ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବ ଏୟାର ଇଣ୍ଡିଆ

ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ସଂସ୍ଥା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସଂଖ୍ୟା ବଢ଼ିବ। ଥାଇ ଏୟାର ଏସିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ନେଇ ଦେଇଥିବା ପ୍ରସ୍ତାବ ଉପରେ ପର୍ଯ୍ୟଟନ ବିଭାଗ ମୋହର ମାରିଥିବାବେଳେ ଏବେ ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି। ରାଜ୍ୟ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅଗ୍ରାଧିକାର ଦେଉଥିବାରୁ ଏୟାର ଇଣ୍ଡିଆ ପ୍ରସ୍ତାବକୁ ଅନୁମୋଦନ କରିବାର ସମ୍ଭାବନା ସୃଷ୍ଟି ହୋଇଛି।

ଏୟାର ଇଣ୍ଡିଆ ଭୁବନେଶ୍ୱର କେନ୍ଦ୍ର ମୁଖ୍ୟଙ୍କ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଗୟାରୁ ଭୁବନେଶ୍ୱର ଭାୟା ଦେଇ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରିଛି। ରାଜ୍ୟରେ ବୌଦ୍ଧ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବାରୁ ଏୟାର ଇଣ୍ଡିଆ ପକ୍ଷରୁ ଏହି ଯୋଜନା ହୋଇଛି। ଏୟାର ଇଣ୍ଡିଆର ପକ୍ଷରୁ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ, ଓଡ଼ିଶା ସରକାର ଏବଂ ଡିଜିସିଏକୁ ଏହି ପ୍ରସ୍ତାବ ଦିଆଯାଇଛି। ଓଡ଼ିଶା ସରକାର ଏହାକୁ ଅନୁମୋଦନ କଲେ ଆମେ ବିମାନ ସେବା ଆରମ୍ଭ କରିବୁ। ଆମ ଯୋଜନା ଅନୁଯାୟୀ, ବିମାନ ଗୟାରୁ ଭୁବନେଶ୍ୱର ଆସିବ। ଭୁବନେଶ୍ୱରରୁ ସିଧା ବ୍ୟାଙ୍କକ୍‌ ଅଭିମୁଖେ ଯିବ। ଆମେ ବିଦେଶକୁ ସିଧା ବିମାନ ଉଡ଼ାଣ କରିବାକୁ ଥିଲେ ହେଁ କୌଣସି ପ୍ରକାରର ସବ୍‌ସିଡି ପାଇଁ ଆବେଦନ କରିନୁ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।
ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ପ୍ରସ୍ତାବ ଆସିଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କୌଣସି ସବ୍‌ସିଡି ମାଗି ନଥିବାରୁ ଏହାକୁ ଆମେ ସକରାତ୍ମକ ଭାବେ ଗ୍ରହଣ କରିଛୁ। ଏନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବୁ।

ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅଧିକରୁ ଅଧିକ ବିମାନ କମ୍ପାନି ଆଗ୍ରହ ପ୍ରକାଶ କରିବା ଆମ ପାଇଁ ଶୁଭ ଲକ୍ଷଣ। ଆମେ ସବୁ ପ୍ରକାରର ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ଅଛୁ। ଉଡ଼ାଣ ସୂଚୀ ମିଳିଲେ ଆମେ ଟର୍ମିନାଲ ପରିସରରେ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବୁ ବୋଲି ଶ୍ରୀ ହୋତା କହିଛନ୍ତି।

ସମ୍ବନ୍ଧିତ ଖବର