ଖଣ୍ଡଗିରି : ହାଓ୍ଵଡ଼ାରେ ନିଖୋଜ ହୋଇ ଯାଇଥିବା ଭୁବନେଶ୍ୱର ଏମ୍ସର କଶ୍ମୀର ଛାତ୍ର ସୋହେଲ୍ ଆଇଜାଦ୍ଙ୍କୁ ନେଇ ଏବେ ତିନି ତିନିଟି ରାଜ୍ୟ ପୁଲିସ ବିଭାଗର ମୁଣ୍ଡବିନ୍ଧା ବଢ଼ି ଯାଇଛି। ସୋହେଲଙ୍କ ସନ୍ଧାନରେ ପଶ୍ଚିମବଙ୍ଗ ଯାଇଥିବା କମିସନରେଟ୍ ପୁଲିସର ଟିମ୍ ଗତ ୩ ଦିନ ହେଲା ହାଓ୍ଵଡ଼ାରୁ କୋଲକାତା ବୁଲି ବୁଲି ନୟାନ୍ତ ହୋଇଗଲାଣି ସିନା ତାଙ୍କ ବାବଦରେ କିଛି ବି ଟେର୍ ମିଳିନାହିଁ। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ପୁଲିସଠାରୁ କୌଣସି ସକାରାତ୍ମକ ଖବର ନ ମିଳିବାରୁ ଜମ୍ମୁକଶ୍ମୀର ପୁଲିସ ମଧ୍ୟ ମାମଲାକୁ ଅଧିକ ଗୁରୁତ୍ୱର ସହ ନେଇଥିବା ସୂଚନା ମିଳିଛି। ସୋହେଲଙ୍କ ପତ୍ତା ମିଳିବା ଯେତିକି ବିଳମ୍ବ ହେଉଛି, ତାଙ୍କର ଆତଙ୍କବାଦୀ ଲିଙ୍କ୍କୁ ନେଇ ସନ୍ଦେହ ସେତିକି ବଢ଼ି ବଢ଼ି ଚାଲିଛି। ସୋହେଲଙ୍କ ମୋବାଇଲ୍ କଲ୍ ରେକର୍ଡ, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପ୍ରକ୍ରିୟା ସରିନଥିବାରୁ ବି ଏହି ମାମଲା ଦିନକୁ ଦିନ ଅଧିକରୁ ଅଧିକ ରହସ୍ୟମୟ ହେବା ସହ ଉତ୍କଣ୍ଠା ବଢ଼ାଇ ଚାଲିଛି।
ସୂଚନାନୁସାରେ କମିସନରେଟ୍ ପୁଲିସର ଖଣ୍ଡଗିରି ଥାନା ଟିମ୍ କୋଲକାତାରେ ଆଜି ବ୍ୟାପକ ତଲାସି କରି ବିଫଳ ହୋଇଛି। ଗତ ଦୁଇ ଦିନ ଧରି ଏହି ଟିମ୍ ପ୍ରଥମେ ହାଓ୍ଵଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍ ଖୋଜି ଫେଲ୍ ମାରିଥିଲା। ପରେ ବିଭିନ୍ନ ଥାନାରେ ହୋଇଥିବା ଅପମୃତ୍ୟୁ ମାମଲା ବାବଦରେ ଖବର ସଂଗ୍ରହ କରିଥିଲା। ପୁଲିସ ଦ୍ୱାରା ଜବତ ହୋଇଥିବା ଅଜଣା ବ୍ୟକ୍ତିଙ୍କ ମୃତଦେହ ଓ କିଛି ଫଟୋ ଦେଖିଥିଲା। ମାତ୍ର ସେସବୁରୁ ସୋହେଲଙ୍କ ବାବଦରେ କିଛି ପତ୍ତା ମିଳିନଥିଲା। ଆଜି ସୋହେଲଙ୍କ ଗାଁର ତଥା ନିକଟ ସମ୍ପର୍କୀୟ ଭାଇ ଇସ୍ତ୍ୟାକ୍ ଖାଁ କୋଲକାତା ଆସି ଏହି ଟିମ୍ ସହ ସୋହେଲ୍ ସନ୍ଧାନରେ ଲାଗି ପଡ଼ିଥିଲେ। ଆଜିର କାର୍ଯ୍ୟକ୍ରମ ଅନୁସାରେ ପୁଲିସ ଟିମ୍ ପ୍ରଥମେ ହାଓ୍ଵଡ଼ା ଷ୍ଟେସନର ଟ୍ରେନ୍ ସିଟ୍ ସଂରକ୍ଷଣ ଅଧିକାରୀଙ୍କୁ ଭେଟିଥିଲା। କାଳେ ଗତ ୧୦ ତାରିଖ ଦିନ ଏଠାରୁ ସୋହେଲ ଅନ୍ୟ କୌଣସି ଟ୍ରେନ୍ରେ ଯାତ୍ରା କରିଥିବେ ବୋଲି ପୁଲିସ ଏଭଳି ପଦକ୍ଷେପ ନେଇଥିଲା। ମାତ୍ର ସେଠାରୁ କିଛି ନ ମିଳିବା ପରେ ପୁଲିସ ଟିମ୍ ନିଉ କୋଲାଘାଟ୍ସ୍ଥିତ ଡିଭିଜ୍ନାଲ୍ କମର୍ସିଆଲ୍ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ସିଟ୍ ସଂରକ୍ଷଣର ଡାଟାବେସ୍ ଖୋଳତାଡ଼ କରିଥିଲା। ମାତ୍ର ସୋହେଲ ସେଠାରୁ କେଉଁଆଡ଼େ ଯାତ୍ରା କରିଥିବା ସୂଚନା ମିଳିନଥିଲା। ଏମିତିକି ଚଣ୍ଡୀଗଡ଼ ବା ଦିଲ୍ଲୀ ଯାଇଥିବା ଟ୍ରେନ୍ ଉପରେ ପୁଲିସ ଅଧିକ ସନ୍ଧାନ ଚଳାଇଥିଲା। ସୂଚନାନୁସାରେ ପୁଲିସ ସହ ଥିବା ସୋହେଲଙ୍କ ଭାଇ ଇସ୍ତାକ୍ ପୁଲିସକୁ ଯେତିକି ସମ୍ଭାବ୍ୟ କଥା କହୁଥିଲେ, ପୁଲିସ ସେହି ସେହି ଦିଗକୁ ନେଇ ତଦନ୍ତ ଚାଲୁ ରଖିଛି। ମାତ୍ର ଆଜି ରାତି ସୁଦ୍ଧା ପୁଲିସକୁ ସେଭଳି କିଛି ବି ସନ୍ଧାନର ସୂତ୍ର ମିଳିନଥିବା ଜଣାପଡ଼ିଛି।
କୋଲକାତା ଗଣମାଧ୍ୟମରେ ସୋହେଲଙ୍କ କଥା
ଓଡ଼ିଶା ପୁଲିସ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ୩ ଦିନ ହେଲା କୋଲକାତାରେ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ପଶ୍ଚିମବଙ୍ଗ ଗଣମାଧ୍ୟମ ଏହାକୁ ଗୁରୁତ୍ୱ ଦେଇଛି। ଆଜି କିଛି ଖବରକାଗଜରେ ସୋହେଲଙ୍କ ଫଟୋ ସହ ଖବର ପ୍ରସାରିତ ହୋଇଛି। ତେବେ କିଛି ଖବରକାଗଜ ତାଙ୍କୁ ଭୁଲବଶତଃ ଦିଲ୍ଲୀ ଏମ୍ସ ଛାତ୍ର ବୋଲି ପ୍ରକାଶ କରିଛନ୍ତି। ଏମିତିକି କିଛି ସ୍ଥାନୀୟ ନିଉଜ୍ ଚ୍ୟାନେଲ୍ ମଧ୍ୟ ସୋହେଲ ନିଖୋଜ ଖବର ପ୍ରସାରଣ କରିଛନ୍ତି। ତେଣୁ ଯଦି ସୋହେଲ କୋଲକାତାରେ କେଉଁଠି ଆତ୍ମଗୋପନ କରିଥିବେ, ତେବେ ଗଣମାଧ୍ୟମରେ ଏଭଳି ଖବର ପ୍ରସାରଣ ତାଙ୍କୁ ଠାବ କରିବାରେ ସହାୟକ ହୋଇପାରେ ବୋଲି ଆଶା କରାଯାଉଛି।