ସୁନ୍ଦରଗଡ଼ : କୋଇଲା ଗୁଣ୍ଡରେ ଜୀବନ କଳା, ଧାନ ବି କଳା

ମଣ୍ଡିରୁ ଫେରିଲାଣି ଶହ ଶହ କ୍ବିଣ୍ଟାଲ

ସୁନ୍ଦରଗଡ଼ : ପରିବେଶ ମଞ୍ଜୁରି ସର୍ତ୍ତରେ ଏମସିଏଲକୁ ଗାଁ ମଧ୍ୟ ଦେଇ କୋଇଲା ପରିବହନ ନକରିବା ଓ ଏଥିପାଇଁ ସ୍ବତନ୍ତ୍ର କରିଡର ବା ବାଏପାସ ରାସ୍ତା ନିର୍ମାଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ହେମରିଗ ଅଞ୍ଚଳରେ ସର୍ତ୍ତର ଖୋଲା ଉଲ୍ଲଂଘନ କରି ପ୍ରାୟ ୨୦-୨୫ ବର୍ଷ ହେଲା ଏମସିଏଲ କୋଇଲା ପରିବହନରେ ଗାଁ ରାସ୍ତାକୁ ହିଁ ବ୍ୟବହାର କରିଆସୁଛି। ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଯମ ଯନ୍ତ୍ରଣା ପାଲଟିଛି। ପ୍ରଦୂଷଣର କଳା ଧୂଆଁରେ ଢାଙ୍କି ହୋଇ ଯାଇଛି ଅଞ୍ଚଳ। ଦିନରାତି ଶହ ଶହ ଟ୍ରକ ଯାତାୟତ ଯୋଗୁଁ ବାଙ୍କିବାହାଲରୁ ଟପରିଆ ୨୬ କିଲୋମିଟର ରାସ୍ତା ପାର୍ଶ୍ବ ଗାଁର ଲୋକେ ଅଣନିଃଶ୍ବାସୀ ହୋଇ ପଡ଼ିଛନ୍ତି। ଅଞ୍ଚଳର ପାଣି ଓ ପବନ କଳା ଜହର ପାଲଟିଯାଇଛି।

କେବଳ ସେତିକି ନୁହେଁ, ଅଞ୍ଚଳର ଚାଷୀଙ୍କ ବର୍ଷକର କଷ୍ଟକମାଣି ଧାନ ଓ ବାଡ଼ି ପରିବାକୁ ବି ଖାଇ ଦେଉଛି କୋଇଲା। କୋଇଲା ଗୁଣ୍ଡ ଉଡ଼ି ରାସ୍ତା ଦୁଇ ପାର୍ଶ୍ବର ଅଧ କିଲୋମିଟର ପରିବ୍ୟାପ୍ତ ଜମିରେ କଳା ଆସ୍ତରଣ ମାଡ଼ି ଧାନର ରଙ୍ଗକୁ ବି କଳା କରି ଦେଇଛି। ରାସ୍ତାରୁ ୩୦୦ ମିଟର ଯାଏ ଧାନ ଫସଲର ରଙ୍ଗ ଏତେ କଳା ଯେ ତାକୁ ଧୋଇଲେ ବି ଛାଡ଼ୁନି। ଚଳିତ ବର୍ଷ ଏସବୁ ଧାନକୁ ଲ୍ୟାମ୍ପସ ମଣ୍ଡି ବି ଗ୍ରହଣ କରି ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଲୁଆବାହାଲ ମଣ୍ଡିକୁ ଯାଇଥିବା ଟପରିଆର ପ୍ରାୟ ୧୦ ଜଣ ଚାଷୀଙ୍କ ଏ କୋଇଲା କଳାଧାନକୁ ‌କର୍ତ୍ତୃପକ୍ଷ କିଣିବାକୁ ରାଜି ନହୋଇ ଫେରାଇ ଦେଇଛନ୍ତି। ଏ ସମ୍ପର୍କରେ ଚାଷୀମାନେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କେହି ସେମାନଙ୍କର କଥା ଶୁଣୁ ନାହାନ୍ତି। କେବଳ ଏକା ଟପରିଆ ଗାଁ ନୁହେଁ, ବାଙ୍କିବାହାଲରୁ ଟପରିଆ ୨୬ କିଲୋମିଟର ରାସ୍ତାରେ ପଡ଼ୁଥିବା ଗାଁ ଚନ୍ଦରପୁର, ଗଇକନପାଲି, ସମରପେଣ୍ଡା, କନ୍ଦାଡୋଡ଼ା, ଚକରା, ଲୁଆବାହାଲ, ବେଲଢିପା, ବିଲେଇମୁଣ୍ତା, ମୁଣ୍ଡେରକ୍ଷେତ, ଛତାବର, ବଲବସପୁର, ପୋଡ଼ାଝରିଆ, ରତନସରା, ରତନପୁର, ନକଟିଦେଉଳ, ଗୋପାଳପୁର, ହଲଦୀବାହାଲ, ସିଆରମାଲ ଓ ତୁମଲିଆର ରାସ୍ତାକଡ଼ ୩ ଶହ ମିଟର ମଧ୍ୟରେ ଥିବା ପ୍ରାୟ ୫୦୦ ଏକର ଜମିର ଧାନ ଏପରି ବିକ୍ରି ଯୋଗ୍ୟ ହୋଇ ରହିନାହିଁ। ମଣ୍ଡିରେ ବହୁ ଚାଷୀଙ୍କ ଧାନକୁ ଫେରାଇ ଦିଆଯାଇଛି। ଏପରିକି ଧାନକୁ ସିଝାଇଲେ ମଧ୍ୟ କଳା ହୋଇଯାଉଥିବାରୁ ତାକୁ ଖାଦ୍ୟ ରୂପେ ଗ୍ରହଣ କରିବାକୁ ଚାଷୀମାନେ ନିରାପଦ ମଣୁ ନାହାନ୍ତି।

ଅନ୍ୟପଟେ ବାଡ଼ିର କୋବି, ପାତଳଘଣ୍ଟା, ବାଇଗଣ, ଶାଗ ମଧ୍ୟ କୋଇଲାରେ କଳା ହୋଇଯାଉଥିବା ବେଳେ ତାକୁ ନା ଖାଇ ହେଉଛି ନା ବିକି ହେଉଛି ବୋଲି ଅଭିଯୋ‌ଗ କରିଛନ୍ତି ଅନେକ ଚାଷୀ। ଏସବୁ ଦୁର୍ଦ୍ଦଶା ମଧ୍ୟରେ କଲବଲ ହୋଇ ପଡ଼ି ରହିଥିବା ଚାଷୀ ସମେତ ସମସ୍ତ ଅଞ୍ଚଳବାସୀ ଏହାର ପ୍ରତିବାଦ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗାଁ ରାସ୍ତ‌ାରେ କୋଇଲା ପରିବହନ ବନ୍ଦ ଦାବିରେ ଜନଶକ୍ତି ବିକାଶ ପରିଷଦ ନେତୃତ୍ବରେ ଗତ ୧୯ରୁ ଚଲାଇଥିବା ଧାରଣାସ୍ଥଳକୁ ଆଜି କିଛି ଚାଷୀ କୋଇଲାଜନିତ କଳାଧାନ ଓ କଳାକୋବି ଆଣି ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଆସିଥିବା ପ୍ରାଶାସନିକ ଅଧିକାରୀଙ୍କୁ ଦେଖାଇ ଏହାର କ୍ଷତିପୂରଣ ଦାବି କରୁଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର