ଭୁବନେଶ୍ୱର: ଆସନ୍ତାମାସ ଶେଷ ସୁଦ୍ଧା ଝାରସୁଗୁଡାକୁ ଉଡ଼ିପାରିବ ବିମାନ। ଯଦିଓ ୨୦୧୮ ଏପ୍ରିଲ ବେଳକୁ ବିମାନ ବନ୍ଦରର ପୂର୍ଣ୍ଣ ବିକାଶ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି, କିନ୍ତୁ ୧୯ ଆସନ ବିଶିଷ୍ଟ ବିମାନ ଉଡ଼ିବା ଲାଗି ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ହେଲେ ବିମାନ ଚଳାଚଳ କେବେ ଆରମ୍ଭ ହେବ, ସେ ନେଇ କିନ୍ତୁ ସରକାର ଆଜି ବି ସନ୍ଦିହାନ୍ ଅଛନ୍ତି। କାରଣ କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନାରେ ଓଡ଼ିଶାରେ ବିମାନ ଚଳାଚଳ ପାଇଁ ଦାୟିତ୍ୱ ନେଇଥିବା ଏୟାର ଓଡ଼ିଶାର କାରବାର ସରକାରଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ବିଶଦ ଭାବେ ଆଲୋଚନା ହୋଇଥିଲା।
ବୈଠକ ପରେ ମୁଖ୍ୟଶାସନ ସଚିବ ଶ୍ରୀ ପାଢୀ ମପାଚୁପା ଶଦ୍ଦ ବ୍ୟବହାର କରି ଗଣମାଧ୍ୟମକୁ କହିଥିଲେ, ପୂର୍ବରୁ ରାଉରକେଲାରେ ବିମାନ ବନ୍ଦର ଦାୟିତ୍ୱ ନେବାକୁ ଆରଏସ୍ପି ରାଜି ହୋଇଥିଲା। ମାତ୍ର ଏବେ ସମ୍ମତି ପ୍ରକାଶ କରୁନାହିଁ। ଏଭଳିସ୍ଥଳେ ରାଜ୍ୟ ସରକାର ସୁରକ୍ଷା ଓ ଅଗ୍ନିଶମ ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏଣୁ ଏ ପ୍ରକଳ୍ପ ବିଳମ୍ବ ହେଉଛି। ମୁଖ୍ୟସଚିବଙ୍କ ବୟାନ ସୂଚାଇ ଦେଉଛି, ରାଉରକେଲାକୁ ବିମାନ ଉ଼ଡ଼ାଣ ପ୍ରକ୍ରିୟାରେ ଆର୍ଏସ୍ପି ବାଧକ ସାଜିଛି। ମୁଖ୍ୟସଚିବ କହିଥିଲେ, ଓଡ଼ିଶାରେ ବିମାନ ଚଳାଚଳ ପାଇଁ ଦାୟିତ୍ୱ ନେଇଥିବା ଏୟାର ଓଡ଼ିଶା ଗୁଜୁରାଟ ସମେତ ଅନ୍ୟ ୩୦ଟି ସ୍ଥାନ ପାଇଁ ବି ଟେଣ୍ଡର ପାଇଛି। ହେଲେ ସଂପୃକ୍ତ ସଂସ୍ଥା କେବେ ବିମାନ ଚଳାଚଳ ଆରମ୍ଭ କରିବ, ସେ ନେଇ ଏଯାଏ ସରକାରଙ୍କୁ କିଛି ଜଣାଇନାହିଁ।
ଅନ୍ୟପକ୍ଷରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏୟାର ଓଡ଼ିଶାର ଗତ କିଛି ଦିନର କାର୍ଯ୍ୟକଳାପକୁ ବିଚାରକୁ ନେଇ ସରକାର ଏହି ସଂସ୍ଥାକୁ ଅବିଶ୍ୱାସ କରିବା ଆରମ୍ଭ କଲେଣି। ଏଣୁ କେଉଁ ବିମାନ ଉଡ଼ିବ, ସେ ନେଇ ବିଶଦ ଭାବେ ତଥ୍ୟ ଦେବା ସହିତ ବିମାନବନ୍ଦରରେ ତାହାକୁ ଉପଲବ୍ଧ କରାଇବା ଲାଗି ଆଜିର ବୈଠକରେ ଆଲୋଚନା ହୋଇଛି।