ସୁଧୁରୁଛି ପପୁଙ୍କ ସ୍ୱାସ୍ଥ୍ୟାବସ୍ଥା : ନିଜ ମୃତ୍ୟୁ ଗୁଜବ ଉପରେ ପ୍ରତିକ୍ରିୟା ରଖିଲେ

ଭୁବନେଶ୍ୱର : ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି। ଡାକ୍ତରଙ୍କ ପରାମର୍ଶ ଓ ପରିବାରଲୋକଙ୍କ ସେବା ଶୁଶ୍ରୂଷା ଯୋଗୁଁ ସେ ସୁସ୍ଥ ହେଉଛନ୍ତି। ଦୁଇ ମାସ ଧରି ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ କିଛି ଦିନ ତଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ସେ ପୁଣିଥରେ ଦିଲ୍ଲୀ ଯାଇଥିଲେ। ତେବେ ଏ ସଂପର୍କରେ କିଛି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥା ମିଥ୍ୟା ଖବର ପ୍ରକାଶ ପାଇଥିବାରୁ ପପୁ ଓ ତାଙ୍କ ପରିବାର ଲୋକ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ବିଶେଷକରି ଫେସ୍‌ବୁକ୍‌ରେ ଯେଉଁ ଗୁଜବ ସୃଷ୍ଟି କରାଯାଉଛି, ସେ ନେଇ ପପୁ ଆଜି ଏକ ଭିଡିଓ ଜରିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଉକ୍ତ ଭିଡିଓରେ ସେ କହିଛନ୍ତି, ‘ମୁଁ ମରିଯାଇଛି ବୋଲି କିଛି ଲୋକ ଫେସବୁକ୍‌ରେ ଗୁଜବ ସୃଷ୍ଟି କରୁଛନ୍ତି। ଯେଉଁମାନେ ଏପରି କରୁଛନ୍ତି, ସେମାନଙ୍କୁ ଧନ୍ୟବାଦ। କାରଣ ସେମାନେ ଯେତେ ମୋ ମୃତ୍ୟୁ ଖବର ପ୍ରଚାର କରିବେ, ମୋର ଆୟୁଷ ସେତେ ବଢ଼ିବ।’ ଗୁଜବ ସୃଷ୍ଟିକାରୀଙ୍କୁ ଏପରି ଢଙ୍ଗରେ ସମାଲୋଚନା କରିବା ସହ ଏହାକୁ ବିଶ୍ୱାସ ନ କରିବା ପାଇଁ ନିଜର ଶୁଭେଚ୍ଛୁ ତଥା ଓଡ଼ିଶାବାସୀଙ୍କୁ ଉକ୍ତ ଭିଡିଓ ଜରିଆରେ ନିବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଗ୍ନାଶୟଜନିତ ସଂକ୍ରମଣରେ ପୀଡ଼ିତ ପପୁ ଦୁଇ ମାସ ଏମ୍‌ସରେ ଚିକିତ୍ସିତ ହେବା ପରେ ନିକଟରେ ଘରକୁ ଫେରିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ବାହାର ଲୋକଙ୍କ ସହ ମିଳାମିଶା କିମ୍ବା ଅଧିକ କଥାବାର୍ତ୍ତା କରୁ ନଥିଲେ। ତେବେ ଗତ କିଛି ଦିନ ତଳେ ସେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଦିଲ୍ଲୀ ଏମ୍‌ସକୁ ଯାଇଥିବା ବେଳେ ଏହାକୁ ନେଇ କିଛି ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ପ୍ରକାଶ ପାଇଥିଲା। ଏହି ଖବରକୁ କେନ୍ଦ୍ର କରି ସାମାଜିକ ଗଣମାଧ୍ୟମରେ କିଛି ଲୋକ ପପୁଙ୍କ ନାଁରେ ଗୁଜବ ସୃଷ୍ଟି କରିଥିଲେ। ପପୁଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଖବର ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବାରୁ ବହୁ ସଂଖ୍ୟାରେ ଶୁଭେଚ୍ଛକ ତାଙ୍କ ପତ୍ନୀ, ପରିବାର ଲୋକଙ୍କ ସମେତ ସାଥୀ ଗିଟୁ, ମୁନା, ଜୟନ୍ତ ଓ ପରିବାର ଲୋକଙ୍କୁ ଫୋନ୍‌ କରି ଏହାର ସତ୍ୟାସତ୍ୟ ମାଲୁମ୍‌ କରିଥିଲେ।

ସମ୍ବନ୍ଧିତ ଖବର