ଦୁବାଇରୁ ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଦୁବାଇରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଅଭିଯାନରେ ଆସିଥିବା ଏହି ବିମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ରାତି ୯ଟା ୧୫ରେ ପହଞ୍ଚିଛି ।

ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଓଡ଼ିଶାର ୧୨ଟି ଜିଲ୍ଲାର ୧୫୧ ଜଣ ପ୍ରବାସୀ ଫେରିଥିବା ଜଣାଯାଇଛି । କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଦେଶରେ ଲକଡାଉନ ହେବା ପରେ ବିଦେଶରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପ୍ରଥମ ଥର ପାଇଁ ବିମାନ ଆସିଛି । ଏଥିରେ ଦୁବାଇରେ ଫସିଥିବା ପ୍ରବାସୀ ଓଡ଼ିଆ ଆସିଛନ୍ତି । ଆଗାମୀ ଦିନରେ ଅନ୍ୟ ଦେଶରୁ ମଧ୍ୟ ପ୍ରବାସୀମାନେ ଆସିବେ ବୋଲି ଜଣାଯାଇଛି ।

ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଯାତ୍ରୀମାନେ ଓହ୍ଲାଇବା ପରେ ସେମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଛି । ଏହାପରେ ସେମାନଙ୍କ ହାତରେ ସଙ୍ଗରୋଧ ଷ୍ଟାମ୍ପ ଲଗାଇବା ସହ ସେମାନଙ୍କୁ ସାମାଜିକ ଦୂରତାରେ ବିମାନ ବନ୍ଦର ବାହାରକୁ ଛଡ଼ାଯାଇଛି । ଇମିଗ୍ରେସନ୍‌ରେ ଯେପରି ସେମାନଙ୍କର କୌଣସି ସମସ୍ୟା ନ ହୁଏ ସେଥିପାଇଁ ସମସ୍ତ ଅଧିକାରୀ ଓ ସିଆଇଏସ୍‌ଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଛି।

ସେହିପରି ଦୁବାଇରେ ଫସି ରହିଥିବା ଆଉ ୧୨୧ଜଣ ୧୯ତାରିଖରେ ଆସିବାର ଥିବାବେଳେ କ୍ବାଲାଲମ୍ପୁରରେ ଥିବା ଓଡ଼ିଆଙ୍କୁ ମେ ୨୦ରେ ଅଣାଯିବ। ଆମେରିକାର ଚିକାଗୋ ସହରରୁ ମଧ୍ୟ କିଛି ପ୍ରବାସୀ ଓଡ଼ିଆ ଆସିବାର ଅଛି। ସେମାନଙ୍କୁ ମେ ୩୦ ତାରିଖରେ ଭାୟା ଦିଲ୍ଲୀ ହୋଇ ଅଣାଯିବ। ଯେଉଁମାନେ ରାଜ୍ୟ ସରକାରଙ୍କ କୋଭିଡ-୧୯ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ଅଣାଯିବ।

ସମ୍ବନ୍ଧିତ ଖବର