ପ୍ରଦୂଷଣ ଯନ୍ତାରେ କଳିଙ୍ଗନଗରବାସୀ : ବଢ଼ୁଛି ଅସନ୍ତୋଷ

ଯାଜପୁରରୋଡ଼ : ପ୍ରଦୂଷଣ ଯନ୍ତାରେ କଳିଙ୍ଗନଗରବାସୀ ଛଟପଟ ହେଉଥିବା ବେଳ ଏବେ ସିମେଣ୍ଟ କାରଖାନା ପାଇଁ ଶିଳ୍ପପତିମାନଙ୍କ ଲମ୍ବା ଧାଡ଼ି ଲାଗିଛି। ଏପଟେ ଜନ ଶୁଣାଣି ପାଇଁ ନାନା ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି। ଏହାକୁ ନେଇ ବଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ଇସ୍ପାତ ରାଜଧାନୀ କଳିଙ୍ଗନଗରରେ କେତେକ ଇସ୍ପାତ କାରଖାନା କ୍ଷତି ଆଳ ଦେଖାଇ ଶ୍ରମିକ ଛଟେଇ କରୁଛନ୍ତି। ମାତ୍ର ଗୋଟିଏ ପରେ ଗୋଟିଏ ସମେଣ୍ଟ କାରଖାନା ସ୍ଥାପନ ପାଇଁ ଜନଶୁଣାଣି ହେବାରେ ଲାଗିଛି। ଜିଲ୍ଲାର ବଡ଼ଚଣା ବ୍ଲକ୍ ସୀମାନ୍ତ ବୈରୀ ନିକଟରେ ଓସିଏଲ ସିମେଣ୍ଟ ଥିଲା। ଏବେ ଏକାଧିକ ସିମେଣ୍ଟ କାରଖାନା ସ୍ଥାପନ ପାଇଁ ପ୍ରସ୍ତୁତି ଜାରି ରହିଛି। ଧମର୍ଶାଳା ବ୍ଲକ୍ ତଥା ତହସିଲ ଅଧୀନରେ ରାମକୋ ସିମେଣ୍ଟ କାରଖାନା ବ୍ୟତୀତ କଳିଙ୍ଗନଗରରେ ଜିନ୍ଦଲ କାରଖାନା ପରିସରରେ ଜେ‌ଏସଡ଼ବ୍ଲୁ, ଇମାମି ସିମେଣ୍ଟ, କାଟ୍ ନେଣ୍ଟ ଓ ଯାଜପୁର ସିମେଣ୍ଟ କାରଖାନା ପାଇଁ ବିଭିନ୍ନ ପର୍ଯ୍ୟାୟରେ କାମ ଚାଲିଛି।

ସେଥି ମଧ୍ୟରେ ଯାଜପୁର ସିମେଣ୍ଟ କାରଖାନାକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନସିଂରେ ଶିଳାନ୍ୟାସ କରିବା ପରେ ଜନଶୁଣାଣି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଦୂଷଣରେ କଳିଙ୍ଗନଗରବାସୀ ଶଢୁଥିବା ବେଳେ ଏକାଧିକ ସିମେଣ୍ଟ କାରଖାନା ପାଇଁ ଶିଳ୍ପପତିଙ୍କର ଲମ୍ବା ଧାଡ଼ିକୁ ଦେଖି ବୁଦ୍ଧିଜୀବୀ ଓ ସ୍ଥାନୀୟ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି।

ଜନଶୁଣାଣିରେ କମ୍ପାନି ପକ୍ଷରୁ ଦିଆଯାଉଥିବା ପ୍ରତିଶ୍ରୁତି ଧୂଆଁବାଣ ହୋଇଥିବା ବେଳେ କମ୍ପାନି ପ୍ରଦାନ କରୁଥିବା ପ୍ରସ୍ତାବିତ କାରଖାନାର ପ୍ରଦୂଷଣ ପ୍ରଭାବ ଓ ତାର ନିରାକରଣ ନେଇ ସାରାଂଶରେ ଦେଇଥିବା ତଥ୍ୟ ବିଭ୍ରାନ୍ତି କର ବୋଲି ଧରାପଡ଼ିଯାଇଛି। ଯାଜପୁର ସିମେଣ୍ଟ କାରଖାନା ସ୍ଥାପନ ପାଇଁ ଆସନ୍ତା ୨୬ତାରିଖରେ ଜନଶୁଣାଣି କରିବାକୁ ନିଷ୍ପତି ହୋଇଛି। ଏଥି ପାଇଁ ପ୍ରସ୍ତାବିତ ‌ସିମେଣ୍ଟ କାରଖାନା ପାଇଁ କମ୍ପାନି ପକ୍ଷରୁ ସମୀକ୍ଷା କରାଯାଇ ଦିଆଯାଇଥିବା ସାରାଂଶରେ ଭୁଲ ତଥ୍ୟ ଦିଆଯାଇ ଲୋକମାନଙ୍କୁ ବିଭ୍ରାନ୍ତ କରାଯାଇଛି ବୋଲି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଯାଜପୁର ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ୪ଶହ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରିବାକୁ ଯାଉଥିବା ଏହି କାରଖାନାରେ ମାତ୍ର ୫୮ଜଣ ନିଯୁକ୍ତି ପାଇବେ । କେଉଁ ଠାରେ କାରଖାନା ହେବ ତାହାର ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇ ନଥିଲେ ହେଁ ଦାନଗଦି ତହସିଲର କଚେରୀ ଗାଁ, ଦଶମାଣିଆ, ଚାନ୍ଦିଆ ପ୍ରଭୃତି ଗାଁ ନିକଟରେ ରହିଛି । ରାମକୋ, ଇମାମି ଓ କାଟନାଣ୍ଟ ଭଳି ଯାଜପୁର ସିମେଣ୍ଟ କାରଖାନା ଜବବସତି ନିକଟରେ ହେବାକୁ ଯାଉଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ପ୍ରଦୂଷଣ ପାଇଁ ଯଖପୁରା ରେଲୱେ ସାଇଡ଼ିଂ ଦୀର୍ଘ ୨ବର୍ଷ ହେଲା ବନ୍ଦ ରହିଥିବା ବେଳେ ମାନପୁର ସାଇଡ଼ିଂ ପାଇଁ ଧୂଳିଗଡ ପଞ୍ଚାୟତର ୮୪ଜଣଙ୍କ ମୃତ୍ୟୁ ହେଲାଣି। ମେସ୍କୋର ପ୍ରଦୂଷଣରେ ସାରଙ୍ଗପୁର, ନୀଳାଚଳ ପାଇଁ ବାରଗାଡ଼ିଆ, ଭିସା ପାଇଁ ଯଖପୁରା, ଟାଟା ପାଇଁ ଗୋବରଘାଟି, ଚାନ୍ଦିଆ, ବାରଗାଡ଼ିଆ, ମୈଥାନ, ରୋହିତ ଓ ୟାଜଦାନି ପାଇଁ ଚାନ୍ଦିଆ, ମାନତୀରା ଓ ପଙ୍କପାଳବାସୀ ଛଟପଟ ହେଉଛନ୍ତି। ଏବେ ୪ଟି ସିମେଣ୍ଟ କାରଖାନା ଏହି ଅଞ୍ଚଳରେ ଏକକାଳୀନ କାମ ଆରମ୍ଭ କଲେ ସ୍ଥିତି ସଙ୍ଗିନ ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ଅଧିବାସୀ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେଣି।

ସମ୍ବନ୍ଧିତ ଖବର