ଇସ୍ପାତ ରାଜଧାନୀରେ ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ

ବଢ଼ୁଛି ଫୁସ୍‌ଫୁସ୍‌ ଓ ହୃଦ୍‌ରୋଗ, ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଶିଶୁ

ଯାଜପୁରରୋଡ଼(ଚିତ୍ତରଂଜନ ବେହେରା): ଇସ୍ପାତ ରାଜଧାନୀ କଳିଙ୍ଗନଗର ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। କ୍ରମଶଃ ଏହା ଉତ୍କଟ ଆକାର ଧାରଣ କରିବାକୁ ଯାଉଛି। ରାଷ୍ଟ୍ରୀୟ ପରିବେଶୀୟ ବାୟୁ ଗୁଣବତ୍ତା ମାନକ ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ୨୦୧୨ରୁ ୨୦୧୮ ମଧ୍ୟରେ ଏହି ମାତ୍ରା ମାତ୍ରାଧିକ ହୋଇଥିବା ବେଳେ ହୃଦପିଣ୍ଡ ଏବଂ ଫୁସଫୁସ ଜନିତ ରୋଗ ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ସଂଗିନ ହୋଇଛି ଯେ ଏହା ମଧ୍ୟ ଅନେକ ଶିଶୁ ମୃତ୍ୟୁର କାରଣ ହୋଇଛି। ଏଭଳି ସ୍ଥିତିରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯେଭଳି ଠୋସ ପଦକ୍ଷେପ ନେବା କଥା ତାହା ନେଉନାହିଁ। ଅନେକ କାରଖାନା କର୍ତୃପକ୍ଷ ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇ କାମ କରୁଥିବାରୁ ପ୍ରଦୂଷଣ ବଢ଼ୁଛି। ଯାହାକୁ ‌ନେଇ ବିପଦଜନକ ସ୍ଥିତି ଉପୁଜିଛି।

ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ବିଶ୍ବରେ ସବୁଠୁ ବଡ଼ ଆହ୍ବାନ ହୋଇଥିବା ବେଳେ ଭାରତର ୧୦୨ଟି ସହର ମଧ୍ୟରୁ ଓଡ଼ିଶାର ୬ଟି ସହର ରାଷ୍ଟ୍ରୀୟ ପରିବେଶୀୟ ମାନକ ରକ୍ଷା କରିବାରେ ବିଫଳ ହୋଇଥିବା କେନ୍ଦ୍ରୀୟ ପ୍ରଦୂଷଣ ନୟନ୍ତ୍ରଣ ବୋର୍ଡ(ସିପିସିବି) ରିପୋର୍ଟରୁ ସ୍ପଷ୍ଟ ହୋଇଛି। ପୂର୍ବରୁ କଳିଙ୍ଗନଗରର ଦୁଇଟି ସ୍ଥାନରେ ବାୟୁ ଗୁଣବତ୍ତା ମାନକ ମପା ଯାଉଥିବା ବେଳେ ଏବେ ତିନିଟି ସ୍ଥାନରେ ମାପ କରାଯାଉଛି। ଯାଜପୁରରୋଡଠାରେ ଥିବା ଆଞ୍ଚଳିକ ପ୍ରଦୂଷଣ କାର୍ଯ୍ୟାଳୟ ଛାତ, ବିଆରପିଏଲ ପରିସର, ନୀଳାଚଳ ପରିସର ଏମିତି ତିନିଟି ସ୍ଥାନରେ ବାୟୁର ମାନକ ମପା କାର୍ଯ୍ୟ କରାଯାଉଛି। ଏଥିରୁ ଯେଉଁ ରିପୋର୍ଟ ଆସୁଛି ତାହା ଉଦବେଗଜନକ ବୋଲି ବିଶେଷଜ୍ଞଙ୍କ ମତ ଦେଇଛନ୍ତି।

