୪ ଜିଲ୍ଲାରେ ଏୟାର ମେଡିକାଲ ସେବା

ଜିଲ୍ଲା ପରିଦର୍ଶନ କରି ଫେରିଲା ସ୍ବାସ୍ଥ୍ୟ ବିଭାଗ ଟିମ୍

ଭୁବନେଶ୍ବର : ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଏୟାର ମେଡିକାଲ ସେବା। ଏସବୁ ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ବିଶେଷଜ୍ଞ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଛି ଏହି ସେବା। ନିକଟରେ ସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଏକ ଟିମ୍ ଏସବୁ ଜିଲ୍ଲା ଗସ୍ତ କରିଛନ୍ତି। ପ୍ରକୃତରେ ଏସବୁ ଜିଲ୍ଲାରେ ବିଶେଷଜ୍ଞ ଚିକିତ୍ସା ସୁବିଧା ଦେଇହେବ କି ନାହିଁ, ସେ ସଂପର୍କରେ ଖୁବଶୀଘ୍ର ଏହି ଟିମ୍ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।

ଆରମ୍ଭ ହେବାକୁ ଏୟାର ମେଡିକାଲ ସେବା ଦେଶର ଅନ୍ୟ ଅଞ୍ଚଳରେ ଦିଆଯାଉଥିବା ସେବାଠାରୁ ଭିନ୍ନ ହେବ ବୋଲି କୁହାଯାଉଛି। ଏୟାର ଆମ୍ବୁଲାନ୍‌ସ ଅପହଞ୍ଚ ଅଞ୍ଚଳକୁ ଯାଇ ରୋଗୀଙ୍କୁ ହସ୍ପିଟାଲ ଆଣୁଥିବା ବେଳେ ଏୟାର ମେଡିକାଲ ସେବାରେ ବିଶେଷଜ୍ଞ ଡାକ୍ତରମାନଙ୍କୁ ‌ଲୋକଙ୍କ ପାଖକୁ ନିଆଯିବା ସହିତ ଚିକିତ୍ସା ସେବା ଯୋଗାଇ ଦିଆଯିବ। ରାଜ୍ୟରେ ପୂର୍ବରୁ ବାଇକ୍, ବୋଟ୍‌ ଆମ୍ବୁଲାନ୍‌ସ ଭଳି ସୁବିଧା ଅପହଞ୍ଚ ‌ଅଞ୍ଚଳର ଲୋକମାନଙ୍କୁ ଦିଆଯାଉଛି। ଏହାସତ୍ତ୍ବେ ଅନେକଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ। ତେଣୁ ଅପହଞ୍ଚ ଇଲାକାରେ ରହୁଥିବା ଲୋକେ ଯେପରି ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇପାରି‌ବେ, ସେମାନଙ୍କ ପାଇଁ ଏୟାର ମେଡିକାଲ ସେବା ଫଳପ୍ରଦ ହୋଇପାରିବ।

ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଏହି ସୁବିଧା ଦିଆଯିବ। ଆସନ୍ତା ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧୀନରେ ଏହି ସୁବିଧାର ଘୋଷଣା କରିବେ ବୋଲି ସୂଚନା ମିଳିଛି। ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଜଟିଳ ଅସ୍ତ୍ରୋପଚାର ପାଇଁ ଅସ୍ତ୍ରୋପଚାର ଗୃହଗୁଡ଼ିକର ନବୀକରଣ କରାଯିବ। ଫଳରେ ଯେଉଁ ରୋଗୀମାନଙ୍କ ଅସ୍ତ୍ରୋପଚାର ପାଇଁ ଚିହ୍ନଟ ହେବେ, ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଅସ୍ତ୍ରୋପଚାର କରାଯିବ। ସ୍ଥାନୀୟ ଜିଲ୍ଲାରେ ରହିଥିବା ମେଡିକାଲ କଲେଜରେ କାର୍ଯ୍ୟ କରୁଥିବା ବିଶେଷଜ୍ଞ ଡାକ୍ତରମାନଙ୍କୁ ନିଆଯିବ। ଏପରିକି ଯଦି ସରକାରୀ କ୍ଷେତ୍ରରେ ବିଶେଷଜ୍ଞ ଡାକ୍ତର ଉପଲବ୍ଧ ନ ହୁଅନ୍ତି, ଘରୋଇ ହସ୍ପିଟାଲର ଡାକ୍ତରଙ୍କୁ ମଧ୍ୟ ଏସବୁ ଜିଲ୍ଲାକୁ ନିଆଯାଇ ଅସ୍ତ୍ରୋପଚାର ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

ଏହି ୪ ଜିଲ୍ଲାରେ କିଭଳି ଢଙ୍ଗରେ ଏହି ସେବା ଆରମ୍ଭ ହେବ, ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର, ଅତିରିକ୍ତ ଡିଏମ୍‌ଇଟି ଡା. ଉମାକାନ୍ତ ଶତପଥୀ ଓ ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର୍‌ ଦତ୍ତେଶ୍ବର ହୋତାଙ୍କୁ ମିଶାଇ ୩ଜଣିଆ ଏକ ଟିମ୍ ଏସବୁ ଜିଲ୍ଲା ଗସ୍ତ କରି ଫେରିଛନ୍ତି। ଜିଲ୍ଲାରେ କେଉଁ କେଉଁ ସୁବିଧା ଉପଲବ୍ଧ ହେଉଛି ଓ ଆଉ କେଉଁ ସେବାର ଆବଶ୍ୟକତା ରହିଛି, ସେ ସଂପର୍କରେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ତେବେ ଅପହଞ୍ଚ ଅଞ୍ଚଳରେ ଚାଲୁଥିବା ବାଇକ୍ ଓ ବୋଟ୍‌ ଆମ୍ବୁଲାନ୍‌ସ ପୂର୍ବଭଳି ଜାରି ରହିବ ବୋଲି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର