ଭୁବନେଶ୍ୱର : ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ସମେତ ଦେଶର ୧୨୨ଟି ସହରର ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ। ଏଥିପାଇଁ ଶିଳ୍ପ ସଂସ୍ଥାରୁ ନିର୍ଗତ ଧୂ୍ଆଁକୁ ରୋକିବା, ଗାଡ଼ିମଟର ଚଳାଚଳ ଉପରେ କଟକଣା, ବର୍ଜ୍ୟବସ୍ତୁର ସୁପରିଚଳନା, ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହ ପରିବେଶ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ସହରଗୁଡ଼ିକରେ ବ୍ୟାପକ ବୃକ୍ଷରୋପଣ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ସୂଚନା ଦେଇଛି।
ବାୟୁ ପ୍ରଦୂଷଣ ରୋକିବା ଲାଗି ବିଏସ୍-୬ ଗାଡ଼ି ପ୍ରଚଳନ, ସିଏନ୍ଜି/ଇ-ଯାନର ବ୍ୟବହାର, ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ବଢ଼ାଯିବା ସହ ରାସ୍ତା ଭିତ୍ତିଭୂମି ବିକାଶ ଦିଗରେ ପଦକ୍ଷେପ ନିଆଯାଇଛି। ଶିଳ୍ପ ସଂସ୍ଥାଗୁଡ଼ିକରେ କ୍ଲିନର ପ୍ରୋସେରର ବ୍ୟବହାର, ଅନ୍ଲାଇନ୍ ମନିଟରିଂ ସିଷ୍ଟମ, ବୈଷୟିକ ଜ୍ଞାନକୌଶଳର ବିକାଶ, ରିନେୱାଲ ଏନର୍ଜିର ବ୍ୟବହାର, ମାଟି ତଳୁ ବାହାରୁଥିବା ପ୍ରାକୃତିକ ଇନ୍ଧନ ବ୍ୟବହାରକୁ କମ୍ କରିବା ଦିଗରେ ବି ପ୍ରାଥମିକତା ଦିଆଯାଉଛି। ପରିବେଶ ତଥା ବାୟୁ ପ୍ରଦୂଷଣ ସମ୍ପର୍କରେ ସହରରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ବୃକ୍ଷରୋପଣ, ଲୋକଙ୍କୁ କିଭଳି ଅଧିକ ସଂଖ୍ୟାରେ ଯୋଡ଼ାଯାଇପାରିବ, ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କର୍ମଶାଳା, ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଜଙ୍ଗଲ ନିଆଁକୁ ରୋକିବା, ବର୍ଜ୍ୟବସ୍ତୁ ଜାଳେଣିକୁ ରୋକିବା, ବର୍ଜ୍ୟ ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ, ବିଭିନ୍ନ ପ୍ରକାର ବର୍ଜ୍ୟ ପାଇଁ ସହରରେ ବିଭିନ୍ନ ରଙ୍ଗର ଡଷ୍ଟବିନ୍ ବସାଇବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଏହି ଲକ୍ଷ୍ୟକୁ ପୂରଣ କରିବା ଲାଗି ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଥର ଲାଗି ‘ଅନ୍ତର୍ଜାତୀୟ ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ ଦିବସ’ ପାଳିତ ହୋଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ୱେବିନାରରେ ଅଧ୍ୟକ୍ଷତା କରି କହିଛନ୍ତି ଯେ ଦେଶର ୧୨୨ଟି ପ୍ରଦୂଷିତ ସହରରେ ବାୟୁ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଲାଲ୍କିଲ୍ଲାରୁ ଉଦ୍ବୋଧନ ଦେଇ ୧୦୦ଟି ସହରରେ ବାୟୁର ଗୁଣବତ୍ତା ବୃଦ୍ଧି କରିବା ଉପରେ ଆଲୋକପାତ କରିଥିଲେ। ଯାହାକୁ କାର୍ଯ୍ୟକାରୀ କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ, ଜାତୀୟ ଏୟାର୍ କ୍ୱାଲିଟି ଇଣ୍ଡେକ୍ସ, ବିଏସ୍-୬ ଇନ୍ଧନର ବ୍ୟବହାର, କାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁର ମାତ୍ରା ହ୍ରାସ, ରାସ୍ତାଘାଟ ନିର୍ମାଣ ଓ ଇ-ଯାନର ବ୍ୟବହାର ଆଦି ଅନ୍ତର୍ଭୁକ୍ତ। ରାଜ୍ୟଗୁଡ଼ିକ ନିଜ ସହର ଅନୁଯାୟୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଦୂଷଣର ମାତ୍ରା ହ୍ରାସ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।