ଭୁବନେଶ୍ୱର ପବନରେ ବିଷ

ସାଙ୍ଘାତିକ ହେଲାଣି ବାୟୁ ପ୍ରଦୂଷଣ

ଦିଲ୍ଲୀ ଭଳି ପରିସ୍ଥିତି ଉପୁଜିବା ଆଶଙ୍କା, ଶିଶୁ ଓ ବୟସ୍କ ପଦାକୁ ବାହାରିବା ବିପଜ୍ଜନକ

ଚନ୍ଦ୍ରଶେଖରପୁର : ଆପଣଙ୍କର ଛୋଟ ପିଲା ଦିନରେ ବାହାରକୁ ବୁଲି ଯାଉଛି କି? ଘରେ ଥିବା ବୟସ୍କ ବ୍ୟକ୍ତିମାନେ ଦିନବେଳେ ବାହାରକୁ ଯାଉଛନ୍ତି କି? ଆପଣଙ୍କର ଶ୍ୱାସ, ହୃଦ୍‌ରୋଗ କିମ୍ବା ଯକୃତ ଜନିତ ସମସ୍ୟା ରହିଛି କି? ତେବେ ଆପଣ ଦିନବେଳେ ସବୁବେଳେ ବାହାରକୁ ଯାଆନ୍ତୁ ନାହିଁ। ସକାଳ ସମୟରେ ହିଁ ସମସ୍ତ କାମ ସାରିବାକୁ ଚେଷ୍ଟା କରନ୍ତୁ। ବାକି ସମୟ ଯଥାସମ୍ଭବ ଘର ଭିତରେ ରହିବାକୁ ଚେଷ୍ଟା କରନ୍ତୁ। କାରଣ ରାଜଧାନୀ ଭୁବନେଶ୍ୱରର ପବନ ଆପଣଙ୍କ ପାଇଁ ବିପଦର କାରଣ ହୋଇପାରେ। ପବନରେ ପ୍ରଦୂଷଣର ମାତ୍ରା ଏତେି ଅଧିକ ରହିଛି ଯେ କେବଳ ଶିଶୁ କିମ୍ବା ବୟସ୍କ ନୁହନ୍ତି ସମ୍ପୂର୍ଣ୍ଣ ରାଜଧାନୀ ବାସିନ୍ଦାଙ୍କ ପାଇଁ ରାଜଧାନୀର ଏହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଚଳିତ ମାସର ବିଭିନ୍ନ ସମୟରେ ସଂଗୃହୀତ ପ୍ରଦୂଷଣର ମାତ୍ରା ଏବଂ ତଥା ଆଜିର ଏୟାର କ୍ୱାଲିଟି ଇଣ୍ଡେକ୍ସ୍‍ (ଏକ୍ୟୁଆଇ)ରୁ ଏଭଳି ସାଂଘାତିକ ସୂଚନା ମିଳିଛି।

