ସାଧାରଣରେ ଏବେ ଏଭଳି ଅଭିଯୋଗ ଉଠିଲାଣି।

ଏମ୍‌ସ ଏକ ଜାତୀୟସ୍ତରର ଭରସାଯୋଗ୍ୟ ସ୍ବାସ୍ଥ୍ୟାନୁଷ୍ଠାନ ହୋଇଥିବାରୁ ରାଜ୍ୟ ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର ଓ ଛତିଶଗଡ଼ ଭଳି ରାଜ୍ୟ ବାହାରର ରୋଗୀଙ୍କ ଏଠାକୁ ସୁଅ ଛୁଟିଥାଏ। କିଡ୍‌ନି ରୋଗ ଏକ ଜଟିଳ ରୋଗ ଓ ଘରୋଇ ହସ୍ପିଟାଲରେ ଏହାର ଚିକିତ୍ସା କରାଇଲେ, ରୋଗୀଙ୍କୁ ୧୦ରୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେଣୁ ଗରିବ, ମଧ୍ୟବିତ୍ତ କିଡ୍‌ନି ରୋଗୀ ଏହାର ଚିକିତ୍ସା ପାଇଁ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ ଉପରେ ନିର୍ଭର କରିଥା’ନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ, ଏବେ ରାଜ୍ୟରେ କେବଳ ଏସ୍‌ସିବି ହିଁ ଏ କ୍ଷେତ୍ରରେ ଗୋଟିଏ ମାତ୍ର ସ୍ବାସ୍ଥ୍ୟକେନ୍ଦ୍ର। ସମ୍ବଲପୁରସ୍ଥିତ ଭିମସାରରେ ରାଜ୍ୟରେ ପ୍ରଥମ କିଡନି ପ୍ରତିରୋପଣ ହୋଇଥିଲେ ମଧ୍ୟ ଏବେ ଏହା ଅଚଳ ପଡ଼ିଛି। ବ୍ରହ୍ମପୁର ଏମ୍‌କେସିଜିରେ ବି ଏ ସୁବିଧା ନାହିଁ। ତେଣୁ ଏମ୍‌ସରେ ପ୍ରତିରୋପଣ କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ, ଏସସିବି ପରେ ରାଜ୍ୟରେ ଏହା ଦ୍ବିତୀୟ ସରକାରୀ ଡାକ୍ତରଖାନା ହେବ, ଯେଉଁଠି କିଡ୍‌ନି ରୋଗୀଙ୍କୁ ଏ ସୁବିଧା ମିଳିପାରିବ। ଖାଲି ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ, ବିହାର ଏବଂ ଛତିଶଗଡ଼ର ମଧ୍ୟ ଅନେକ ରୋଗୀ ଉପକୃତ ହୋଇପାରି‌ବେ। କିନ୍ତୁ ରାଜ୍ୟ ସରକାର ଅନୁମତି ଦେବାରେ ବିଳମ୍ବ କରୁଥିବାରୁ ରୋଗୀ ଓ ଅଭିଭାବକଙ୍କ ମଧ୍ୟରେ ନିରାଶା ବଢ଼ିବାରେ ଲାଗିଛି।
ଅନ୍ୟପକ୍ଷରେ, ବର୍ତ୍ତମାନ କିଡ୍‌ନି ପ୍ରତିରୋପଣ ପାଇଁ ଏମ୍‌ସ‌ରେ ଭିତ୍ତିଭୂମି ସଂପୂର୍ଣ୍ଣ ପ୍ରସ୍ତୁତ। ପ୍ରତିରୋପଣ କେନ୍ଦ୍ର ପାଇଁ ଅନୁମତି ମିଳିଗଲେ ପ୍ରାଥମିକ ପର୍ଯ୍ୟାୟରେ ସପ୍ତାହରେ ଜଣେ କିମ୍ବା ଦୁଇ ଜଣଙ୍କ ପ୍ରତିରୋପଣ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଅଙ୍ଗଦାନ କରିଥିବା ଅନ୍ୟ ବ୍ୟକ୍ତିଙ୍କ କିଡନି ମଧ୍ୟ ପ୍ରତିରୋପଣ କରିବା ପାଇଁ ଲକ୍ଷ୍ୟ ରଖିଛି ଏମ୍‌ସ। କିଡନି ପ୍ରତିରୋପଣ ପରେ ଲିଭର ପ୍ରତିରୋପଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବାର ଯୋଜନା ରଖାଯାଇଛି।

ସୂଚନା ଅନୁଯାୟୀ, ଏମ୍‌ସ ଓପିଡିକୁ ଦୈନିକ ୬୦ରୁ୭୦ ରୋଗୀ ଆସିଥାଆନ୍ତି। ସୋମବାର, ବୁଧବାର ଏବଂ ଶୁକ୍ରବାର ଓପିଡିରେ ଡାକ୍ତର ଦେଖନ୍ତି। ସେହି ଅନୁଯାୟୀ, ସପ୍ତାହରେ ରୋଗୀ ସଂଖ୍ୟା ୧୮୦ରୁ ୨୧୦ ହୋଇଯାଏ। ମାସକୁ ୮୦୦ରୁ ୮୫୦ ରୋଗୀଙ୍କ ଡାଏଲିସିସ କରାଯାଉଛି। କୋଭିଡ୍‌ ଯୋଗୁଁ ରୋଗୀ ସଂଖ୍ୟା ହ୍ରାସ କରାଯାଇଛି। ଏହା ସତ୍ତ୍ବେ ମାସକୁ ୮ରୁ ୧୦ ଜଣ ଏଭଳି ରୋଗୀ ଆସୁଛନ୍ତି, ଯେଉଁମାନଙ୍କ କମ୍‌ ବୟସରେ ଉଭୟ କିଡନି ନଷ୍ଟ ହୋଇଯାଇଛି। ସେମାନେ ପ୍ରତିରୋପଣ ପାଇଁ ଇଚ୍ଛୁକ। ମାତ୍ର ଏମ୍‌ସରେ ପ୍ରତିରୋପଣ ସୁବିଧା ଅଭାବରୁ ସେମାନଙ୍କୁ ବାଧ୍ୟ ହୋଇ ବାହାରକୁ ରେଫର କରାଯାଉଛି। ଏଭଳି ସ୍ଥିତିରେ ଏମ୍ସରେ କିଡନି ପ୍ରତିରୋପଣ କେନ୍ଦ୍ର ଅନେକଙ୍କୁ ସୁସ୍ଥ ଜୀବନ ଦେବ। ରାଜ୍ୟ ସରକାର ଏହା କେବେ ବୁଝିବେ ତାକୁ ହିଁ ଅପେକ୍ଷା।

ସମ୍ବନ୍ଧିତ ଖବର