ଆସୁନି କେନ୍ଦ୍ର ସରକାରଙ୍କ ସହମତି ରିପୋର୍ଟ, ଅନିଶ୍ଚିତତାରେ ଏମ୍ସ ସୁନ୍ଦରଗଡ଼

ପଶ୍ଚିମ ଓଡ଼ିଶାର ଡାକ୍ତରଖାନାରେ ନାହିଁ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ
ଚାପ ଦେବେ କି ପଶ୍ଚିମ ଓଡ଼ିଶାର ୫ ବିଜେପି ସାଂସଦ, ରାଜ୍ୟ ସରକାର!

ଭୁବନେଶ୍ବର : ଏମ୍ସ ଭୁବନେଶ୍ବର ଏବେ ପ୍ରବଳ ଚାପଗ୍ରସ୍ତ। ପ୍ରତିଦିନ ଓପିଡିକୁ ଆସୁଛନ୍ତି ୩ ହଜାରରୁ ଊର୍ଧ୍ବ ରୋଗୀ। ଏଥିରୁ ଅନେକ ରୋଗୀ ପଶ୍ଚିମ ଓଡ଼ିଶାର। ପଶ୍ଚିମ ଓଡ଼ିଶାରେ ଥିବା ବିଭିନ୍ନ ଡାକ୍ତରଖାନାରେ ଗୁରୁତ୍ବପୂର୍ଣ୍ଣ ବିଭାଗ ନଥିବାରୁ ପ୍ରତିଦିନ ଶହଶହ ରୋଗୀ ଖର୍ଚ୍ଚାନ୍ତ ହୋଇ ଏବଂ ହଇରାଣ ହରକତ ହୋଇ ଭୁବନେଶ୍ବର ଏମ୍ସକୁ ଆସୁଛନ୍ତି। ଏମିତି ସମୟରେ ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଆଶାର କିରଣ ସୃଷ୍ଟି କରିଥିଲା। ମାତ୍ର ଏଯାଏ ଏଥିପାଇଁ କେନ୍ଦ୍ର ସରକାରଙ୍କ ସହମତି ରିପୋର୍ଟ ଆସିନାହିଁ। ତେଣୁ ରାଜ୍ୟ ସରକାରଙ୍କ ସହିତ ପଶ୍ଚିମ ଓଡ଼ିଶାର ୫ ବିଜେପି ସାଂସଦ ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି।

ଉତ୍ତରପ୍ରଦେଶରେ ୩ଟି, ବିହାରରେ ୨ଟି ଭଳି ଓଡ଼ିଶାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଛି। ଏ ନେଇ ଏମ୍ସ ଭୁବନେଶ୍ବର ନିର୍ଦେଶିକା ଗୀତାଞ୍ଜଳୀ ବି, ଡିଏମଇଟି ସିବିକେ ମହାନ୍ତିଙ୍କ ସମେତ ୯ ଜଣିଆ ବୈଷୟିକ ଦଳ ସୁନ୍ଦରଗଡ଼ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ନିର୍ମାଣ ହୋଇଥିବା ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ, ୫ ଶହ ଶଯ୍ୟାର ଡାକ୍ତରଖାନା କୋଠା ଦେଖିଥିଲେ। ଆଦିବାସୀ ଅଧ୍ୟୁଷିତ ପଶ୍ଚିମ ଓଡ଼ିଶାର ପଙ୍ଗୁ ସ୍ବାସ୍ଥ୍ୟ ସେବା, ଡାକ୍ତରଖାନା ପାଇଁ ସୁଦୃଢ ଭିତ୍ତିଭୂମିକୁ ଦୃଷ୍ଟିରୁ ଯଥାଶୀଘ୍ର ଏମ୍ସ ସୁନ୍ଦରଗଡ଼ ପାଇଁ ସବୁଜ ସଙ୍କେତ ମିଳିଯିବ ବୋଲି ଆଶା ରହିଥିଲା। ମାତ୍ର ଇତିମଧ୍ୟରେ ୪ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ବି କେନ୍ଦ୍ରରୁ କୌଣସି ଉତ୍ତର ଆସି ନାହିଁ। ଅନ୍ୟଦିଗରେ ପଶ୍ଚିମଓଡ଼ିଶାରେ ଥିବା ବଡ଼ ଡାକ୍ତରଖାନା ଏପରିକି ଭିମସାର୍‌ରେ ମଧ୍ୟ ହେମାଟୋଲୋଜି, ଗ୍ୟାଷ୍ଟ୍ରୋ ଏଣ୍ଡୋକ୍ରାଇନୋଲୋଜି(ପାକକ୍ରିୟା, ପେଟରୋଗ), ଶିଶୁଶଲ୍ୟ, ହୃଦଶଲ୍ୟ, ପ୍ଲାଷ୍ଟିକ ସର୍ଜରି, ଗଣ୍ଠିବାତ, ସ୍ପାଇନାଲ ସର୍ଜରି(ଅଣ୍ଟାବାତ ଅସ୍ତ୍ରୋପଚାର) ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ହିଁ ନାହିଁ। ରାଜ୍ୟର ସର୍ବାଧିକ କର୍କଟ ରୋଗୀ ପଶ୍ଚିମଓଡ଼ିଶାରେ ଅଛନ୍ତି। କିନ୍ତୁ ଏଠାରେ ରେଡିଓଥେରାପି ବ୍ୟତୀତ ଅନ୍ୟ କୌଣସି ଚିକିତ୍ସା ହୁଏ ନାହିଁ। ଏମ୍ସ ଭୁବନେଶ୍ବରରେ ବରିଷ୍ଠ ଡାକ୍ତରଙ୍କ ସହିତ କନଫରମାଲ ଫର୍ମ ଅଫ ରେଡିଓଥେରାପି, ବ୍ରାକିଥେରାପି, ଇଣ୍ଟ୍ରାଅପରେଟିଭ ରେଡିଓଥେରାପି, ଇଣ୍ଟରସ୍ପେସିଆଲ ରେଡିଓଥେରାପି, ବ୍ରେଷ୍ଟ କଂଜରଭେସନ ସର୍ଜରି, ବ୍ରେନ ଟ୍ୟୁମର ରେଡିଓଥେରାପି, ପ୍ରୋଷ୍ଟେଟ କ୍ୟାନସର ପାଇଁ ସ୍ବତନ୍ତ୍ର ରେଡିଓଥେରାପି ସମେତ ବିଭିନ୍ନ ଉଚ୍ଚମାନର ଚିକିତ୍ସା ସୁବିଧା ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ରକ୍ତଶିକୁଳି, ଥାଲାସେମିଆ ରୋଗ ପଶ୍ଚିମଓଡ଼ିଶାରେ ହିଁ ସର୍ବାଧିକ ଦେଖାଯାଏ। ସେହି ଦୃଷ୍ଟିରୁ ସେଠାରେ ହେମାଟୋଲୋଜି ବିଭାଗର ନିତାନ୍ତ ଆବଶ୍ୟକତା ରହିଛି। ଭିମସାରରେ ସ୍ବତନ୍ତ୍ର ସିକଲିନ ୟୁନିଟ ଥିଲେ ବି ହେମାଟୋଲୋଜି ବିଭାଗ ନାହିଁ। କିଛି ରୋଗୀ ଏମ୍ସ ଭୁବନେଶ୍ବର ଏବଂ ଅଧିକାଂଶ ରାୟପୁରକୁ ଯାଉଛନ୍ତି।