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଓଏସ୍‌ପିସିବି)ର ଚନ୍ଦ୍ରଶେଖରପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ନଭେମ୍ବର ୨୫ ଶନିବାର ଦିନ ରାଜଧାନୀ ବାୟୁରେ ପିଏମ୍‌୧୦ର ପରିମାଣ ୨୩୬ ମାଇକ୍ରୋଗ୍ରାମ୍‌ ପର୍‌ ମିଟର କ୍ୟୁବ୍‌ ଅଛି। ବିଜ୍ଞାନ ସମ୍ମତ ତଥ୍ୟ ଅନୁସାରେ ଏହି ପରିମାଣ ୧୦୦ ମଧ୍ୟରେ ରହିବା ବାଞ୍ଛନୀୟ। ବାୟୁରେ ପିଏମ୍‌୧୦ ର ପରିମାଣର ମାତ୍ରା ଏତେ ଅଧିକ ରହିବା ଅର୍ଥ ଏହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର। ସେହିପରି ଚଳିତ ମାସ ନଭେମ୍ବର ୧୩ ଓ ୧୪ ତାରିଖରେ ରାଜଧାନୀ ବାୟୁର ପିଏମ୍‌୧୦ର ପରିମାଣ ଯଥାକ୍ରମେ ୧୨୫ ଓ ୧୫୧ ମାଇକ୍ରୋଗ୍ରାମ୍‌ ପର୍‌ ମିଟର କ୍ୟୁବ୍‌ ଥିଲା। ବର୍ଷା ହେବା ସତ୍ତ୍ୱେ ବାୟୁରେ ପିଏମ୍‌୧୦ ପରିମାଣ ମାତ୍ରାଧିକ ହେବା ଅତ୍ୟନ୍ତ ବିପଦଜନକ ବୋଲି ବିଚାର କରାଯାଉଛି। ନିର୍ଧାରିତ ମାତ୍ରାଠାରୁ ଏହା ଅଧିକ ହେବା ଅର୍ଥ ବାୟୁରେ ପ୍ରଦୂଷଣର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି। ଓଏସ୍‌ପିସିବିର ନିୟମ ଅନୁସାରେ ୦-୫୦ ମଧ୍ୟରେ ଏକ୍ୟୁଆଇ ରହିଲେ ଏହା ସୁସ୍ଥ, ୫୦-୧୦୦ ମଧ୍ୟରେ ରହିଲେ ମଧ୍ୟମ, ଏହି ମାତ୍ରା ୧୦୧ରୁ ୧୫୦ ମଧ୍ୟରେ ରହିଲେ ସମ୍ବେଦନଶୀଳ ଗୋଷ୍ଠୀ ଅର୍ଥାତ ଶ୍ୱାସ, ହୃଦରୋଗ ଆଦି ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଅସ୍ୱାସ୍ଥ୍ୟକର ହୋଇଥାଏ। ମାତ୍ର ଏହି ପରିମାଣ ୧୫୧-୨୦୦ ମଧ୍ୟରେ ରହିଲେ ଏହା ସମସ୍ତଙ୍କ ପାଇଁ ଅସ୍ୱାସ୍ଥ୍ୟକର ବା ରେଡ୍‍ ଶ୍ରେଣୀରେ ଆସିଥାଏ। ୨୦୧ରୁ ୩୦୦ ସର୍ବାଧିକ ପ୍ରଦୂଷିତ ବର୍ଗରେ ଆସିଥାଏ।

ଉଲ୍ଲେଖଯୋଗ୍ୟଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରାଧିକ ଥିବାରୁ ଚଳିତ ମାସ ପ୍ରଥମ ସପ୍ତାହରେ ସେଠାକାର ସାଧାରଣ ଜନଜୀବନ ଠପ୍‌ ହୋଇ ଯାଇଥିଲା। ଦିଲ୍ଲୀରେ ବାୟୁରେ ପିଏମ୍‌୧୦ର ପରିମାଣ ୪୦୦ ଅତିକ୍ରମ କରିଯାଇଥିବାରୁ ଏବେବି ସେଠାରେ ଏହି ଧାରା ଜାରି ରହିଛି।

ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରାକୁ ନିୟମିତ ଭାବରେ ପରୀକ୍ଷା କରିବା ନିମିତ୍ତ ଓଏସ୍‌ପିସିବି ପକ୍ଷରୁ ପାତ୍ରପଡ଼ା, ଆଇଆର୍‌ସି ଭିଲେଜ୍‌, ଓଏସ୍‌ପିସିବି କାର୍ଯ୍ୟାଳୟ, କ୍ୟାପିଟାଲ୍‌ ପୋଲିସ୍‌ ଷ୍ଟେସନ, ରସୁଲଗଡ଼ ଓ ଚନ୍ଦ୍ରଶେଖରପୁରସ୍ଥିତ ଓଏସ୍‌ପିସିବି ପରୀକ୍ଷାଗାରରେ ୬ଟି ପ୍ରଦୂଷଣ ମାପଯନ୍ତ୍ର ଖଞ୍ଜାଯାଇଛି। ଗତ ଦୁଇ ଦିନର ତଥ୍ୟକୁ ଅନୁଶୀଳନ କଲେ ବାୟୁରେ ପିଏମ୍‌୧୦ର ପରିମାଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଶୀତ ଦିନ ଆସିଥିବାରୁ ଏହା ବୃଦ୍ଧି ଘଟୁଛି। କିନ୍ତୁ ଏକ୍ୟୁଆଇ ୧୫୦ ମାଇକ୍ରୋଗ୍ରାମ୍‌ ପର୍‌ ମିଟର କ୍ୟୁବ ଊର୍ଧ୍ୱରେ ରହିବା ଠିକ୍‌ ନୁହେଁ ବୋଲି ଓଏସ୍‌ପିସିବି ର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଭୁବନେଶ୍ୱରରେ ଦିଲ୍ଲୀ ଭଳି ଥଣ୍ଡା କିମ୍ବା ପ୍ରଦୂଷଣର ମାତ୍ରା ନାହିଁ। କିନ୍ତୁ ରାଜଧାନୀରେ ବଢ଼ିଚାଲିଥିବା ଗାଡ଼ିର ପରିମାଣ, ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଓ ଏଥିନିମନ୍ତେ ବ୍ୟବହୃତ ଭାରିଯାନ କାରଣରୁ ରାଜଧାନୀ ବାୟୁରେ ପିଏମ୍‌୧୦ର ପରିମାଣ ବୃଦ୍ଧି ପାଉଥିବା ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଛାଡ଼ି ସିଏନ୍‌ଜି ଗ୍ୟାସ୍‌ ଜରିଆରେ ଗାଡ଼ି ଚଳାଚଳ କଲେ ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ମିଳିଥିବା ତଥ୍ୟ ଅନୁସାରେ ୨୦୧୬-୧୭ ବର୍ଷରେ ରାଜଧାନୀର ଦୁଇଟି ଆର୍‌ଟିଓରେ ପ୍ରାୟ ୯୫,୦୦୦ ଗାଡ଼ି ପଞ୍ଜୀକୃତ ହୋଇଛି। କିନ୍ତୁ ଚଳିତ ବର୍ଷ ଏହି ପରିମାଣରେ ୧୦-୧୨ ପ୍ରତିଶତ ବୃଦ୍ଧି ଘଟିଥିବା ଆର୍‌ଟିଓ-୨ର ଅଧିକାରୀ ସଞ୍ଜୟ ବେହେରା କହିଛନ୍ତି। ଏହି ତଥ୍ୟରୁ ଏହା ସ୍ପଷ୍ଟ ଯେ ରାଜଧାନୀରେ କ୍ରମଶଃ ବୃଦ୍ଧି ପାଉଥିବା ଗାଡ଼ିର ପରିମାଣ ପ୍ରଦୂଷଣର ଏକ ପ୍ରମୁଖ କାରଣ। ସେହିପରି ସହର ବଢ଼ୁଥିବାରୁ ନିର୍ମାଣ କାର୍ଯ୍ୟ ମଧ୍ୟ ଯଥେଷ୍ଟ ବଢ଼ିଛି। ରାସ୍ତାଘାଟ ନିର୍ମାଣ ହେଉ ଅଥବା କୋଠାବାଡ଼ି ନିର୍ମାଣ, ସବୁକ୍ଷେତ୍ରରୁ ନିର୍ଗତ ହେଉଥିବା ଧୂଳି କଣିକା ମଧ୍ୟ ବାୟୁ ପ୍ରଦୂଷଣର ଏକ ପ୍ରଧାନ କାରଣ। ଏହି କ୍ଷେତ୍ରରେ ବ୍ୟବହୃତ ହେଉଥିବା ଭାରିଯାନରୁ ନିର୍ଗତ ଧୂଆଁ ଓ ଧୂଳି ମଧ୍ୟ ରାଜଧାନୀର ପବନକୁ ବିଷାକ୍ତ କରୁଛି।

ବନୀକରଣ ଉପରେ ଅଗ୍ରାଧିକାର ଦେବା, ଅନାବଶ୍ୟକ ଗାଡ଼ି ଚାଳନାରୁ ଦୂରେଇ ରହିବା ନିମନ୍ତେ ସଚେତନା ସୃଷ୍ଟି କରିବା ଓ ନିର୍ମାଣ କାର୍ଯ୍ୟ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ନଦେଲେ ଭୁବନେଶ୍ୱରରେ ମଧ୍ୟ ଦିଲ୍ଲୀ ଭଳି ପରିସ୍ଥିତି ଉପୁଜିବା ଅସମ୍ଭବ ନୁହେଁ ବୋଲି ସାମାଜିକ କର୍ମୀ ବାସୁଦେବ ମହାପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର