ବାତିଲ୍‌ ହୋଇପାରେ ‘ଏୟାର ଓଡ଼ିଶା’ ଟେଣ୍ତର, ‘ଏୟାର ଓଡ଼ିଶା’ ଏକ ଖରାପ କମ୍ପାନି: ଧର୍ମେନ୍ଦ୍ର

ଭୁବନେଶ୍ବର : ‘ଉଡାନ୍‌’ ଯୋଜନାରେ ସାମିଲ ହୋଇଥିବା ‘ଏୟାର ଓଡ଼ିଶା’ର ଟେଣ୍ତର ବାତିଲ୍‌ ହୋଇପାରେ। ଏଭଳି ସଙ୍କେତ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସିଧାସଳଖ କହିଛନ୍ତି ଯେ ଏୟାର ଓଡ଼ିଶା ଏକ ଖରାପ କମ୍ପାନି। ଯେତେବେଳେ ଉଡ଼ାଣରେ ଟେଣ୍ତର ପ୍ରକ୍ରିୟା ହେଲା ସେତେବେଳେ ସେମାନେ ପାଇଥିଲେ। ଏବେ ଆମେ କମ୍ପାନିର କାର୍ଯ୍ୟ ଉପରେ ସମୀକ୍ଷା କରୁଛୁ। ଦରକାର ପଡ଼ିଲେ ‘ଏୟାର ଓଡ଼ିଶା’ର ଟେଣ୍ତର୍‌କୁ ବାତିଲ୍‌ କରାଯିବ। ‘ଉଡାନ୍‌’ ପାଇଁ ଆଉ ଥରେ ଟେଣ୍ତର୍‌ ହେବ।

ଝାରସୁଗୁଡ଼ା ବିମାନବନ୍ଦରକୁ ବିମାନ ଚଳାଚଳ ହୋଇପାରୁ ନଥିବା ପ୍ରଶ୍ନର ଉତ୍ତରରେ ସେ କହିଲେ ‘ଉଡାନ୍‌’କୁ ଛାଡ଼ି ଇଣ୍ତିଆନ୍‌ ଏୟାରଲାଇନ୍ସ, ସ୍ପାଇସ୍‌ ଜେଟ୍‌, ଇଣ୍ତିଗୋ ବିମାନ ସ˚ସ୍ଥାର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛି। ସ୍ଥାୟୀ ଭାବେ ଝାରସୁଗୁଡ଼ାରୁ କିଭଳି ବଡ଼ ବିମାନ ଚାଲିବ ତାହା ଉପରେ ଆଲୋଚନା କରାଯାଉଛି। ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଆଶ୍ବାସନା ମିଳିଛି। ଆଶା ରହିଛି ଯେ ସେମାନେ ଖୁବ୍‌ଶୀଘ୍ର ପଦକ୍ଷେପ ନେବେ। କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଏନେଇ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ନୁହେଁ ଯେ ବିଧାୟକ ଦାବି କରିଦେଲେ ବିମାନ ଚାଲିବ। ବ୍ୟାବସାୟିକ ସଫଳତାକୁ ନେଇ ବିମାନ ଚଳାଚଳ କରିଥାଏ। ଖୁବ୍‌କମ୍‌ ଦିନ ମଧ୍ୟରେ ଝାରସୁଗୁଡ଼ା ବିମାନବନ୍ଦର ଦେଶର ଅଗ୍ରଣୀ ବିମାନବନ୍ଦର ମାନ୍ୟତା ହାସଲ କରିବ।

ଝାରସୁଗୁଡ଼ାକୁ ବିମାନ ସେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଜବାବ ରଖି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସେପ୍ଟେମ୍ବର ୨୨ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ବିମାନବନ୍ଦରକୁ ଉଦ୍‌ଘାଟନ କରି କହିଲେ ଯେ ମୁଁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କହୁଛି… ସେତେବେଳେ ବିବାଦ କାହିଁକି? ମୋଦୀ ଯାହା ଘୋଷଣା କରନ୍ତି ତାହାକୁ କାର୍ଯ୍ୟକାରୀ କରିଥାନ୍ତି। ହେଲେ ନବୀନ ଯାହା କହିଥାନ୍ତି ତାହା କରନ୍ତି ନାହିଁ। ବିମାନବନ୍ଦର ନାମକରଣ ନେଇ କିଛି ଔପଚାରିକତା ପ୍ରକ୍ରିୟାରେ ରହିଛି। ପ୍ରକ୍ରିୟା ହେବା ପରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ଏକ ବିବାଦୀୟ ପ୍ରସଙ୍ଗ ନୁହେଁ।

ସମ୍ବନ୍ଧିତ ଖବର