ଅନ୍ୟପକ୍ଷରେ ହୃଦଶଲ୍ୟ ବିଭାଗ କେବଳ ଏମ୍ସ ଭୁବନେଶ୍ବର ଏବଂ ଏସ୍‌ସିବିରେ ରହିଛି। ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାରେ ସ୍ଥିତ ଡାକ୍ତରଖାନାରେ ଏହି ବିଭାଗ ନାହିଁ। ଏମ୍ସ ହୃଦଶଲ୍ୟ ବିଭାଗକୁ ମାସକୁ ପ୍ରାୟ ଏକ ହଜାର ରୋଗୀ ଆସିଥାଆନ୍ତି। ଏଥିମଧ୍ୟରୁ ୪୦ ପ୍ରତିଶତ ପଶ୍ଚିମ ଓଡ଼ିଶାର। ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଏକ୍‌ମୋ ମେସିନ ଏହି ବିଭାଗ ଅନ୍ତର୍ଗତରେ ହିଁ କାର୍ଯ୍ୟ କରୁଛି। କିନ୍ତୁ ଯୋଗାଯୋଗ, ରହଣି, ରେଫରେନ୍ସ, ପ୍ରଚାର-ପ୍ରସାର ସମସ୍ୟା ଯୋଗୁଁ ପଶ୍ଚିମବଙ୍ଗର ମେଦିନୀପୁରରୁ ଯେତେ ସଂଖ୍ୟାରେ ରୋଗୀ ଏମ୍ସ ଭୁବନେଶ୍ବରକୁ ଆସନ୍ତି; ନିଜ ରାଜ୍ୟରେ ଥାଇ ବି ପଶ୍ଚିମ ଓଡ଼ିଶାର ସେତେ ସଂଖ୍ୟକ ରୋଗୀ ଏଠିକୁ ଆସି ପାରୁ ନାହାନ୍ତି। ଭିମସାରରେ ଅଧିକାଂଶ ଗୁରୁତର ରୋଗୀଙ୍କୁ ଏସସିବିକୁ ରେଫର କରାଯାଉଛି ସିନା ଏମ୍ସକୁ କରାଯାଉ ନାହିଁ। ଅନେକ ରୋଗୀ ବିଳମ୍ବରେ ଆସୁଥିବାରୁ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନାହାନ୍ତି। ଦୂରତା ଦୃଷ୍ଟିରୁ ଏମ୍ସକୁ ଆସିବା ପାଇଁ ଆବଶ୍ୟକ ଆମ୍ବୁଲାନ୍ସ ଖର୍ଚ ତୁଲାଇବା ପାଇଁ ଜମି ବନ୍ଧା ପକାଇବାକୁ ପଡ଼ିଥିବା କଳାହାଣ୍ଡିର ଅନେକ ରୋଗୀ କହିଛନ୍ତି। ଏଠାରେ ରହିବା ସମସ୍ୟା ଯୋଗୁଁ ଅନେକ କର୍କଟ ରୋଗୀ ଅଧାରୁ ଚିକିତ୍ସା ଛାଡ଼ିଥିବା ଅନେକ ସାମାଜିକ ସଙ୍ଗଠନ କହନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, କେବଳ ଭୁବନେଶ୍ବର ଏମ୍ସ ଭଳି କୋଠା ନୁହେଁ; ଏଠାରେ କାର୍ଯ୍ୟରତ ଉଚ୍ଚମାନର ଡାକ୍ତର କିଭଳି ସୁନ୍ଦରଗଡ଼ ଏମ୍ସକୁ ମଧ୍ୟ ମିଳିବେ ସେଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ପଶ୍ଚିମ ଓଡ଼ିଶାରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ଯଥାଶୀଘ୍ର ହେଉ ଏଥିପ୍ରତି ଦଳମତ ନିର୍ବିଶେଷରେ ସମସ୍ତେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ ବୋଲି ମତ ପ୍ରକା‌ଶ ପାଇଛି।

ସମ୍ବନ୍ଧିତ ଖବର