ମାଲକାନଗିରି: ଭିତ୍ତିଭୂମିରେ ବଡ଼ ପରିବର୍ତ୍ତନ ହେଲା, କିନ୍ତୁ ସେବା ଯୋଗାଇ ଦେବାକୁ କର୍ମଚାରୀ ନିୟୋଜିତ ହେଲେନି। ଯାହାଫଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ପରିବର୍ତ୍ତେ ଦିନକୁ ଦିନ ସ୍ଥିତି ସଂଗିନ୍‌ ହେବାରେ ଲାଗିଛି। ସୀମାନ୍ତ ତଥା ଅନୁନ୍ନତ ଜିଲ୍ଲା ମାଲକାନଗିରିରେ ସରକାର ବାରମ୍ବାର ଆଶାଦେଖାଇ, ପରବର୍ତ୍ତୀ ସମୟରେ ଲୋକଙ୍କୁ ନିରାଶ କରୁଛନ୍ତି। ଯାହାର ସଦ୍ୟତମ ଉଦାହରଣ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା। ବର୍ତ୍ତମାନ ଏହି ଯୋଜନା ସଂପୂର୍ଣ୍ଣ ବନ୍ଦ ରହିଛି। ପୁଣି କେବେ ଆରମ୍ଭ ହେବ କାହାକୁ ମାଲୁମ୍‌ ନାହିଁ।

Advertisment

ମାଲକାନଗିରି ଜିଲ୍ଲାରେ ୬୦ପ୍ରତିଶତରୁ ଅଧିକ ଡାକ୍ତର ପଦବି ଖାଲିପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬୦ରୁ ଊର୍ଦ୍ଧ୍ବ ପଦବି ଫାଙ୍କା। ଏପରିକି ୫ଟି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଜଣେ ବି ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏମିତି ସ୍ଥିତିରେ ଜିଲ୍ଲାର ରୋଗୀ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି ବା ରେଫର୍‌ ହୋଇ ଜୟପୁର କିମ୍ବା କୋରାପୁଟ ଡାକ୍ତରଖାନାକୁ ଆସୁଛନ୍ତି। ସ୍ବାସ୍ଥ୍ୟସେବାର ଏମିତି ବିକଳ ଚିତ୍ର ମଧ୍ୟରେ କ୍ବାକ୍‌ ଏବଂ ଦିଶାରୀଙ୍କ ପାରମ୍ପରିକ ଚିକିତ୍ସା ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ସଂପର୍କରେ ଭଲ ରୂପେ ଅବଗତ, କିନ୍ତୁ କର୍ମଚାରୀ ଅଭାବ ଯୋଗୁଁ ନାଚାର। ମାଲକାନଗିରି ଜିଲ୍ଲାର ୭ ବ୍ଲକ୍‌ ନିମନ୍ତେ ୩୮୨ ଡାକ୍ତର ପଦବି ଅନୁମୋଦିତ ହୋଇଛି। ବିଡ଼ମ୍ବନା ହେଲା ଅଧାରୁ ବି କମ୍‌ ଅର୍ଥାତ ମାତ୍ର ୧୪୬ଜଣ ଡାକ୍ତର ଜିଲ୍ଲାବାସୀଙ୍କୁ ସେବା ଯୋଗାଇ ଦେଉଛନ୍ତି। ସେହିପରି ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ମଞ୍ଜୁରି ଡାକ୍ତର ପଦବି ସଂଖ୍ୟା ୧୦୯ । ହେଲେ ସେବା ଯୋଗାଇ ଦେବାକୁ ମାତ୍ର ୫୪ଜଣ ଡାକ୍ତର ଅଛନ୍ତି। ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶହଶହ ରୋଗୀ ଆସୁଛନ୍ତି। ଚିକିତ୍ସା ପାଇଁ ଶଯ୍ୟା ଅଭାବ ହେବାରୁ ବାରଣ୍ଡାରେ ବି ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳୁଛି।

ସ୍ବାସ୍ଥ୍ୟସେବା ପାଇଁ ଅନେକ ସମୟରେ ଅପବାଦ ମୁଣ୍ଡାଇ ସାରିଛି ମାଲକାନଗିରି ଜିଲ୍ଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ‌ଆରମ୍ଭ କରିଥିଲେ। ଭୁବନେଶ୍ବର ଏବଂ କଟକରୁ ବିଶେଷଜ୍ଞ ଡାକ୍ତର ପ୍ରତିମାସରେ ଆସି ରୋଗୀଙ୍କ ଚିକିତ୍ସା କରୁଥିଲେ। ଆବଶ୍ୟକ ପଡ଼ିଲେ ଅସ୍ତ୍ରୋପଚାର ମଧ୍ୟ ଏଠାରେ ହିଁ ହେଉଥିଲା। କିଛି କ୍ଷେତ୍ରରେ ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ରେଫର୍‌ କରୁଥିଲେ। ତେବେ ଏହି ଯୋଜନା ବର୍ତ୍ତମାନ ବନ୍ଦ ରହିଛି। ତେଣୁ ଜଟିଳ ରୋଗରେ ପୀଡ଼ିତ ରୋଗୀ ପୂର୍ବ ଭଳି ହନ୍ତସନ୍ତ ହେଉଛନ୍ତି। ସେହିପରି ଭୁବନେଶ୍ବର ଓ କଟକର ବିଶେଷଜ୍ଞଙ୍କ ଦ୍ବାରା ଯେଉଁ ରୋଗୀ ଚିକିତ୍ସିତ ହେଉଥିଲେ ବର୍ତ୍ତମାନ ପରାମର୍ଶ ପାଇଁ ଅପେକ୍ଷା କରିଛନ୍ତି। ଏନେଇ ସିଡିଏମ୍‌ଓ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ଯୋଗାଯୋଗ କରିବାରୁ ବାୟୁ ସ୍ବାସ୍ଥ୍ୟସେବା ପୁଣି ଆରମ୍ଭ ହେବ ବୋଲି କହିଥିଲେ। ତେବେ କେବେ ଆରମ୍ଭ ହେବ ଏବଂ କେବେ ଠାରୁ ବନ୍ଦ ହୋଇଛି ତାହା ସ୍ପଷ୍ଟ କରିନଥିଲେ।