ଏମ୍ସରେ ହେବ ସାଟେଲାଇଟ୍‌ ବ୍ରେନ ବ୍ୟାଙ୍କ୍‌, ମସ୍ତିଷ୍କ ଓ ସ୍ନାୟୁଗତ ରୋଗର ଗବେଷଣା ହେବ

ପ୍ରଥମ ପର୍ଯ୍ୟାୟରେ ଆଇସିଏମ୍‌ଆର୍‌ ମଞ୍ଜୁର କଲା ୪୭ ଲକ୍ଷ ଟଙ୍କା

ଭୁବନେଶ୍ବର : ସ୍ନାୟୁଗତ ରୋଗର ଗବେଷଣା ଲାଗି ଏମ୍ସରେ ହେବ ସାଟେଲାଇଟ୍‌ ବ୍ରେନ୍‌ ବ୍ୟାଙ୍କ୍‌। ଏଥିରେ ମସ୍ତିଷ୍କ ସର୍ଜରି ପରେ ବାହାରୁଥିବା ଟ୍ୟୁମର ଏବଂ ମସ୍ତିଷ୍କଜନିତ ରୋଗରେ ମୃତ ବ୍ୟକ୍ତିଙ୍କ ମସ୍ତିଷ୍କଗୁଡ଼ିକୁ ଏକାଠି କରି ଗବେଷଣା କରାଯିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ଗତ ବର୍ଷକ ମଧ୍ୟରେ ମିଳିଥିବା ପ୍ରାୟ ୫୦ରୁ ୬୦ ଜଣ ମୃତକଙ୍କ ମସ୍ତିଷ୍କକୁ ନେଇ ଏବେ ମଧ୍ୟ ଏଠାରେ ଗବେଷଣା କରାଯାଉଛି। ତେବେ ନିମ୍‌ହାନ୍ସ ସହାୟତା କରୁଥିବା ଏହି ପ୍ରକଳ୍ପ ପୂର୍ବ ଭାରତରେ ପ୍ରଥମ ‌ହୋଇଥିବା ବେଳେ ଏ ସଂକ୍ରାନ୍ତରେ ଆଇସିଏମ୍‌ଆର୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪୭.୭୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି।

ଏନେଇ ପାଥୋଲୋଜି ଏବଂ ଲାବୋରୋଟାରି ମେଡିସିନ ବିଭାଗର ସଂଯୋଜକ ସହଯୋଗୀ ପ୍ରଫେସର ଡ. ଶୁଭେନ୍ଦୁ କହିଛନ୍ତି ଯେ ବର୍ଷକୁ ପ୍ରାୟ ଏକ ହଜାର ସ୍ନାୟୁଗତ ସମସ୍ୟା ନେଇ ମସ୍ତିଷ୍କ ରୋଗୀ ଏମ୍ସକୁ ଆସିଥାଆନ୍ତି। ମୁଖ୍ୟତଃ ସେମାନେ ଅସ୍ତ୍ରୋପଚାର ପାଇଁ ଆସିଥାଆନ୍ତି। ତେବେ ଅସ୍ତ୍ରୋପଚାର ଆବଶ୍ୟକ କରୁନଥିବା ସ୍ନାୟୁଗତ ସମସ୍ୟା ଥିବା ରୋଗୀ ମଧ୍ୟ ଚିକିତ୍ସା ପାଇଁ ଏମ୍ସ ଆସନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହିଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସବୁ ବର୍ଗରେ ବିଶେଷକରି ବୟସ୍କଙ୍କ ମଧ୍ୟରେ ଏଭଳି ସ୍ନାୟୁଗତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏମାନଙ୍କ ମଧ୍ୟରେ ଦେଖାଯାଉଥିବା ‘ଭୁଲିବା ରୋଗ’ ଏହାର ମୁଖ୍ୟ କାରଣ।

ଡ.ଶୁଭେନ୍ଦୁ ଆହୁରି କହିଛନ୍ତି ଯେ ବିଭିନ୍ନ ଡାକ୍ତରଖାନାରେ ମସ୍ତିଷ୍କ ରୋଗକୁ ନେଇ ବିଶେଷ ଗବେଷଣା ହୁଏନାହିଁ। ଏଣିକି ଏମ୍ସର ବ୍ରେନ୍‌ ବ୍ୟାଙ୍କ୍‌ରେ ଅଣଟ୍ୟୁମର ଯଥା ଆଲଜାଇମାର, ଏନକେଫେଲାଟିକ୍ସ ଆଦି ବିଭିନ୍ନ ପ୍ରକାର ରୋଗର କାରଣ, ନିରାକରଣ, ଭବିଷ୍ୟତରେ ପଦକ୍ଷେପ ସମ୍ପର୍କିତ ଗବେଷଣା ହେବ। ଏଥିସହିତ ଖାଦ୍ୟ ଅଭ୍ୟାସ, ଜୀବନଶୈଳୀ ଯୋଗୁଁ ମଧ୍ୟ ମସ୍ତିଷ୍କ ରୋଗ ହେଉଥିବାରୁ ଏହାକୁ ନେଇ ମଧ୍ୟ ଗବେଷଣାର ଏକ ବିନ୍ଦୁ ହେବ। ଏବେ ୫ ବର୍ଷର ଗବେଷଣା ପାଇଁ ଟଙ୍କା ମଞ୍ଜୁର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏକ ବର୍ଷର ଆସିଥିବା ଟଙ୍କାରୁ ଗବେଷଣା ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାର ଉପକରଣ କ୍ରୟ କରାଯାଉଛି। ଏହାପରେ ବିଭିନ୍ନ ସ୍ଥାନରୁ ମସ୍ତିଷ୍କ ସଂଗ୍ରହ ହୋଇ ଗବେଷଣା ଆରମ୍ଭ ହେବ। ଏମ୍ସ ନିଜେ ନିଜ କାର୍ଯ୍ୟ କରିବା ପରେ ଅନ୍ୟ ପ୍ରତିଷ୍ଠାନକୁ ମଧ୍ୟ ମସ୍ତିଷ୍କ ଗବେଷଣା ପାଇଁ ସହଯୋଗ କରିବ। ଭୁବନେଶ୍ବର ଏମ୍ସ ପୂର୍ବଭାରତକୁ ପ୍ରତିନିଧିତ୍ବ କରୁଥିବାରୁ ଓଡ଼ିଶା ସମେତ ଝାରଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ର ଡାକ୍ତର ମଧ୍ୟ ମସ୍ତିଷ୍କ ଗବେଷଣା ପାଇଁ ଚାହିଁଲେ ଏଠାକୁ ଆସିବେ। ଏଠାରେ ବ୍ରେନ୍‌ ବ୍ୟାଙ୍କ୍‌ ସହିତ ବ୍ରେନ୍‌ ମ୍ୟୁଜିୟମ ବି ପ୍ରତିଷ୍ଠା ହେବ। ମସ୍ତିଷ୍କରେ କେଉଁଭଳି ରୋଗ ହୁଏ, ରୋଗ ହେଲେ କିଭଳି ପରିବର୍ତ୍ତନ ହୁଏ ମ୍ୟୁଜିୟମରେ ପ୍ରଦର୍ଶିତ ହେବ। ସାଧାରଣ ଲୋକ ମଧ୍ୟ ଏହି ମ୍ୟୁଜିୟମ ଦେଖିପାରିବେ, ଏଥିପାଇଁ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରହିଛି।

ସମ୍ବନ୍ଧିତ ଖବର