ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁସେବା ନେଇ ସ୍ବାସ୍ଥ୍ୟ ବିଭାଗର ଭିତ୍ତିଭୂମି ସମୀକ୍ଷା

ନବରଙ୍ଗପୁର: ନବରଙ୍ଗପୁରରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସେବା। ଆଜି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ହେଲିକପ୍ଟର ଯୋଗେ ନବରଙ୍ଗପୁର ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିକୁ ଯାଞ୍ଚ କରି ଯାଇଛନ୍ତି। ଏଣିକି ଗୁରୁତର ଅସ୍ତ୍ରୋପଚାର କିମ୍ବା ଚିକିତ୍ସା ପାଇଁ ଗରିବ ରୋଗୀ ମାନେ ଭୁବନେଶ୍ବର କିମ୍ବା ବିଶାଖାପାଟନମ୍‌ ଯାଇ ଆଉ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। ଏହି ଏୟାର ଆମ୍ବୁଲାନସ ସେବା ମାଧ୍ୟମରେ ହେଲିକପ୍ଟରରେ ଭେଷଜ ବିଶେଷଜ୍ଞ, ନ୍ୟୁରୋ ସର୍ଜରୀ ବିଶେଷଜ୍ଞ, ସର୍ଜରୀ ବିଶେଷଜ୍ଞ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ଏକ ନିର୍ଦ୍ଧିଷ୍ଟ ତାରିଖରେ ନବରଙ୍ଗପୁରକୁ ଆସିବେ। ଏଠାରେ ୨ ଦିନ ରହିବେ। ପୂର୍ବରୁ ଚିହ୍ନଟ କରାଯାଇଥିବା ରୋଗୀଙ୍କୁ ବିଭିନ୍ନ ଗାଁ ଗଣ୍ଡାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ରଖାଯାଇଥିବ। ସେହି ଟିମ୍ ଆସିବା ପରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରିବା ସହ ଅସ୍ତ୍ରୋନପଚାର କରାଯିବ। ପରବର୍ତ୍ତୀ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମଙ୍କୁ ପରାମର୍ଶ ଦେଇ ଯିବେ।

ଏହି ମୁଖ୍ୟମନ୍ତ୍ରୀ ବାୟୁ ସେବାକୁ ଆରମ୍ଭ କରିବା ପାଇଁ ଭିତ୍ତିଭୂମି ଯାଞ୍ଚ କରିବା ପାଇଁ ଆଜି ଆସିଥିଲେ କଟକସ୍ଥିତ ଏସସିବି ମେଡିକାଲ କଲେଜର ଅଧ୍ୟକ୍ଷ ଡା.ଦତ୍ତେଶ୍ବର ହୋତ୍ତା, ସହକାରୀ ଡିଏମଇଟି ଡା.ସନ୍ତୋଷ କୁମାର ଶତପଥୀ, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା.ବିଜୟ ମହାପାତ୍ର, ସର୍ଜରୀ ବିଶେଷଜ୍ଞ ଡା.ବନବିହାରୀ ମିଶ୍ର ପ୍ରମୁଖ ଏହି ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରି ଅସ୍ତ୍ରୋପଚାର ଗୃହ, ଆଇସିୟୁ, ଡାଇଲିସିସ୍ ଆଦି ଗୃହ ଗୁଡିକରେ ଥିବା ଯନ୍ତ୍ରପାତି ଏବଂ ଏହାର କାର୍ଯ୍ୟକାରିତା ଓ ଡାକ୍ତରଖାନାର ଅନ୍ୟାନ୍ୟ ଭିତ୍ତିଭୂମି ନେଇ ସମୀକ୍ଷା କରିଥିଲେ। ଏହା ସହ ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀ ୨ଶହ ଶଯ୍ୟା ବିଶିଷ୍ଟ କୋଠା ଉଦଘାଟନ କରିବାର ସମ୍ଭାବନା ରହିଛି। ଏହି କୋଠାର ସ୍ଥିତି ନେଇ ତର୍ଜମା କରିଥିଲେ । ଏହି ମୁଖ୍ୟମନ୍ତ୍ରୀ ବାୟୁ ସେବା ରାଜ୍ୟର ନବରଙ୍ଗପୁର, ମାଲମାକାନାଗିରି, କୋରାପୁଟ ଓ ନୂଆପଡା ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ସମୀକ୍ଷା ବେଳେ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧୀକ୍ଷକ ପିଏସ ପୁରୁଷୋତ୍ତମ ଦାସ, ସିଡିଏମଓ ଡା.ଶୋଭାରାଣୀ ମିଶ୍ର, ଡିପିଏମଓ ସୁଶାନ୍ତ କୁମାର ପ୍ରହରାଜ ପ୍ରମୁଖଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହୁ ବରିଷ୍ଠ ଡାକ୍ତର ମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର