ବ୍ରହ୍ମପୁର : ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଓଡ଼ିଆ ପୁଅ ତଥା ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପଟେନ୍‌ ଅମିୟକାନ୍ତ ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ବାୟୁସେନା ମେଡାଲ୍‌ ପ୍ରଦାନ କରିଛନ୍ତି। କର୍ମକ୍ଷେତ୍ରରେ ଅତୁଳନୀୟ ଅବଦାନ ଓ କର୍ମନିଷ୍ଠା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଡା.ଏସ୍‌.ଆର୍‌ ପଟ୍ଟନାୟକ ଓ ଜ୍ୟୋତ୍ସ୍ନା ଦାସଙ୍କ ସୁପୁତ୍ର ଶ୍ରୀ ପଟ୍ଟନାୟକ ୨୦୦୧ରେ ଭାରତୀୟ ବାୟୁସେନାରେ ପାଇଲଟ୍‌ ଭାବେ ଯୋଗ ଦେଇଥିଲେ। ବ୍ରହ୍ମପୁରରେ ସେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସମ୍ବଲପୁର ଓ ବ୍ରହ୍ମପୁରରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ ବ୍ରହ୍ମପୁର ଖଲ୍ଲିକୋଟ କଲେଜର ଜଣେ ପୁରାତନ ଛାତ୍ର। ନ୍ୟାସନାଲ୍‌ ଡିଫେନ୍ସ ଏକାଡେମି, ବାୟୁସେନା ଏକାଡେମି ଓ ଡିଫେନ୍ସ ସର୍ଭିସ୍‌ ଷ୍ଟାଫ୍‌ କଲେଜରୁ ସେ ସ୍ନାତକ କରିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ ଫ୍ଲାଇଙ୍ଗ୍‌ ଇନ୍‌ଷ୍ଟ୍ରକ୍ଟର୍‌ ହେବାର ଗୌରବ ହାସଲ କରିଛନ୍ତି। ତାଙ୍କର ୨୧ବର୍ଷର କ୍ୟାରିଅର୍‌ ମଧ୍ୟରେ ସେ ବିଭିନ୍ନ ବିମାନରେ ପ୍ରାୟ ୭ହଜାର ଘଣ୍ଟା ଆକାଶମାର୍ଗରେ ଯାତ୍ରା କରିଛନ୍ତି। ସି-୧୭ ଗ୍ଲୋବ୍‌ମାଷ୍ଟର୍‌ ଅପରେସନ୍‌ର ସେ ଜଣେ ସଦସ୍ୟ ଭାବେ ଦାୟିତ୍ବ ସମ୍ପାଦନ କରିଛନ୍ତି। କୋଭିଡ୍‌ ସମୟରେ ଚୀନ୍‌ର ଉହାନ୍‌ରେ ଫଶି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ମଧ୍ୟ ଶ୍ରୀ ପଟ୍ଟନାୟକ ନିୟୋଜିତ ଥିଲେ। ସେହିପରି ସେ ୧୪ଟି ବିଭିନ୍ନ ଦେଶକୁ ବିମାନରେ ଯାତ୍ରା କରି ଜୀବନ ରକ୍ଷାକାରୀ ଅକ୍ସିଜେନ୍‌ କଣ୍ଟେନର୍‌ ସଂଗ୍ରହ କରି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧ ସମୟରେ ଗ୍ରୁପ୍‌ କ୍ୟାପଟେନ୍‌ ପଟ୍ଟନାୟକଙ୍କ ନେତୃତ୍ବରେ ବାୟୁସେନା ଟିମ୍‌ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଭାରତ ଫେରାଇ ଆଣିଥିଲା। ତାଙ୍କର ଏହି କୃତିତ୍ବ ପାଇଁ ରାଷ୍ଟ୍ରପତି ଗ୍ରୁପ୍‌ କ୍ୟାପଟେନ୍‌ ପଟ୍ଟନାୟକଙ୍କୁ ସମ୍ମାନିତ କରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଶ୍ରୀ ପଟ୍ଟନାୟକ ଗୀତାଞ୍ଜଳି ମହାନ୍ତିଙ୍କୁ ବାହା ହୋଇଥିବା ବେଳେ ଝିଅ ଅଦିତି ପଟ୍ଟନାୟକ ବାପାଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଛନ୍ତି।