ଭୁବନେଶ୍ବର: ଦୀପାବଳି ପୂର୍ବରୁ ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ ହୋଇଛି। ରାତି ୧୦ଟା ପରେ ସ୍ବାଭାବିକ ସ୍ଥିତିରେ ରହୁଥିବା ଭୁବନେଶ୍ବରର ବାୟୁମଣ୍ଡଳ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମଧ୍ୟମଧରଣର ପ୍ରଦୂଷିତ ହୋଇଛି। ଲଗାତାର ଗୋଟିଏ ସପ୍ତାହ ହେଲା ଏଭଳି ସ୍ଥିତି ଉପୁଜୁଛି। ସୋମବାର ଓ ମଙ୍ଗଳବାର ସହରବାସୀ ଦୀପାବଳି ପାଳିବାକୁ ଥିବା ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସବୁଜ ବାଣ ଫୁଟାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶାବଳୀ ଜାରି କରିଥିଲେ ମଧ୍ୟ ପ୍ରତିବର୍ଷ ପରି ଏଥର ମଧ୍ୟ ତାହାକୁ ପାଳନ କରିବା ଭଳି ଏବେଠାରୁ ମନେ ହେଉ ନାହିଁ। ଦୀପାବଳିର ୨୪ ଘଣ୍ଟା ପୂର୍ବରୁ ସହରରେ କେବଳ ଢୋ, ଢା ଶବ୍ଦ ହିଁ ଶୁଣିବାକୁ ମିଳୁଛି। କିଏ ଛାତ ଉପରେ ସୁଁ ସାଁ କରି ରକେଟ୍ ଛାଡ଼ୁଛନ୍ତି ତ କିଏ ବିଚ୍ରାସ୍ତାରେ ଫଟକା ଫୁଟାଉଛନ୍ତି। କେଉଁଠି ସୂତୁଲି ବାଣ ତ କେଉଁଠି ବକ୍ସ ସଟ୍। କୁମ୍ପି, କୋନ୍, ଝରଝରିର ଆଖି ଝଲସା ନିଆଁ ଆଉ ଧୂଆଁ ସୃଷ୍ଟିକାରୀ ବାଣ ସନ୍ଧ୍ୟା ହେଲେ ଫୁଟାଯାଉଛି। ଯଦି ଦୀପାବଳି ପୂର୍ବରୁ ଏତେ ତେବେ ସୋମବାର ଓ ମଙ୍ଗଳବାର ସ୍ଥିତି କେଉଁ ସ୍ତରରେ ପହଞ୍ଚିବ ଏଥିରୁ ସ୍ପଷ୍ଟ ଅନୁମେୟ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଳମ୍ବିତ ରାତି ଓ ସକାଳ ସମୟରେ ଭୁବନେଶ୍ବରର ବାୟୁ ପ୍ରଦୂଷଣର ମାତ୍ରା(ଏକ୍ୟୁଆଇ) ପର୍ଟିକୁଲେଟ୍ ମ୍ୟାଟର(ପିଏମ୍)୨.୫ ସନ୍ତୋଷଜନକ ସ୍ଥିତିରେ ରହୁଛି। ହେଲେ ସନ୍ଧ୍ୟା ସମୟରେ ସାରା ସହରରେ ବିଷାକ୍ତ ବାୟୁ ଖେଳି ବୁଲୁଛି। ରସୁଲଗଡ଼ଠାରୁ ଆରମ୍ଭ କରି ଜୟଦେବ ବିହାର, ପଟିଆ, ହଂସପାଳ, ପଟିଆ, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ପଳାସୁଣି, ପୁରୁଣା ଭୁବନେଶ୍ବର, ଖଣ୍ଡଗିରି ଅଞ୍ଚଳରେ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଆଜି ଦିନ ସମୟରେ ଏକ୍ୟୁଆଇ(ପିଏମ୍୨.୫) ମାତ୍ରା ୯୬ ରହିଥିବା ବେଳେ ସନ୍ଧ୍ୟା ୬ଟା ବେଳକୁ ୧୦୦ ଉପରକୁ ଡେଇଁଯାଇଛି। ଲିଙ୍ଗରାଜ ମନ୍ଦିରଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଲଗାଯାଇଥିବା ଏକ୍ୟୁଆଇ ମେସିନ୍ ତଥ୍ୟ ଅନୁଯାୟୀ ଏଠାରେ ଏକ୍ୟୁଆଇ ମାତ୍ରା ୧୦୫ ରହିଥିଲା। ଅନୁରୂପ ଭାବେ ଶନିବାର ସନ୍ଧ୍ୟା ୬ଟାରେ ୧୩୬, ୧୭ ତାରିଖରେ ୧୬୨, ୧୬ ତାରିଖରେ ୧୫୪ରେ ରହିଥିଲା। ସେହିପରି ପଟିଆଠାରେ ଲଗାଯାଇଥିବା ଅନ୍ୟ ଯନ୍ତ୍ରର ତଥ୍ୟ ଅନୁଯାୟୀ ୧୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ପଟିଆ ଅଞ୍ଚଳରେ ଏକ୍ୟୁଆଇ ୧୪୦ ରହିଥିଲା। ପରବର୍ତ୍ତୀ ଦିନଗୁଡ଼ିକରେ ୧୬ ତାରିଖରେ ୧୭୭, ୧୭ ତାରିଖରେ ୧୦୯, ୧୮ ତାରିଖରେ ୧୬୪ ଓ ଆଜି ସନ୍ଧ୍ୟା ସମୟରେ ୧୨୨ରେ ପହଞ୍ଚିଛି। ରାତି ୯ଟା ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗିରହିଛି।
ବାୟୁ ପ୍ରଦୂଷଣ ଏବେର ନୁହେଁ। ପ୍ରତିବର୍ଷ ଦୀପାବଳି ସମୟରେ ସହରର ବାୟୁ ପ୍ରଦୂଷିତ ହେବା ସହ ଲୋକଙ୍କ ଶ୍ବାସକ୍ରିୟା ପାଇଁ ହାନୀକାରକ ପାଲଟୁଛି। ଯଦିଓ ପିଏମ୍ର ମାତ୍ରା ପ୍ରତ୍ୟେକ ଦିନ ବଦଳୁଛି ତଥାପି ହାରାହାରି ଏହା ବିପଜ୍ଜନକ ରହୁଛି। ତେଣୁ ଏହା ଶ୍ବାସକ୍ରୀୟା ଜନିତ ରୋଗର ଆଶଙ୍କା ବଢ଼ାଇବା ସହ ଭୁବନେଶ୍ବରବାସୀଙ୍କ ଜୀବନ ପ୍ରତି ବିପଦ ହେଉଛି। ବିଶେଷକରି ପୁରୁଣା ଭୁବନେଶ୍ବର, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ରଘୁନାଥପୁର ଓ ପଟିଆ ଅଞ୍ଚଳକୁ ସର୍ବାଧିକ ଧୂଳି ଜନିତ ପ୍ରଦୂଷଣ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳ ସମେତ ସମଗ୍ର ଭୁବନେଶ୍ବର ବାୟୁର ଗୁଣବତ୍ତା ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଡ଼ା ନଜର ରଖିଥିବା କହିଛି।