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ମୁଖ୍ୟସଚିବ। ବୈଠକରୁ ମିଳିଥିବା ସୂଚନା ମୁତାବକ, ରାଉରକେଲାରେ ଆର୍ଏସ୍ପି ବିମାନ ବନ୍ଦର ଦେବାକୁ ପ୍ରଥମେ ସମ୍ମତି ପ୍ରକାଶ କରିଥିଲା। ଆର୍ଏସ୍ପି ଏଥିପାଇଁ ଲାଇସେନ୍ସ ବି ଆବେଦନ କରିବ ବୋଲି କୁହାଯାଇଥିଲା। ସେ ଅନୁସାରେ, ବିମାନ ବନ୍ଦର କର୍ତ୍ତୃପକ୍ଷ ଏୟାର ଷ୍ଟ୍ରିପ୍ର ପରିଚାଳନା କରିଥାନ୍ତେ। ଏହାକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ କଲେ ନିର୍ଦିଷ୍ଟ କି ବାଧା ସବୁ ସୃଷ୍ଟି ହୋଇପାରେ, ସେ ନେଇ ସର୍ଭେ କରି ରିପୋର୍ଟ ଦେବାକୁ ଏକ ସଂସ୍ଥାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟିତ୍ୱ ଦିଆଯାଇଥିଲା। ହେଲେ କେନ୍ଦ୍ର ସରକାରଙ୍କ ସହିତ ଆର୍ଏସ୍ପି କଣ ଆଲୋଚନା କରିଛି, କଣ ନିଷ୍କର୍ଷ ବାହାରିଲା, ସେ ନେଇ କିନ୍ତୁ ଆଜି ବୈଠକରେ କାହା ପାଖରେ କିଛି ଠୋସ୍ ଖବର ନଥିଲା। ଅର୍ଥାତ୍ ରାଜ୍ୟ ସରକାର ଏ ନେଇ ଅନ୍ଧାରରେ ଅଛନ୍ତି। ଏପରିକି ମୁଖ୍ୟଶାସନ ସଚିବ ଡାକିଥିବା ବୈଠକକୁ ମଧ୍ୟ ଆର୍ଏସ୍ପି କର୍ତ୍ତୃପକ୍ଷ ଏଡ଼ାଇ ଯାଇଥିଲେ। ଏହାକୁ ନେଇ ଆଜି ଉଦ୍ବେଗ ପ୍ରକାଶ ପାଇଥିଲା। ସରକାର ଖୁବ୍ ଶୀଘ୍ର ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ବୋଲି ସୂଚନା ମିଳିଛି।
ଜୟପୁର ଓ ଉତ୍କେଲା ସଂପର୍କରେ ବୈଠକରେ ଅଧିକାରୀମାନେ କହିଥିଲେ, ଏହି ଏୟାରଷ୍ଟ୍ରିପ୍ ପାଇଁ ପ୍ରଥମ ପର୍ଯ୍ୟାୟ ଅନୁମୋଦନ ମିଳିସାରିଛି। ଉତ୍କେଲା ପାଇଁ ୬କୋଟି ଟଙ୍କା ବରାଦ କରାଯାଇଛି। ଟେଣ୍ଡର ବି ସରିଲାଣି। ଜୟପୁର ଲାଗି ଖୁବ୍ ଶୀଘ୍ର କାର୍ଯ୍ୟାଦେଶ ପ୍ରଦାନ କରାଯିିବ। ୨୦୧୮ ମାର୍ଚ୍ଚ ସୁଦ୍ଧା ଏହି ବିମାନ ବନ୍ଦରକୁ ପ୍ରସ୍ତୁତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହାବ୍ୟତୀତ ରଙ୍ଗେଇଲୁଣ୍ଡା ଓ ସତୀଭଟ୍ଟକୁ ଦ୍ୱିତୀୟ ପର୍ଯ୍ୟାୟରେ ବିକାଶ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏସବୁ ଅଞ୍ଚଳରେ ଉଡ଼ାଣ ପାଇଁ ନିର୍ଦିଷ୍ଟ କି ପ୍ରତିବନ୍ଧକ ରହିଛି, ସେ ସଂପର୍କରେ ସର୍ଭେ କରି ଏକ ରିପୋର୍ଟ ପ୍ରସ୍ତୁତ ଲାଗି ଚେନ୍ନାଇର ମେସର୍ସ ଗୋ ସଫ୍ଟ ସଲ୍ୟୁସନକୁ ୪୦ କୋଟି ଟଙ୍କାର ଟେଣ୍ଡର ଦିଆଯାଇଥିବା ସୂଚନା ମିଳିଛି।
ଆଜି ବୈଠକରେ ଅଧିକାରୀମାନେ କହିଥିଲେ, ଆକାଉଣ୍ଟସ୍ ମ୍ୟାନେଜର ଓ ସିକ୍ୟୁରିଟି ମ୍ୟାନେଜର ପଦବିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏହି କ୍ରମରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ତାଲିକା ମଗାଯାଇଥିଲା। ଯଦି ଯୋଗ୍ୟ ବ୍ୟକ୍ତି କେହି ନ ମିଳିବେ, ତେବେ ଅବସରପ୍ରାପ୍ତ ଅଭିଜ୍ଞ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏବେ ସୁଦ୍ଧା ୪୫ ଜଣ ପୁଲିସ କର୍ମଚାରୀ ଓ ୨୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶିକ୍ଷଣରେ ପଠାଯାଇଛି। ଖୁବ୍ ଶୀଘ୍ର ଆଉ ୮୮ ପୁଲିସ କର୍ମଚାରୀ ଓ ୭ ଜଣ ଅଗ୍ନିଶମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଏହା ବ୍ୟତୀତ ଏସବୁ ଏୟାର ଷ୍ଟ୍ରିପ୍ ପ୍ରତି ବିମାନ ସଂସ୍ଥାଙ୍କ ଆଗ୍ରହ ବଢାଇବା ଲାଗି ସେଠାରେ ଏଏଫ୍ଏସ୍ ବା ଇନ୍ଧନ ଭରିବା ଲାଗି ଷ୍ଟେସନ ପ୍ରତିଷ୍ଠା ହେବ। ଜୟପୁର ବିମାନ ବନ୍ଦର ଦାୟିତ୍ୱ ବିପିସିଏଲ୍ ନେବାକୁ ସ୍ଥିର ହୋଇଛି। ଅନ୍ୟ ଏକ ସରକାରୀ ତେଲ କଂପାନିକୁ ଉତ୍କେଲା ଦାୟିତ୍ୱ ମିଳିବ।
ଆଜି ବୈଠକରେ ଏକଥା ବି ସ୍ଥିର ହୋଇଛି ଯେ ପ୍ରତି ବିମାନବନ୍ଦରରେ ୪୪ ଜଣ ସୁରକ୍ଷା କର୍ମୀ ଓ ୯ଜଣ ଅଗ୍ନିଶମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଇଲେକ୍ଟ୍ରିସିଟି ଓ ପାଣି ମଧ୍ୟ ରିହାତି ଦରରେ ଯୋଗାଇ ଦିଆଯିବ।
ରାଜ୍ୟ ସରକାର ଦେଉଥିବା ରିହାତିକୁ ବିଚାରକୁ ନେଇ ପ୍ରତି ଟିକେଟ୍ ଯେଭଳି ୨୫୦୦ ଟଙ୍କା ଉପରରୁ ନଯାଏ, ସେ ନେଇ ସରକାର ଦୃଷ୍ଟି ଦେବେ।ଭୁବନେଶ୍ୱରରୁ ଉତ୍କେଲା, ଉତ୍କେଲାରୁ ରାୟପୁର, ଭୁବନେଶ୍ୱରରୁ ଜୟପୁର, ଭୁବନେଶ୍ୱରରୁ ଝାରସୁଗୁଡା, ଝାରସୁଗୁଡାରୁ ରାଞ୍ଚି ଓ ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ମୁଖ୍ୟତଃ ବିମାନ ଚଳାଚଳ ହୋଇପାରେ ବୋଲି ଆଲୋଚନା ହୋଇଥିଲା। ଆଜିର ଏହି ବୈଠକରେ ଗୃହ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଅର୍ଥ ସଚିବ ତୁହିନ କାନ୍ତ ପାଣ୍ଡେ, ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ମୀନା , ରାଜସ୍ୱ ସଚିବ ଚନ୍ଦ୍ରଶେଖର କୁମାର, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ବିଶ୍ୱାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।