ସୁନ୍ଦରଗଡ଼: ସୁନ୍ଦରଗଡ଼ ଠାରେ ପ୍ରସ୍ତାବିତ ରାଜ୍ୟର ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ଭାଗ୍ୟ କେଉଁଠି? ବାଲେଶ୍ବରରେ ଏମ୍ସର ସାଟେଲାଇଟ୍ କେନ୍ଦ୍ର ଖୋଲି ୨ ମାସ ମଧ୍ୟରେ ଚିକିତ୍ସା ସେବା ଯୋଗାଇ ଦିଆଯିବାକୁ ପ୍ରକ୍ରିୟା ଆରମ୍ଭ ହେବାପରେ ଏଠାକାର ଲୋକଙ୍କ ମଧ୍ୟରେ ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଚି।
ସୁନ୍ଦରଗଡ଼ ଏନ୍ଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଓଡ଼ିଶାର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପରେ ଗତ ୨୦୨୧ ଏପ୍ରିଲ ୩ ତାରିଖରେ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବତମାନାବାନେଙ୍କ ନେତୃତ୍ବରେ ୯ ଜଣିଆ କେନ୍ଦ୍ର ବୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ଏହାପରେ ଟିମ୍ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ରିପୋର୍ଟ ଦେଇଥିଲା। କିନ୍ତୁ ଏଯାଏ ଏହା ଉପରେ କେନ୍ଦ୍ର ସରକାର କୌଣସି ପଦେକ୍ଷପ ଗ୍ରହଣ କରିନାହାନ୍ତି। ଏପଟେ ଏ ପ୍ରସଙ୍ଗରେ ରାଜ୍ୟ ବି କେନ୍ଦ୍ର ଉପରେ କୌଣସି ଚାପ ପକାଇବା ପରିବର୍ତ୍ତେ ନିରବ ରହି ଆସିଛି।
ତେବେ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଲଢ଼େଇ ଜାରି ରଖିବେ କହି ସୁନ୍ଦରଗଡ଼ବାସୀଙ୍କୁ ଆଶ୍ବାସନା ଦେଇଥିଲେ। କିନ୍ତୁ ୨୦୧୩ ଡିସେମ୍ବର ୧୩ରେ ଏନ୍ଟିପିସି ସହ ରାଜ୍ୟ ସରକାରଙ୍କ ହୋଇଥିବା ଚୁକ୍ତି ଅନୁସାରେ ରାଜ୍ୟ ସରକାର ଏବେ ଏନ୍ଟିପିସି ହସ୍ପିଟାଲରେ ସରକାରୀ ମେଡ଼ିକାଲ କଲେଜ ଖୋଲିବାକୁ ଯାଉଛନ୍ତି। ବାଲେଶ୍ବରରେ ଏମ୍ସର ସାଟେଲାଇଟ୍ କେନ୍ଦ୍ର ସହ ରାଜ୍ୟ ସରକାରଙ୍କ ଏ ପଦକ୍ଷେପ ସୁନ୍ଦରଗଡ଼ ଏନ୍ଟିପିସିରେ ଦ୍ବିତୀୟ ଏମ୍ସ ବାଟକୁ ଏକପ୍ରକାର ବନ୍ଦ କରି ଦେଇଛି ବୋଲି ଜିଲ୍ଲାରେ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ, ସୁନ୍ଦରଗଡ଼ଠାରେ ସରକାରୀ ମେଡ଼ିକାଲ କଲେଜ ଖୋଲିବାକୁ ତତ୍ପରତା ପ୍ରକାଶ କରି ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରୁ ୧୦୦ ସିଟ୍ରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରାଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଚାଲିଥିବାବେଳେ ଏକାଡେମିରେ ପିଲା ପାଠ ପଢ଼ି ପ୍ରଥମେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସା ସେବାଦେବେ ବୋଲି ଯୋଜନା ରହିଛି। ଏହି କଲେଜ ଏନ୍ଟିପିସି ମେଡ଼ିକାଲ କଲେଜ ପାଇଁ ତିଆରି ହୋଇଥିବା କୋଠାରେ ହେବ ବୋଲି କୁହାଯାଉଛି। ତେଣୁ ସୁନ୍ଦରଗଡ଼ ଏନ୍ଟିପିସି ମେଡ଼ିକାଲ କଲେଜରେ ଏମ୍ସ ପ୍ରତିଷ୍ଠା ସମ୍ଭାବନା ଏକପ୍ରକାର ପାଣିରେ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଏହାକୁ କୋଟିକୋଟି ଟଙ୍କା ରାଜସ୍ବ ଦେଉଥିବା ସୁନ୍ଦରଗଡ଼ ଜିଲ୍ଲା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅବହେଳାର ଏକ ଚିତ୍ର ଭାବେ ଆଲୋଚନା ହେଉଛି।