ବାୟୁ ପ୍ରଦୂଷଣ ରୋକିବାକୁ ଜିଲ୍ଲାପାଳଙ୍କୁ ତାଗିଦ

ଭୁବନେଶ୍ବର, କଟକ, ତାଳଚେର ଅଧିକ ପ୍ରଦୂଷିତ ସହର

ଭୁବନେଶ୍ବର : ଭୁବନେଶ୍ବର ସମେତ ରାଜ୍ୟର ୫ଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ଜାତୀୟ ହାରଠାରୁ ଅଧିକ। ସହରର ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚିନ୍ତାରେ ସରକାର। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସ୍ବଚ୍ଛ ବାୟୁ ଯୋଜନାର କାର୍ଯ୍ୟାନ୍ବୟନକୁ ଅଗ୍ରାଧିକାର ଦେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ବଚ୍ଛ ବାୟୁ କାର୍ଯ୍ୟ ଯୋଜନାର ତଦାରଖ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଛି।

ଶୁକ୍ରବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିଡିଓ କନଫରେନସିଂ ଜରିଆରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ସାମିଲ ହୋଇଥିଲେ। ସହରାଞ୍ଚଳରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ବଚ୍ଛ ବାୟୁ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ସଂସ୍ଥାମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଯୋଗଦେଇ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ ପାଇଁ ଦୀର୍ଘ-ସୁତ୍ରୀ, ମଧ୍ୟମ-ସୁତ୍ରୀ ଏବଂ ସ୍ବଳ୍ପ-ସୁତ୍ରୀ ଭାବେ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଭୁବନେଶ୍ବର ଆଇଆଇଟିକୁ ପ୍ରଯୁକ୍ତିବିଦ୍ୟା ସହଭାଗୀ ଭାବେ ମନୋନୀତ କରାଯାଇଥିଲା।

ଜାତୀୟସ୍ତରରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ଭାରତର ୧୦୨ଟି ସହରରେ ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଏଥିରେ ଓଡ଼ିଶାର କଟକ, ଭୁବନେଶ୍ବର, ରାଉରକେଲା, ତାଳଚେର, ଅନୁଗୁଳ ଆଦି ସହର ଅନ୍ତର୍ଭୁକ୍ତ। ଏସବୁ ସହରରେ ବାୟୁ ପ୍ରଦୂଷଣ ଜାତୀୟ ମାନଦଣ୍ଡଠାରୁ ଅଧିକ। ନିର୍ଦ୍ଧାରିତ ହୋଇଥିବା ମାନଦଣ୍ଡ ଅନୁସାରେ ପ୍ରତି ଘନମିଟର ବାୟୁରେ ପି.ଏମ-୧୦ର ସ୍ତର ୬୦ ମାଇକ୍ରୋଗ୍ରାମ ଏବଂ ପି.ଏମ-୨.୫ର ସ୍ତର ୪୦ ମାଇକ୍ରୋଗ୍ରାମ ରହିବା ଗ୍ରହଣୀୟ। ଓଡ଼ିଶାର ଏହି ୫ଟି ସହରରେ ଏହି ସ୍ତର ଅଧିକ ରହିଛି। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ ଏହି ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରିବାକୁ ସମ୍ପୃକ୍ତ ସହରାଞ୍ଚଳ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର