ସମ୍ବଲପୁର: ଅଇଁଠାପାଲି ଛକକୁ ବନ୍ଦ କରିବା ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଅଧା ବ୍ୟାରିକେଡ୍ ମଙ୍ଗଳବାର ଭଙ୍ଗା ଯାଇଛି। ସୋମବାର କିଛି ଅଂଶ ଭଙ୍ଗା ଯାଇ ବାଇକ୍, ସାଇକେଲ୍ ଓ ପଥଚାରୀଙ୍କୁ ଛଡ଼ାଯାଇଥିଲା। ତା ପରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ମଙ୍ଗଳବାର ବ୍ୟାରିକଡ୍ର ଅଧା ଭାଙ୍ଗି ବଡ଼ଗାଡ଼ି ଛାଡ଼ିବା ବ୍ୟବସ୍ଥା କରାଯାଇଥିଲା। ତେବେ ଭାରୀଯାନଗୁଡ଼ିକୁ ବାରଣ କରାଯାଇଛି। ସ୍ଥାନୀୟ ଅଞ୍ଚଳବାସୀ ଏ ନେଇ ଖୁସି ବ୍ୟକ୍ତ କରିବା ସହ ଉକ୍ତ ଛକରେ କଡ଼ାକଡ଼ି ଟ୍ରାଫିକ୍ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଜାନୁଆରି ପ୍ରଥମ ସପ୍ତାହରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା ପରେ କିଛି ଦିନ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତାପରେ ହଠାତ୍ ପ୍ରଥମେ ବ୍ୟାରିକେଡ୍ ଲଗାଇ ଏବଂ ପରେ ନୂତନ ଭାବେ କଂକ୍ରିଟ୍ ଡିଭାଇଡର୍ ତିଆରି କରି ଛକ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାଖାନ କରିବା ସହ ସମାଲୋଚନା କରିଥିଲେ। ଶେଷରେ ପ୍ରଶାସନ ପକ୍ଷରୁ ଅଇଁଠାପାଲି ଉପର ଛକରେ ବାଟ ଫିଟାଯାଇଛି।