ଏସିଆର ଇସ୍ପାତ ରାଜଧାନୀ କୁହାଯାଉଥିବା କଳିଙ୍ଗନଗର ଅଞ୍ଚଳରେ ଛୋଟବଡ଼ ୧୩ଟି ଇସ୍ପାତ କାରଖାନା ଚାଲୁ ରହିଥିବା ବେଳେ ୪ଟି ସିମେଣ୍ଟ କାରଖାନା ଏବେ ଉତ୍ପାଦନକ୍ଷମ ହେବାକୁ ଯାଉଛନ୍ତି। ଏହା ବାଦ୍‌ ଦୈନିକ ହଜାର ହଜର ଭାରିଯାନ ଯାତାୟାତ କରୁଛନ୍ତି। ୨୦୧୩ରେ କଳିଙ୍ଗନଗରରେ ସସପେଣ୍ଡେଡ୍ ପାର୍ଟିକୁଲେଟ୍ ମ୍ୟାଟର(ଏସପିଏମ) ଅଧିକ ଥିବା ବେଳେ ୨୦୧୪ରେ ଏହା ଗମ୍ଭୀର ହୋଇଥିଲା। ଏଭଳି ବାୟୁ ପ୍ରଦୂଷଣକୁ ରେ‌ାକିବା ପାଇଁ କଳକାରଖାନା କର୍ତ୍ତୃପକ୍ଷଙ୍କ ଅ‌ାନ୍ତରିକତାର ଅଭାବ ଥିବାବେଳେ ଆବଶ୍ୟକ ସଂଖ୍ୟକ ଗଛ ଲଗାଯାଉ ନାହିଁ। କାରଖାନା ପରିସରରେ ପାଣି ସିଞ୍ଚନ କରାଯାଉ ନାହିଁ। ଅନ୍ୟ ଯାହା ବ୍ୟବସ୍ଥା ରହିଛି, ତାହା କରାଯାଉ ନଥିବାରୁ ପରିସ୍ଥିତି ଉଦ‌ବେଗଜନକ ହେବାରେ ବସିଛି। ଯାହା ଜଣାଯାଇଛି ଅତ୍ୟଧିକ ଗାଡି ମଟର ଚଳାଚଳ ଯୋଗୁଁ ବାୟୁରେ ନାଇଟ୍ରୋଜେନ ଅକ୍ସସାଇଡ(ଏନଓଏଏକ୍ସ) ଏବଂ କଳକାରଖାନାରୁ ନିର୍ଗତ ଧୂଆ ଯୋଗୁଁ ବାୟୁରେ ସଲଫର ଡାଇଅକ୍ସସାଇଡ(ଏସଓ୨) ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ଏନଭିରନମେଣ୍ଟ ସାଇନସେସ (ତୃତୀୟ ଖଣ୍ଡ-୨୦୧୨)ରେ ପ୍ରକାଶିତ ତଥ୍ୟ ଅନୁଯାୟୀ କଳିଙ୍ଗନଗରର ୧୦ଟି ଅଞ୍ଚଳକୁ ନମୁନା ଭାବେ ନିଆଯାଇଥିଲା। ଯଖପୁରା(କ) ଗ୍ରାମାଞ୍ଚଳ, ଯଖପୁରା(ଖ) ଗ୍ରାମାଞ୍ଚଳ, ରାବଣା(କ) ଗ୍ରାମାଞ୍ଚଳ, ରାବଣା(ଖ) ଶିଳ୍ପାଞ୍ଚଳ, ବାରଗାଡ଼ିଆ(କ) ଶିଳ୍ପାଞ୍ଚଳ, ବାରଗାଡ଼ିଆ(ଖ) ଶିଳ୍ପାଞ୍ଚଳ, ସିଆରିଆ ଶିଳ୍ପାଞ୍ଚଳ, ବ୍ୟବସାୟିକ ପେଣ୍ଠସ୍ଥଳ ଡବୁରି, ତେଲବାହାଳି, ମାନପୁର ଶିଳ୍ପାଞ୍ଚଳକୁ ବିଚାରକୁ ନିଆଯାଇଥିଲା। ଏହି ୧୦ଟି ସ୍ଥାନରୁ ଦୁଇଟି ସ୍ଥାନରେ ଉତ୍କଟ ବାୟୁ ପ୍ରଦୂଷଣ ରେକର୍ଡ କରାଯାଇଥିବା ବେଳେ ଦୁଇଟି ସ୍ଥାନରେ ଯଖପୁରା ଓ ରାବଣା ମଧ୍ୟମଧରଣର ଏବଂ ଗୋଟିଏ ସ୍ଥାନରେ ଅତି ଉତ୍କଟ ବାୟୁ ପ୍ରଦୂଷଣ ରେକର୍ଡ କରାଯାଇଥିଲା। କୋଇଲା ଡିପୋ ଏବଂ ରେଲୱେ ସାଇଡିଂ ଯୋଗୁଁ ମାନପୁର ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଛି। କେବଳ ସେତିକି ନୁହେଁ, ଏଠାରୁ ଦୈନିକ ହଜାର ହଜାର ଭାରିଯାନ ବିଭିନ୍ନ ଅଞ୍ଚଳକୁ ଯାଉଛି। ଏହା ମଧ୍ୟ ପ୍ରଦୂଷଣର କାରଣ ସାଜିଛି। ଗବେଷଣାରୁ ଜଣାଯାଇଛି ଯେ ଶୀତ ଦିନେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବା ବେଳେ ଗ୍ରୀଷ୍ମ ଓ ବର୍ଷା ଦିନେ ଏହାର ପରିମାଣ କମ ରହୁଛି। ଗତ ତିନି ବର୍ଷର ରିପୋର୍ଟ ଯାହା କହୁଛି କଳିଙ୍ଗନଗର ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ଅତ୍ୟଧିକ ବଢ଼ିଛି। ୨୦୧୬ରେ ୧୦୯(ପିଏମ୧୦) ଥିବା ବେଳେ ୨୦୧୭ରେ ୧୧୬(ପିଏମ୧୦) ଏବଂ ୨୦୧୮ରେ ଏହା ୧୨୨(ପିଏମ୧୦)ରେ ପହଞ୍ଚିଛି। ଆଉ ଅଳ୍ପଦିନ ପରେ ବାୟୁ ପ୍ରଦୂଷଣର ମାତ୍ରା ଅତି ଉତ୍କଟ ଆକାର ଧାରଣ କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। କଳିଙ୍ଗନଗର ଅଞ୍ଚଳରେ ଦିନକୁ ଦିନ ବାୟୁ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଛି। ପ୍ରଦୂଷିତ ପରିବେଶ ଓ ଦୂଷିତ ଜଳ କାରଣରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଅଧିକାଂଶ ଅଧିବାସୀ ମାରାତ୍ମକ ରୋଗର ଶିକାର ହେଉଛନ୍ତି। ଏହାକୁ ‌େରାକିବା ପାଇଁ କେବଳ କମ୍ପାନି କର୍ତ୍ତୃପକ୍ଷ ନୁହନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଯେତିକି ପଦକ୍ଷେପ ନେବା କଥା ସେତିକି ନେଉ ନାହିଁ। ଫଳରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର