ଭୁବନେଶ୍ବର: ୧୬ ଦଫା ଦାବିରେ ଆଜି ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍ଏସ୍)) ପକ୍ଷରୁ ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରାରେ ଜିନ୍ଦଲ ସହ ହୋଇଥିବା ବୁଝାମଣାପତ୍ର ବାତିଲ କରାଯିବା, ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ୍ର ଗ୍ୟାରେଣ୍ଟି ଦିଆଯିବା, ଦରଦାମ ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ବ୍ୟବସାୟ-ବାଣିଜ୍ୟ ପ୍ରଚଳନ କରାଯିବା, ଧାନ କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ କମିସନ ରିର୍ପୋଟ ଅନୁଯାୟୀ ଧାର୍ଯ୍ୟ କରାଯିବା, ସମସ୍ତ ପ୍ରକାର କୃଷିଋଣ ଛାଡ଼ କରିବା, ବିଦ୍ୟୁତ୍ ବିଲ୍ ୨୦୨୩କୁ ବାତିଲ କରାଯିବା, ୬୦ ବର୍ଷରୁ ଊର୍ଦ୍ଧ୍ବ ଚାଷୀ-ଭାଗଚାଷୀଙ୍କୁ ମାସିକ ସର୍ବନିମ୍ନ ୧୦ ହଜାର ଟଙ୍କା ପେନ୍ସନ୍ ଦିଆଯିବା ଭଳି ଦାବି ସଂଗଠନ ପକ୍ଷରୁ କରାଯାଇଛି।
ବିକ୍ଷୋଭ ସ୍ଥଳରେ ସଂଗଠନର ରାଜ୍ୟ ସଭାପତି ସଦାଶିବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏଆଇକେକେଏମଏସ୍ର ରାଜ୍ୟ ସଂପାଦକ ରଘୁନାଥ ଦାସ, ଅଚ୍ୟୁତ ପ୍ରଧାନ, ପ୍ରକାଶ ମଲ୍ଲିକ, ବେଣୁଧର ସର୍ଦ୍ଦାର, ସୁବାସ ବରାଳ, ଚୈତନ୍ୟ ସାହୁ, ରଣଜିତ ପ୍ରଧାନ, ପର୍ଶୁରାମ ଲେଙ୍କା, ବସନ୍ତ ନାୟକ, ସୁବାସ ପ୍ରଧାନ, ବଟକୃଷ୍ଣ ସ୍ୱାଇଁ, ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପରେ କେନ୍ଦୁଝରଜିଲ୍ଲା ଅନ୍ତର୍ଗତ ପାଟଣା ବ୍ଲକରେ ଜିନ୍ଦଲ ସହ ହୋଇଥିବା ବୁଝାମଣାପତ୍ରକୁ ରଦ୍ଦ କରିବା ପ୍ରସଙ୍ଗରେ ଅନ୍ୟ ସ୍ମାରକପତ୍ର ସହ ୧୬ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ପ୍ରସଙ୍ଗ ସହିତ ଅନୁଗୁଳ ଜିଲ୍ଲା ଭଳି ଖାଲଢିପ ଜମିରେ ଚକବନ୍ଦୀ କାର୍ଯ୍ୟକ୍ରମ ବାତିଲ କରିବାପାଇଁ ଦୁଇଟି ଅଲଗା ଅଲଗା ସ୍ମାରକପତ୍ର ରାଜସ୍ୱମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।