କଳିଙ୍ଗନଗର : ବଢ଼ୁଛି କାରଖାନା, ବଢ଼ୁଛି ପ୍ରଦୂଷଣ; ଆଶଙ୍କାରେ ଅଞ୍ଚଳବାସୀ

ଦାନଗଦୀ : ଇସ୍ପାତ ରାଜଧାନୀ କୁହାଯାଉଥିବା କଳିଂଗନଗର ଏବେ ସିମେଣ୍ଟ କାରଖାନାର ହବ ପାଲଟିବାକୁ ଯାଉଛି। କାରକାନା ବସାଇବାକୁ ଜଣେ ପରେ ଜଣେ ଆଗ୍ରହ ପ୍ରକାଶ କରୁଛନ୍ତି। ସେପଟେ କେତେକ ଇସ୍ପାତ କାରଖାନା ରୁଗ୍ଣ ହେବାକୁ ବସଲାଣି। କେତେକ ବନ୍ଦ ହେବା ସ୍ଥିତିକୁ ଗଲାଣି। ଆଉ କେତେକ ବନ୍ଦ ହୋଇଗଲାଣି। କଳିଂଗନଗରରେ କଳା ଧୂଆଁ ଓ ପାଉଁଶ ଉଡ଼ୁଥିଲା। ଏବେ ଧଳା ପାଉଁଶ ଉଡ଼ିବ। ଏଥିନେଇ ସାଧାରଣ ଲୋକେ ଅତିଷ୍ଠ ଅନୁଭବ କଲେଣି।

ଗତ ୨୦୧୭ ଫେବ୍ରୁଆରି ୨୨ ତାରିଖରେ ମେସର୍ସ ଇମାମି ସିମେଣ୍ଟ ଲିମିଟେଡ଼ର ଜନଶୁଣାଣି ପରେ ଜେଏସଡ଼ବ୍ଲ୍ୟୁ ସିମେଣ୍ଟ, ଯାଜପୁର ସିମେଣ୍ଟ ଓ ୨୦୧୯ ମାର୍ଚ୍ଚ ୬ ତାରିଖରେ ଚେଟିନାଡ଼ ସିମେଣ୍ଟ ଜନଶୁଣାଣି କରିଥିଲା। ଶିଳ୍ପ ଓ ସିମେଣ୍ଟ କାରଖାନା ପାଇଁ ଅତ୍ୟଧିକ ପାଣିରୁ ଆବଶ୍ୟକତା ରହିଥିବାରୁ ବ୍ରାହ୍ମଣୀରୁ ପାଣି ପ୍ରଦୂଷଣ ହେବାରେ ଆଶଂକା କରାଯାଉଛି। ଏହି ସମସ୍ୟାକୁ ନେଇ ଅଂଚଳବାସୀ ନଚେତିଲେ ଆଗାମୀ ପାଞ୍ଚ ବର୍ଷରେ ପାଣି ପାଇଁ ଭୟାନକ ପରିସ୍ଥିତି ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି।

୧୯୯୫ରେ ସରକାର ସ୍ବପ୍ନ ଦେଖିଥିଲେ କଳିଙ୍ଗନଗରରେ ଶିଳ୍ପ କାରଖାନା ବସିବ। ଶିଳ୍ପ ପ୍ରତିଷ୍ଠାର ୨୪ ବର୍ଷ ମଧ୍ୟରେ କଳିଂଗନଗରରୁ ମାତ୍ର ୪/୫ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହୋଇଛି। କଳିଙ୍ଗନଗରରେ ଇସ୍ପାତର ସ୍ବପ୍ନ ଫିକା ପଡ଼ିଛି। ଏପରିକି ମେସକୋ ଷ୍ଟିଲ ଦୀର୍ଘ ଦୁଇ ବର୍ଷ ବନ୍ଦ ପରେ ଏବେ ଧୀରେ ଧୀରେ ଚାଲିଛି। ମେସକୋ ୨ ଅର୍ଥାତ ମୈଥାନ ଇସ୍ପାତ ମାସେ ହେବ ବନ୍ଦ ହୋଇପଡ଼ି ରହିଲାଣି। କେଜେ ଇସ୍ପାତ ମଧ୍ୟ ବନ୍ଦ ହୋଇରହିଛି। ଏପରିସ୍ଥିତିରେ କଳିଂଗନଗର ଧାତବ ଶିଳ୍ପ ବଦଳରେ ଏବେ ସିମେଣ୍ଟ ଗ୍ରାଇଣ୍ତିଂଗ୍ ମିଲ୍ ର ପ୍ରବେଶ ହୋଇଛି। ଇତି ମଧ୍ୟରେ ବିଭିନ୍ନ ଶିଳ୍ପ କମ୍ପାନିରେ ସ୍ଥାନୀୟ ନିଯୁକ୍ତି ଓ ପ୍ରଦୂଷଣ ସମସ୍ୟାକୁ ନେଇ ଅଂଚଳବାସୀ ଚିନ୍ତାରେ ପଡ଼ିଛନ୍ତି। ବାର୍ଷିକ ୨.୦ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଇମାମୀ ସିମେଣ୍ଟକୁ ପ୍ରଥମେ ଅଂଚଳବାସୀ ବିରୋଧ କରିବାକୁ ଜନଶୁଣାଣି ହୋଇପାରି ନଥିଲା। ଅଞ୍ଚଳବାସୀଙ୍କ ଦାବିକୁ କଂପାନି କର୍ତୃପକ୍ଷ ମାନି ନେବା ପରେ କାରଖାନା ବସାଇବାକୁ ସକ୍ଷମ ହୋଇଥିଲା। ଗତ ୬ ତାରିଖରେ ଚେଟିନାଡ଼ ସିମେଣ୍ଟ ଦାନଗଦୀ ଭବନରେ କରିଥିବା ଜନଶୁଣାଣିରେ ବିରୋଧର ସମ୍ମୁଖୀନ ହେବାକୁ ଦେଖିବାକୁ ମିଳିଥିଲା। ବିଶେଷ କରି ଆଗେ ବିସ୍ଥାପନ ଓ ପରେ କାରଖାନା ସୃଷ୍ଟି କରିବାକୁ ଅଂଚଳବାସୀ ଅଡ଼ି ବସିଥିଲେ। ଯଖପୁରା ମୌଜାର ଯଖପୁରାଠାରେ ୮୩ ଏକର ଜମିରେ ଏହି କମ୍ପାନି ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଲକ୍ଷ୍ୟ ରଖିଥିବାବେଳେ ଆରମ୍ଭ ରୁ ଜନଶୁଣାଣିକୁ ଲୋକମାନେ ବିରୋଧ କରିଥିଲେ।

ସେହିପରି ନଭେମ୍ବର ୨୦୧୮ ୩ ତାରିଖରେ ଚେଟିନାଡ଼ ସିମେଣ୍ଟ ଜନଶୁଣାଣି ପୂର୍ବରୁ ତାର ଭିତ୍ତିପ୍ରସ୍ତର ସ୍ଥାପନ ଯଖପୁରାଠାରେ କରିଥିଲା। ଭିତ୍ତିପ୍ରସ୍ତର ସ୍ଥାପନ ପ୍ରସ୍ତୁତି ଚାଲିଥିବାବେଳେ ଯଖପୁରା ପଞ୍ଚାୟତର କୁଡ଼ୁମୀ ସାହି, କଚେରି ଗାଁ ଓ ଚାନ୍ଦିଆ ପଂଚାୟତର ଅରାସାହିର ଶତାଧିକ ମହିଳା ଓ ପୁରୁଷ ଆସି ଟେଣ୍ଟକୁ ଭାଂଗି ଦେଇଥିଲେ। ସେଥିପାଇଁ ଅନ୍ୟ ଏକ ସ୍ଥାନରେ ପୁନଶ୍ଚ ଟେଣ୍ଟ ମରାଯାଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଚାରିମାସ ପରେ ଏହି ସିମେଣ୍ଟ କମ୍ପାନିର ଜନଶୁଣାଣି ଦାନଗଦୀ ଭବନରେ ଗତ ୬ ତାରିଖରେ ଅନୁଷ୍ଠିତ ହେବା ବେଳେ ସ୍ଥାନୟ ଅଂଚଳବାସୀ ମଧ୍ୟ ଏହାକୁ ତୀବ୍ର ବିରୋଧ କରି ପ୍ରଥମେ ବିସ୍ଥାପନ ଦିଅ ଓ ପରେ କାରଖାନା କର ବୋଲି ଦାବି କରିଥିଲେ। ସ୍ଥାନୀୟ ଅଂଚଳରେ ଗୋଟିଏ ପରେ ଗୋଟିଏ ସିମେଣ୍ଟ କାରଖାନା ଗଢି ଉଠୁଥିବାବେଳେ ଇମାମୀ ସିମେଣ୍ଟ ଅଦ୍ୟାବଧି ଉତ୍ପାଦନ କରିପାରି ନଥିବା ବେଳେ ଜେଏସଡ଼ବ୍ଲ୍ୟୁ ସିମେଣ୍ଟର କାମ ମଧ୍ୟ ଆଗେଇ ପାରୁନାହିଁ। ଅନ୍ୟ ପକ୍ଷରେ ଯାଜପୁର ସିମେଣ୍ଟ ଭିତ୍ତିପ୍ରସ୍ତର ଓ ଜନଶୁଣାଣି କାର୍ଯ୍ୟ ସାରିଦେଇ ଚୁପ ହୋଇ ବସିଥିବାବେଳେ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ମଧ୍ୟ ଚାନ୍ଦିଆ ପଞ୍ଚ‌ାୟତର ଟାଂଗର ସାହି ବାସିନ୍ଦାମାନେ ବିସ୍ଥାପିତ ହେବାପାଇଁ ଦାବି କରିଥିଲେ। ଚେଟିନାଡ଼ ସିମେର ଜନଶୁଣାଣିକୁ ସ୍ଥାନୀୟ ଅଂଚଳବାସୀ ବିରୋଧ କରିବାପରେ କଳିଂଗନଗରରେ ଏବେ ପ୍ରଦୂଷଣ ସମସ୍ୟାକୁ ନେଇ ଭୟଂକର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଂକା କରାଯାଇଛି।

ସମ୍ବନ୍ଧିତ ଖବର