ଭୁବନେଶ୍ବର: ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲ୍ରେ ନୂଆ ସବ୍ରେଜିଷ୍ଟ୍ରେସନ୍ ଅଫିସ ଖୋଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରି କହିଛନ୍ତି ଯେ ଆଗକୁ ପର୍ଯ୍ୟାୟକ୍ରମେ ସମସ୍ତ ତହସିଲ୍ରେ ସବ୍ରେଜିଷ୍ଟ୍ରି ଅଫିସ ଖୋଲିବ। ସବୁ ତହସିଲରେ ସବ୍ରେଜିଷ୍ଟ୍ରେସନ ଅଫିସ ଖୋଲିବା ଦ୍ବାରା ଜନସାଧାରଣଙ୍କୁ ଅନେକ ସୁବିଧା ମିଳିପାରିବ। ଦୂରଦୂରାନ୍ତକୁ ଯାଇ ଜମି ପଞ୍ଜୀକରଣ କରିବାର ଅସୁବିଧା ଓ ଖର୍ଚ୍ଚରୁ ମୁକ୍ତି, ସମୟଉପଯୁକ୍ତ ପଞ୍ଜୀକରଣ, ସହଜରେ ମ୍ୟୁଟେସନ ପଟ୍ଟା ଉପଲବ୍ଧ, ରାଜସ୍ୱ ସଂଗ୍ରହରେ ଉନ୍ନତି ଏବଂ ସର୍ବୋପରି ଜମି ପଞ୍ଜୀକରଣରେ ପାରଦର୍ଶିତା ବୃଦ୍ଧି ପାଇବ। ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସରକାରୀ ସେବା ସୁବିଧା ପାଇବା ହେଉଛି ଲୋକଙ୍କ ଅଧିକାର। ସମସ୍ତ ଅଧିକାରୀ ଓ କର୍ମଚାରୀ ଲୋକଙ୍କୁ ସମ୍ମାନର ସହିତ ଉତ୍ତମ ସେବା ଯୋଗାଇ ଦିଅନ୍ତୁ। ଆମର ମୂଳ ଲକ୍ଷ୍ୟ ହେଉଛି ଶାସନ ବ୍ୟବସ୍ଥାକୁ ସ୍ୱଚ୍ଛ, ପାରଦର୍ଶୀ ଓ ଲୋକାଭିମୁଖୀ କରିବା। ଗତ ୧୬ ମାସ ଧରି ଆମ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିଛନ୍ତି। ଯେତେଦୂର ସମ୍ଭବ ଶାସନ ବ୍ୟବସ୍ଥାକୁ ଲୋକଙ୍କ ଦୁଆର ମୁହଁକୁ ନେବା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ଏହା ହାସଲ କରିବା ପାଇଁ ଟେକ୍ନୋଲୋଜିର ଆବଶ୍ୟକତା ଅଛି। ଏବେ ଟେକ୍ନୋଲୋଜିର ବ୍ୟବହାର କରି ସରକାର ଲୋକଙ୍କ ନିକଟତର ହୋଇପାରୁଛନ୍ତି ଏବଂ ଜନସାଧାରଣ ଘରେ ବସି ଅନେକ ସରକାରୀ ସେବା ସୁବିଧାରେ ପାଇପାରୁଛନ୍ତି।
ସେହିପରି ଏବେ ସ୍ମାର୍ଟ ସର୍ଭେଲାନ୍ସ ଜରିଆରେ ସମସ୍ତ ସବ୍ରେଜିଷ୍ଟ୍ରେସନ୍ ଅଫିସକୁ ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ଏହାଦ୍ୱାରା କର୍ମଚାରୀମାନଙ୍କର ସମୟାନୁବର୍ତ୍ତିତା ଏବଂ ପାରଦର୍ଶିତାକୁ ସୁନିଶ୍ଚିତ କରାଯାଇ ପାରୁଛି। ଉପନିବନ୍ଧକ କାର୍ଯ୍ୟାଳୟକୁ ଦୁର୍ନୀତି ମୁକ୍ତ ଓ ମଧ୍ୟସ୍ଥି ମୁକ୍ତ କରିବା ଦିଗରେ ଏହି ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା ଖୁବ୍ ଉପଯୋଗୀ ହୋଇପାରୁଛି। ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ, ନୂଆ ସରକାର ଆସିବା ପରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ନେତୃତ୍ୱରେ ବିଭାଗ ପକ୍ଷରୁ ଲୋକଙ୍କୁ ସେବା ପ୍ରଦାନ କରିବାରେ ଦକ୍ଷତା ଆସିଛି। ଏହି ବିଭାଗ ଅଳ୍ପ ସମୟ ମଧ୍ୟରେ ୨,୧୮,୬୧,୦୬୩ଟି ସେବା ଅନ୍ଲାଇନ୍ ଜରିଆରେ ଯୋଗାଇ ଦେଇଥିବାବେଳେ ୨୫ହଜାରରୁ ଅଧିକ ବାସହୀନ ଲୋକଙ୍କୁ ଘରବାଡ଼ି ପଟ୍ଟା ଦିଆଯାଇଛି। ୨୭ ଲକ୍ଷ ଖାତାକୁ ସର୍ବେକ୍ଷଣ କରାଯାଇ ମୃତ ଲୋକଙ୍କ ଜମିବାଡ଼ିକୁ ସେମାନଙ୍କ ଉତ୍ତରାଧିକାରୀଙ୍କ ନାମରେ ରେକର୍ଡ କରାଯାଇଛି। ଏହାସହିତ ଗତ ଏକ ବର୍ଷ ମଧ୍ୟରେ ୨୩,୯୮୮ଟି ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇ ପାରିଛି। ଏଥିପାଇଁ ରାଜସ୍ୱ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ।
୧୩ ଜିଲ୍ଲାର ୪୪ ତହସିଲ୍ରେ ଖୋଲିଲା ନୂଆ ସବ୍ରେଜିଷ୍ଟ୍ରେସନ୍ ଅଫିସ
ବ୍ୟବସ୍ଥାକୁ ସହଜ, ସରଳ ଓ ସମୟୋପଯୋଗୀ କରାଯାଉଛି: ରାଜସ୍ବ ମନ୍ତ୍ରୀ
କର୍ମଚାରୀମାନେ ଲୋକଙ୍କୁ ସମ୍ମାନର ସହ ଉତ୍ତମ ସେବା ଯୋଗାନ୍ତୁ
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ଜମି କିଣାବିକା ସମୟରେ ସାଧାରଣତଃ ଲୋକମାନେ ବହୁତ ହନ୍ତସନ୍ତ ହୁଅନ୍ତି। ଏଥିପାଇଁ ବିଭାଗରେ ସଂସ୍କାର ଅଣାଯାଇ ସବୁ ତହସିଲରେ ସବ୍ ରେଜିଷ୍ଟ୍ରେସନ୍ ଅଫିସ ଖୋଲିବା, କିଣାବିକା ପ୍ରକ୍ରିୟାକୁ ସରଳ କରିବା, ରାଜସ୍ୱ ରେକର୍ଡକୁ ସଂଶୋଧନ କରିବା, କ୍ୟାସଲେସ୍ ଅର୍ଥ ନେଣ-ଦେଣ ଏବଂ ତ୍ୱରିତ ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି। ବ୍ୟବସ୍ଥାକୁ ସହଜ, ସରଳ ଓ ସମୟୋପଯୋଗୀ କରିବା ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି।ଏହାସହ ତହସିଲ ଅଫିସ ଓ ସବ୍-ରେଜିଷ୍ଟ୍ରେସନ ଅଫିସକୁ କୋ-ଟର୍ମିନସ୍ ବା ସମାନ କରାଯାଇଛି। ଏହାଦ୍ବାରା ତହସିଲ୍ର ସମସ୍ତ ସେବା ଲୋକମାନେ ଗୋଟିଏ ଜାଗାରେ ସୁବିଧାରେ ପାଇପାରିବେ। ଅନେକ ଦିନ ଧରି ପାର୍ଟ ପ୍ଲଟ୍ ବିକିବା ବ୍ୟବସ୍ଥା ବନ୍ଦ ଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ, ଏହାକୁ ଅନୁମୋଦନ ଦିଆଯାଇଛି। ଏହାଦ୍ବାରା ଜନସାଧାରଣ ସୁବିଧାରେ ଜମି କିଣାବିକା କରିପାରୁଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ସମୁଦାୟ ୩୧୭ ତହସିଲ ମଧ୍ୟରୁ ୨୧୭ ତହସିଲରେ ପୂର୍ବରୁ ସବ୍ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇଛି। ଅବଶିଷ୍ଟ ୧୦୦ରୁ ଆଜି ୪୪ଟି ସବ୍ରେଜିଷ୍ଟ୍ରେସନ ଅଫିସ ଖୋଲାଗଲା। ବାକି ୫୬ଟି ପର୍ଯ୍ୟାୟକ୍ରମେ ଚଳିତବର୍ଷ ଶେଷ ସୁଦ୍ଧା ଖୋଲିବା ପାଇଁ ଯୋଜନା ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଦେଓ ରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିଲେ। ରାଜସ୍ୱ ରେଜିଷ୍ଟ୍ରେସନ୍ ଇନ୍ସ୍ପେକ୍ଟର ଜେନେରାଲ ପି.ଅନ୍ବେଷା ରେଡ୍ଡୀ ଧନ୍ୟବାଦ ଦେଇଥିଲେ। ଆଭାସୀ ଜରିଆରେ ୧୩ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଓ ସବ୍ରେଜିଷ୍ଟ୍ରାର୍ମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/sfhhfshfxvb-2025-11-02-01-41-41.jpg)